ଗୁରୁଡିଝାଟିଆ/ଭୁବନେଶ୍ବର : ରାଜ୍ୟ ସମବାୟମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିଭାଗରେ ଦୁର୍ନୀତିର ଛିଟା ଦେଖିବାକୁ ମିଳିଛି। କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଋଣ ଜାଲିଆତି ମହାଦୁର୍ନୀତି ଘଟଣାରେ ପୁଲିସ ଦୀର୍ଘ ୯ମାସ ପରେ ତତ୍ପରତା ଦେଖାଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟର ସମ୍ପାଦକ ବିଜୟ କୁମାର ଦାସ, ସହକାରୀ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ, ଚପରାସୀ ପ୍ରବୋଧ କୁମାର ପରିଡ଼ା, ଆଠଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କିରାଣି ଚିତ୍ରାନନ୍ଦ ଜେନା, ଆଠଗଡ଼ ସମବାୟ ବ୍ୟାଙ୍କର ପର୍ଯ୍ୟବେକ୍ଷକ ନିରଞ୍ଜନ ପରିଡ଼ା, କର୍ମଚାରୀ ବିଜୟ କୁମାର ଗଣ୍ଠିଆ ଏବଂ କୋଷାଧ୍ୟକ୍ଷ ବାବାଜି ଚରଣ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। କିଛି ଘଣ୍ଟା ପରେ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖା ପୂର୍ବରୁ ନିଲମ୍ବିତ ବିଜୟ କୁମାର ଓ ପିଅନ ପ୍ରବୋଧ ରଞ୍ଜନଙ୍କୁ ସମିତିର ପରିଚାଳନା ପରିଷଦ ବହିଷ୍କାର କରିଛି। ସେହିପରି କଟକ
ଜିଲାପାଳ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସକଙ୍କ ଅନୁମୋଦନ କ୍ରମେ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ଶାଖା ପରିଚାଳକ ପ୍ରମୋଦ କୁମାର ଦାସ, ପୂର୍ବତନ ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ଚୌଦ୍ୱାର କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଜିତେନ୍ଦ୍ରକୁମାର ମହାନ୍ତିଙ୍କୁ ବ୍ୟାଙ୍କିଂ ସହାୟକ ପଦକୁ ପଦାବନତ କରାଯାଇଛି। ସମସ୍ତ ୫ଜଣ ଅଭିଯୁକ୍ତଙ୍କ ନିକଟରୁ ଆତ୍ମସାତ ଅର୍ଥ ଆଦାୟ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସହକାରୀ ପରିଚାଳକ ତଥା କୋଷାଧ୍ୟକ୍ଷ ବାବାଜୀ ଚରଣ ପ୍ରଧାନ ଓ ପୂର୍ବତନ ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ତଦନ୍ତ ଚାଲିବା ଭିତରେ ଅବସର ନେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ସେବା ସମବାୟ ସମିତିରେ ୧ କୋଟି ୯ଲକ୍ଷ ୫୦ ହଜାର ଟଙ୍କା ତୋଷରପାତ ହୋଇଥିଲା। ଏ ସଂକ୍ରାନ୍ତରେ ୨୦୨୦ ଡିସେମ୍ବର ୧୮ରେ କଟକ କୋ-ଅପରେଟିଭ ସୋସାଇଟିର ଡେପୁଟି ରେଜିଷ୍ଟ୍ରାର (ଉପ-ନିବନ୍ଧକ) ଲକ୍ଷ୍ମୀଧର ସୁବୁଦ୍ଧି ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ସମିତିରେ କୃଷକଙ୍କ ନାମରେ ତଞ୍ଚକତା କରାଯାଇ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ନାମମାତ୍ର କୃଷକଙ୍କ ନାମରେ ମଧ୍ୟ ଲକ୍ଷାଧିକ ଟଙ୍କାର ଋଣ ଉଠାଯାଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ଏହାର ବିଧିବଦ୍ଧ ତଦନ୍ତ ପାଇଁ କୃଷକମାନେ ଦାବି ଜଣାଇଥିଲେ। ତଦନ୍ତ ବିଳମ୍ବିତ ହେବା ଯୋଗୁଁ କ୍ଷତିଗ୍ରସ୍ତ କୃଷକମାନେ ଆଠଗଡ଼ ସମବାୟ ବ୍ୟାଙ୍କ ଘେରାଉ କରିବା ସହ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଖୋଦ୍ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିଧାନସଭା କ୍ଷେତ୍ରରେ କୃଷକଙ୍କ ନାମରେ ସମବାୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ହେବାନେଇ ବିଧାନସଭାରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ଏହି ଦୁର୍ନୀତିରେ ତାଙ୍କ ମନ୍ତ୍ରିମଣ୍ଡଳର ସମବାୟ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସରକାରଙ୍କ ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା କୃଷକମାନେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହୁଁଥିଲେ। ତେବେ ମନ୍ତ୍ରୀଙ୍କ ନିରବତା ଘଟଣାକୁ ଅଧିକ ଜଟିଳ କରି ଦେଇଥିଲା। ଏନେଇ କୃଷକମାନେ ବିଜେଡି ଯୁବସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଗତ ସପ୍ତାହରେ ଏହି ମହାଦୁର୍ନୀତିର ରହସ୍ୟ ଖୋଲିବା ନିମନ୍ତେ ଆଠଗଡ଼ରେ ପ୍ରତିବାଦ କରିବା ସହିତ ଆସନ୍ତାକାଲି ଆଠଗଡ଼-ଚାନ୍ଦବାଲି ଛକ ନିକଟରେ ରାସ୍ତା ଅବରୋଧ କରିବା ନିମନ୍ତେ ଚେତାବନୀ ଦେଇଛନ୍ତି।
ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମା ବଲ୍ଲଭ ରଥ ଏନେଇ ଏକାଧିକବାର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତିରେ ୧ କୋଟି ୯ଲକ୍ଷ ୫୦ହଜାର ୨୯୦ ଟଙ୍କା ତୋଷରପାତ ହୋଇଛି। ସମଗ୍ର ନବେଢ଼ା ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ମଧ୍ୟ ତଦନ୍ତ ଦାବି ହୋଇଛି। କାହିଁକି ସମବାୟ ବିଭାଗର ବଡ଼ପଣ୍ଡାମାନେ ଋଣ ନେଇଥିବା କୃଷକଙ୍କ ତାଲିକା ପ୍ରକାଶ କରୁନାହାନ୍ତି, ତାହା ମଧ୍ୟ ସନ୍ଦେହଘେରକୁ ଆସୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀ ଦଳ ଏହି ପ୍ରସଙ୍ଗ ଉତ୍ଥାପନ କରିବା ଆଶଙ୍କାରେ ରାଜନେତାଙ୍କ ଚାପରେ ୯ ମାସ ଧରି ହାତବାନ୍ଧି ବସିଥିବା ପୁଲିସ ହଠାତ୍ ସକ୍ରିୟ ହୋଇ ଉଠିଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ବଡ଼ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ଦୀର୍ଘବର୍ଷ ଧରି କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଦାୟିତ୍ବରେ ରହିଥିଲେ।
ସୂଚନାଯୋଗ୍ୟ, ଏହି ସମବାୟ ସମିତିରେ ଆର୍ଥିକ ଅନିୟମିତତା ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମବାୟ ସମିତି ସମୂହ ନିବନ୍ଧକ ୨୦୨୦ ମସିହା ମାର୍ଚ୍ଚ ୧୨ ତାରିଖରେ ତଦନ୍ତ ନିର୍ଦେଶ ଦେଇଥିଲେ। ୧୧ ଜଣିଆ ତଦନ୍ତକାରୀ ଦଳ ତଦନ୍ତ କରି ସେହିବର୍ଷ ଜୁନ ୩ ତାରିଖରେ ସମିତିରେ ଧାନକିଣା ଓ ଫସଲ ଋଣ କାରବାରରେ ଆତ୍ମସାତ ହୋଇଥିବା ଦର୍ଶାଇଥିଲେ। ତଦନ୍ତ ତଥ୍ୟ (ରିପୋର୍ଟ)ରେ ଦୋଷୀ ଦର୍ଶାଯାଇଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୋଦ କୁମାର ଦାଶ, ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ସହ ପରିଚାଳକ ଚିତ୍ରାନନ୍ଦ ଜେନା, ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ଓ ଚୌଦ୍ୱାର ବ୍ୟାଙ୍କ ଶାଖାର ସହ ପରିଚାଳକ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ସମ୍ପାଦକ ବିଜୟକୁମାର ଦାସ, ସହ ସମ୍ପାଦକ ସଂଗ୍ରାମ ସାହୁ ଓ ପିଅନ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ନିଲମ୍ବିତ କରାଯାଇଥିଲା।
ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତାର ଅଧିକ ତଦନ୍ତ ପାଇଁ ନିବନ୍ଧକ ଭୁବନେଶ୍ୱର ସିଆଇଡି କ୍ରାଇମବ୍ରାଞ୍ଚ, ଅର୍ଥନୈତିକ ଅପରାଧ ଶାଖା ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଥିଲେ, ଏହି ତଦନ୍ତ ଚାଲୁରହିଛି।
ତଦନ୍ତ ଆଧାରରେ ଅନିୟମିତତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ କ୍ଷତିଗ୍ରସ୍ତ ଋଣୀ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ। ଯେଉଁ ଚାଷୀ ସଭ୍ୟଙ୍କ ଋଣ ଅର୍ଥ ପ୍ରଦାନରେ ଆତ୍ମସାତ ପ୍ରମାଣିତ ହେବ ଉକ୍ତ ଅର୍ଥ ଦାୟୀ କର୍ମଚାରୀଙ୍କ ଠାରୁ ଆଦାୟ ହେବ। ସମବାୟ ସମିତି ମହାସମୀକ୍ଷକଙ୍କ ନିର୍ଦେଶକ୍ରମେ ୨୦୧୮-୧୯ରୁ ୨୦୧୯-୨୦ ବର୍ଷର ସମୀକ୍ଷା କରାଯାଉଛି। ଇତିମଧ୍ୟରେ ଗୋଟିଏ ଆର୍ଥିକ ବର୍ଷର ସମୀକ୍ଷା ସରିଥିବା ବେଳେ ୨୦୨୯-୨୦ର ସମୀକ୍ଷା ଚାଲିଛି। ରିପୋର୍ଟ ହସ୍ତଗତ ହେବା ପରେ ଦାୟୀ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଅର୍ଥ ଆଦାୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ରାଜାଙ୍କ ବିଭାଗରେ ଦୁର୍ନୀତିର ଛିଟା ! ସେବା ସମବାୟ ଋଣ ଜାଲିଆତିରେ ୭ ଗିରଫ
Popular Categories



