www.samajalive.in
Monday, December 15, 2025
16.1 C
Bhubaneswar

ଦେଖାଦେଲା ଅଲ-କାଏଦା ମୁଖ୍ୟ ଜୱାହିରି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନଗୁଡିକ ସକ୍ରିୟ ହୋଇ ଉଠିଛନ୍ତି। ଆତ୍ମଗୋପନ କରି ରହିଥିବା ଅନେକ ଦୁର୍ଦ୍ଧର୍ଷ ଆତଙ୍କବାଦୀ ଏବେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି କ୍ରମରେ ଅଲ-କାଏଦା ମୁଖ୍ୟ ଆଇମ୍ୟାନ୍ ଅଲ୍ ଜୱାହିରି ନିଜର ଉପସ୍ଥିତି ଜାହିର କରିଛି। ଜୱାହିରିର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରଚାରିତ ହୋଇଥିବାବେଳେ ୯/୧୧ ଆମେରିକା ଆକ୍ରମଣର ୨୦ବର୍ଷ ପୂର୍ତ୍ତି ଅବସରରେ ସେ ନିଜର ଉପସ୍ଥିତି ଜାହିର କରିଛି। ସେପ୍ଟେମ୍ବର ୧୧, ୨୦୦୧ ନ୍ୟୁୟର୍କସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ର ସମେତ ଆମେରିକାର ୪ଟି ସ୍ଥାନରେ ଅଲ୍‌-କାଏଦା ସଂଗଠନ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୩୦୦୦ ଆମେରିକୀୟ ପ୍ରାଣ ହରାଇଥିଲେ। ଏହି ଆକ୍ରମଣକୁ ୨୦ବର୍ଷ ପୂରଣ ହୋଇଥିବାବେଳେ ଜୱାହିରି ନିଜର ଉପସ୍ଥିତିକୁ ଭିଡିଓ ମାଧ୍ୟମରେ ଜାହିର କରିଛି। ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଥିବା ଆମେରିକାସ୍ଥିତ ଗୁଇନ୍ଦା ଏଜେନ୍ସି ସାଇଟ୍‌ ଜୱାହିରିର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛି। ସାଇଟ୍ କହିଛି ଯେ ଜୱାହିରି ଅନେକଗୁଡିଏ ପ୍ରସଙ୍ଗରେ ମତ ଦେଇଛି। ସାଇଟ୍‌ର ନିର୍ଦେଶକ ରିତା କାଟ୍‌ଜ ଟୁଇଟ୍‌ କରିଛନ୍ତି ଯେ ‘ମୃତ ବୋଲି ପ୍ରଚାରିତ ହୋଇଥିବା ଅଲ-କାଏଦା ନେତା ଆଇମ୍ୟାନ ଅଲ୍‌ ଜୱାହିରି ୬୦ ମିନିଟ୍‌ର ଏକ ଭିଡିଓରେ ଦେଖାଦେଇଛି। ସେ ଜୀବିତ ଥିବା ନେଇ ଅନେକ ପ୍ରମାଣ ଦେଇଛି। ବିଶେଷ କରି ଗତବର୍ଷ ଡିସେମ୍ବରରେ ଜୱାହିରିର ମୃତ୍ୟୁ ନେଇ ପ୍ରଚାର ହୋଇଥିଲା। ତେବେ ଏହି ଡିସେମ୍ବର ମୃତ୍ୟୁ ଖବରକୁ ମିଥ୍ୟା ବୋଲି ଜୱାହିରି ତାର ଭିଡିଓରେ ପ୍ରମାଣିତ କରିଛି।’ କାଟ୍‌ଜ କହିବା ଅନୁଯାୟୀ ଜୱାହିରି ଆଫଗାନିସ୍ତାନରେ ତାଲିବାନର ବିଜୟକୁ ଅଲକାଏଦାର ବିଜୟ ବୋଲି କହିଛି। ତାଲିବାନକୁ ବିଶ୍ବସ୍ତରରେ ଜିହାଦ୍ ଆନ୍ଦୋଳନ ଭାବେ ପ୍ରସାରିତ କରିବା ଦିଗରେ ଆଫଗାନିସ୍ତାନ ବିଜୟ ଏକ ସଫଳ ବାର୍ତ୍ତା ଦେଇଛି। ‘ଟେଲିଗ୍ରାମ୍‌’ରେ ପ୍ରସାରିତ ହୋଇଥିବା ବୃତ୍ତଚିତ୍ର ଶୈଳୀର ଏହି ଭିଡିଓର ଶୀର୍ଷକ ରହିଛି: ‘ଜେରୁଜେଲମ୍‌ ୱିଲ୍‌ ନଟ୍‌ ବି ଜୁଡାଇଜ୍‌ଡ୍’।
ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଅଲ୍‌-କାଏଦାର ନେତୃତ୍ବ ନେଇଥିବା ଜୱାହିରି ଦୀର୍ଘ ଦିନ ଧରି ଲୁକ୍କାୟିତ ଥିଲେ। ଅସୁସ୍ଥତା ଯୋଗୁଁ ଜୱାହିରିର ମୃତ୍ୟୁ ଘଟିଥିବା ଖବର ୨୦୨୦ ନଭେମ୍ବରରେ ପ୍ରସାରିତ ହେବା ପରେ ତା’ ସଂକ୍ରାନ୍ତରେ ଆଉ କୌଣସି ଭିଡିଓ ରିଲିଜ୍‌ ହୋଇ ନ ଥିଲା। ଶନିବାର ପ୍ରସାରିତ ହୋଇଥିବା ଉକ୍ତ ଭିଡିଓରେ ଜୱାହିରି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖାଯାଉଛି। ସେପ୍ଟେମ୍ବର ୧୧ ତାରିଖ ସକାଳୁ ‘ଆସ୍‌-ସାହବ୍‌’ ଗଣମାଧ୍ୟମ ଓ କେତେକ ‘ଟେଲିଗ୍ରାମ୍‌ ଚାନେଲ୍‌’ରେ ଖୁବ୍‌ ଶୀଘ୍ର ମୁକ୍ତିଲାଭ କରୁଛି ବୋଲି ବିଜ୍ଞାପନ ଦେଖାଉଥିଲା।
ତା’ପରେ ଗୋଟାଏ ‘ଟେଲିଗ୍ରାମ୍‌ ଚାନେଲ୍‌’ରେ ଜୱାହିରି ରଚିତ ୮୫୨ପୃଷ୍ଠା ସମ୍ବଳିତ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା। ଏଥିରେ ସେ ‘ଅଲ୍‌-କାଏଦା’ର ଭବିଷ୍ୟତ ବିଷୟରେ ଉଲ୍ଲେଖ କରିଛନ୍ତି। ୨୦୨୧ ଏପ୍ରିଲ୍‌ରେ ରଚିତ ବୋଲି ମନେହେଉଥିବା ଉକ୍ତ ପୁସ୍ତକରେ କଶ୍ମୀରୀ ଜିହାଦି ଇଲିୟାସ୍‌ କଶ୍ମୀରୀଙ୍କ କଥା ଉଲ୍ଲେଖ ଅଛି। ୨୦୧୧ରେ ପାକିସ୍ତାନରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍‌ ଆକ୍ରମଣରେ ତାର ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଫଗାନିସ୍ତାନରେ ଆଫଗାନ୍‌ ସେନାଙ୍କଦ୍ବାରା ନିହତ ଭାରତୀୟ ଉପମହାଦେଶର ‘ଅଲ୍‌-କାଏଦା’ ମୁଖ୍ୟ ମୌଲାନା ଅସିମ ଉମର୍‌ଙ୍କ କଥା ମଧ୍ୟ ସେ ଲେଖିଛନ୍ତି। ଏହି ପୁସ୍ତକ ପ୍ରକାଶିତ ହେବାର କିଛି ସମୟ ପରେ ଜାରି ହୋଇଥିଲା ଜୱାହିରି ଘଣ୍ଟିକିଆ ଭିଡିଓ। ଭିଓଡିରେ ଜୱାହିରି ୨୦୨୦ରେ ନିହତ ହୋଇଥିବା ‘ଅଲ୍‌-କାଏଦା’ର ଅନେକ ଆତଙ୍କବାଦୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories