ନାମଲେଖା ସମୟସୀମା ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କ ଦାବି
ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଥିବା ବେଳେ କେତେକ ସ୍ଥାନରେ ପାଣି ଜମି ରହିବା ଯୋଗୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇଛି। ତେବେ ଏହାର ପ୍ରଭାବ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ନାମଲେଖା ଉପରେ ପଡିଛି। ରାଜ୍ୟର ଶତାଧିକ ମହାବିଦ୍ୟାଳୟ ପାଣି ଘେରରେ ରହିଥିବାରୁ ଉଭୟ ଶ୍ରେଣୀରେ ନାମଲେଖା ବାଧାପ୍ରାପ୍ତ ହୋଇଛି। କେତେକ ମହାବିଦ୍ୟାଳୟ ଚାରିପାଖେ ଏତେ ପରିମାଣର ପାଣି ଜମି ରହିଛି ଯେ ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନ ମଧ୍ୟକୁ ପ୍ରବେଶ କରିବା ସମ୍ଭବ ହୋଇପାରୁନାହିଁ। ଅନ୍ୟ ପକ୍ଷରେ ଗମନାଗମନ ସୁବିଧା ନ ଥିବା ଯୋଗୁ ଅନେକ ଆଶାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆସି ପାରୁନାହାନ୍ତି।
ରାଜ୍ୟରେ +୩ ଶ୍ରେଣୀରେ ନାମଲେଖା ପାଇଁ ଚଳିତ ମାସ ୯ରୁ ୧୪ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଦେୟ ଦାଖଲ ସମୟସୀମା ଥିବା ବେଳେ ଲଗାଣ ବର୍ଷା ଯୋଗୁ କରେଣ୍ଟ ନ ରହିବା ଏବଂ ଇଣ୍ଟରନେଟ ଅସୁବିଧା ଯୋଗୁ ହଜାର ହଜାର ଛାତ୍ରଛାତ୍ରୀ ଦେୟ ଦାଖଲ କରିପାରିନଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟକୁ ଆସି ନାମ ଲେଖାଇବାକୁ ଚଳିତ ମାସ ୧୩ରୁ ୧୬ ପର୍ଯ୍ୟନ୍ତ ସମୟସୀମା ଥିବାବେଳେ ଅନେକ ଛାତ୍ରଛାତ୍ରୀ ଜଳବନ୍ଦୀ ଜନିତ ଅସୁବିଧା ଯୋଗୁ ଆସିପାରିନାହାନ୍ତି।
ସେହିପରି ଚଳିତ ମାସ ୧୪ରୁ ୨୧ ଯାଏଁ ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ସମୟସୀମା ଥିବାବେଳେ ପାଣିଘେରରେ ଥିବା ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଗୁଡିକରେ ଅସୁବିଧା ସୃଷ୍ଟି ହୋଇଛି। ଏଭଳି ସମସ୍ୟାକୁ ବିଚାର କରି ଉଭୟ +୨ ଓ +୩ ଶ୍ରେଣୀରେ ନାମଲେଖା ସମୟସୀମା ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି।



