ଇଞ୍ଜିନିୟରିଂ ନାମଲେଖା ନିୟମ ବଦଳିଲା : ଗଣିତ, ପଦାର୍ଥ ଓ ରସାୟନ ବିଜ୍ଞାନ ଇଚ୍ଛାଧୀନ

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଏଣିକି ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ। ଯୁକ୍ତ ଦୁଇରେ ଛାତ୍ରଛାତ୍ରୀ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପଢି ନ ଥିଲେ ମଧ୍ୟ ଇଞ୍ଜିନିୟରିଂ ପାଠ୍ୟକ୍ରମର କିଛି ନିର୍ଦିଷ୍ଟ ବିଷୟବସ୍ତୁରେ ନାମଲେଖାଇ ପାରିବେ। କିନ୍ତୁ ଉକ୍ତ ନିୟମ ସମସ୍ତ ଇଞ୍ଜିନିୟରିଂ ବିଷୟବସ୍ତୁ ପାଇଁ ପ୍ରଯୁଜ୍ୟ ନୁହେଁ। ଏହି ନିୟମ କାର୍ଯ୍ୟକାରୀ ହେବା ଦ୍ବାରା କଳା ଏବଂ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମର କେତେକ ନିର୍ଦିଷ୍ଟ ବିଷୟବସ୍ତୁରେ ନାମ ଲେଖାଇ ଅଧ୍ୟୟନ କରିପାରିବେ। ସମସ୍ତ ବିଦ୍ୟାର୍ଥୀ ଇଞ୍ଜିନିୟରିଂ ପଢିବା ନିମନ୍ତେ ସୁଯୋଗ ପାଇପାରିବେ। ପୂର୍ବରୁ ଇଞ୍ଜିନିୟରିଂ ପଢିବାକୁ ହେଲେ ଯୁକ୍ତ ଦୁଇରେ ଛାତ୍ରଛାତ୍ରୀ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପଢିଥିବା ବାଧ୍ୟତାମୂଳକ ଥିଲା। ଏହି ନିୟମକୁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା (ଏଆଇସିଟିଇ) ପକ୍ଷରୁ ସଂଶୋଧନ କରାଯାଇଛି।
ଆର୍କିଟେକ୍ଚର, ବାୟୋଟେକ୍ନୋଲଜି ଏବଂ ଫ୍ୟାଶନ ଟେକ୍ନୋଲଜି ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମ ପରି ଏକ ତୃତୀୟାଂଶ ବିଷୟବସ୍ତୁ ପାଇଁ ଏହି ନିୟମ ଲାଗୁ ହେବ। କେଉଁ ପାଠ ପାଇଁ କେଉଁ ବିଷୟ ଆବଶ୍ୟକ ତାକୁ ଧ୍ୟାନ ଦିଆଯାଇ ନିୟମାବଳୀକୁ ସଂଶୋଧନ କରାଯାଇଛି। ଛାତ୍ରଛାତ୍ରୀ ଗଣିତ ନ ପଢି ଆର୍କିଟେକ୍ଚର,
ବାୟୋଟେକ୍ନୋଲଜି ଏବଂ ଫ୍ୟାଶନ ଟେକ୍ନୋଲଜି ଭଳି ଇଞ୍ଜିନିୟରିଂରେ ନାମଲେଖାଇ ପାରିବେ। ଯେଉଁ ବିଷୟବସ୍ତୁ ପାଇଁ ଗଣିତ ଆବଶ୍ୟକ ସେହି ବିଷୟରେ ନାମଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ଗଣିତ ପଢିଥିବା ବାଧ୍ୟତାମୂଳକ। ସେହିପରି କମ୍ପ୍ୟୁଟର ବିଜ୍ଞାନ ପାଇଁ ଗଣିତ ଆବଶ୍ୟକ ଥିବାବେଳେ ପଦାର୍ଥ ବିଜ୍ଞାନର ଆବଶ୍ୟକତା ନାହିଁ। କିନ୍ତୁ ପୂର୍ବରୁ କମ୍ପ୍ୟୁଟର ବିଜ୍ଞାନରେ ଇଞ୍ଜିନିୟରିଂ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବାଧ୍ୟତାମୂଳକ ଥିଲା।
ନୂଆ ନିୟମାବଳୀ ଅନୁଯାୟୀ, ବିଦ୍ୟାର୍ଥୀ ଯୁକ୍ତ ଦୁଇରେ ପଦାର୍ଥ ବିଜ୍ଞାନ ନ ପଢି ଗଣିତ ପଢିଥିଲେ କମ୍ପ୍ୟୁଟର ବିଜ୍ଞାନରେ ଇଞ୍ଜିନିୟରିଂ କରିପାରିବେ। ଏହି ନିୟମ ୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି। ଏଆଇସିଟିଇ ପକ୍ଷରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପାଖକୁ ସଂଶୋଧିତ ନିୟମାବଳୀ ଆସିଛି। ଏହା ଉପରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ନିୟମାବଳୀରେ ୨୯ଟି ଡିପ୍ଲୋମା ଓ ସ୍ନାତକ ପାଠ୍ୟକ୍ରମ (ଅଣ୍ଡରଗ୍ରାଜୁଏଟ୍ କୋର୍ସ) ମଧ୍ୟରୁ ଗଣିତକୁ ୧୦ଟି ବିଷୟ ପାଇଁ ଇଚ୍ଛାଧୀନ ରଖାଯାଇଛି। କମ୍ପ୍ୟୁଟର ବିଜ୍ଞାନ, ଇଲେ‌େ‌କ୍ଟ୍ରାନିକ୍ସ, ଇନଫରମେସନ ଟେକ୍ନୋଲଜି, ବାୟୋଲୋଜି, ବାୟୋଟେକ୍ନୋଲୋଜି, ଟେକ୍ନିକାଲ ଭୋକେସନାଲ, କୃଷି, ଇଞ୍ଜିନିୟରିଂ ଗ୍ରାଫିକ୍ସ ଓ ବିଜିନେସ ଷ୍ଟଡିଜ୍‌ ପଢ଼ିଥିବା ଛାତ୍ରଛାତ୍ରୀ ଇଞ୍ଜିନିୟରିଂ କରିପାରିବେ।
ସୂଚନାଯୋଗ୍ୟ, ୨୦୨୧-୨୨ରେ ଏଆଇସିଟିଇ ସମସ୍ତ ଇଞ୍ଜିନିୟରିଂ ବିଷୟବସ୍ତୁ ପାଇଁ ଗଣିତ ଓ ପଦାର୍ଥ ବିଜ୍ଞାନକୁ ଇଚ୍ଛାଧୀନ କରିଥିଲା। ଚଳିତ ବର୍ଷ ଏଆଇସିଟିଇ କେବଳ କିଛି ନିର୍ଦିଷ୍ଟ ବିଷୟବସ୍ତୁ ପାଇଁ ଗଣିତ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି।

Comments are closed.