୫୦ ବର୍ଷ ପରେ ନିର୍ବାପନ ହେବ ଅମର ଯବାନ୍ ଜ୍ୟୋତି
ନୂଆଦିଲ୍ଲୀ: ରାଜଧାନୀର ଇଣ୍ଡିଆ ଗେଟ୍ ନିକଟରେ ୧୯୭୨ରେ ପ୍ରତିଷ୍ଠା କରାଯାଇଥିବା ଅମର ଯବାନ ଜ୍ୟୋତି ଶୁକ୍ରବାର ନିର୍ବାପିତ ହେବ। ଏହାକୁ ଦୁଇ ବର୍ଷ ପୂର୍ବେ ପ୍ରତିଷ୍ଠିତ ଜାତୀୟ ଯୁଦ୍ଧ ସ୍ମାରକୀ ସହିତ ବିଲିନ୍ନ କରାଯିବ। ୧୯୭୧ରେ ବାଂଲାଦେଶ ଯୁଦ୍ଧ ବିଜୟ ପରେ ସହିଦ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ସହିତ ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଆନ୍ତି। ଏହି ଜ୍ୟୋତି ଅଖଣ୍ଡ ଏବଂ ୫୦ବର୍ଷ ମଧ୍ୟରେ କେବେ ଲିଭିବାର ନଜିର ନାହିଁ।
୨୦୧୯ରେ ବର୍ତ୍ତମାନର କେନ୍ଦ୍ର ସରକାର ଏହି ସ୍ଥାନରୁ ୪୦୦ ମିଟର ଦୂରରେ ପ୍ରତିଷ୍ଠା କରିଥିଲେ ଜାତୀୟ ଯୁଦ୍ଧ ସ୍ମାରକୀ। ଏଠାରେ ବିଭିନ୍ନ ଯୁଦ୍ଧରେ ପ୍ରାଣପାତ କରିଥିବା ୨୬ହଜାର ଯବାନଙ୍କ ନାମୋଲ୍ଲେଖ ସହିତ ସ୍ମୃତି ସ୍ଥାନ ପାଇଛି। ଶୁକ୍ରବାର ସନ୍ଧ୍ୟାରେ ଅମର ଯବାନ ଜ୍ୟୋତିରୁ ଅଗ୍ନି ନିଆଯାଇ ଏଠାରେ ବିଲିନ୍ନ କରାଯିବ ଏବଂ ୫୦ ବର୍ଷ ଧରି ଜଳୁଥିବା ଅଖଣ୍ଡ ଜ୍ୟୋତିକୁ ସବୁଦିନ ପାଇଁ ଲିଭାଇ ଦିଆଯିବ ବୋଲି ସରକାରୀ ଭାବେ ନିଷ୍ପତ୍ତି ହୋଇଛି।
Comments are closed.