ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳପଥ, ଓପିଟିସିଏଲ(OPTCL), ଜିଏସଆଇ(GSI) ଓ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (Reliance Jio Infocom Limited)ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ପ୍ରଗତିର ସମୀକ୍ଷା କରାଯାଇଛି। ଏ ନେଇ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ସୋମବାର ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ସେପ୍ଟେମ୍ବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପଗୁଡ଼ିକର ପ୍ରଗତି ଓ ସମୀକ୍ଷା କରି ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି (PMG)/ପ୍ରଗତି ପୋର୍ଟାଲରେ ଥିବା ମୁଖ୍ୟ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ପ୍ରକଳ୍ପ, ଦକ୍ଷିଣ ପୂର୍ବ ରେଳପଥର ଗୋରୁ-ମହିସାଣୀ ନୂତନ ରେଳ ଲାଇନ୍, ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ୪G ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI)ର ଖନନ ଅନୁସନ୍ଧାନ ପ୍ରସ୍ତାବ, ସେଲ୍(SAIL)ର କାଲ୍ଟା ଆଇରନ ଓର ଖଣି, ଓପିଟିସିଏଲ(OPTCL)ର ଟ୍ରାନ୍ସମିସନ ଲାଇନ୍ ପ୍ରକଳ୍ପ, କଳ୍ୟାଣୀ ଷ୍ଟିଲ୍ର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବ ଆଦି ଅନ୍ତର୍ଭୁକ୍ତ ।
ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରାନ୍ୱିତ କରିବାକୁ ଓ ସମସ୍ତ ମାମଲା ସକ୍ରିୟ ଭାବେ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡିଭିଜନ ବନାଞ୍ଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପର୍ଯ୍ୟାୟରେ ନିୟମିତ ନିରୀକ୍ଷଣ ଓ ସହଯୋଗ କରି ଅନାବଶ୍ୟକ ବିଳମ୍ବ ରୋକିବା ପାଇଁ ନୋଡାଲ୍ ଅଫିସରମାନଙ୍କୁ ସାହୁ ନିର୍ଦ୍ଦେଶ ଦେଇଥିଲେ । ୟୁଜର ଏଜେନ୍ସି ବା ଉପଭୋକ୍ତା ସଂସ୍ଥାମାନେ ମଧ୍ୟ ସେମାନଙ୍କର ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ, ମ୍ୟାପ ଓ ତତ୍ସମ୍ବନ୍ଧୀୟ ନଥି ଡିଏଫଓଙ୍କୁ ତ୍ୱରିତ ଦାଖଲ କରିବେ, ଯାହା ଦ୍ୱାରା ପ୍ରକ୍ରିୟା ସମୟ କମିବ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ଜଙ୍ଗଲ ଭୂମି ବିଭାଜନ ପ୍ରସ୍ତାବଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକ୍ରିୟା କରାଯିବା ଦରକାର । ସମସ୍ତ ସମ୍ବନ୍ଧିତ ବିଭାଗ ଓ ସଂସ୍ଥାମାନଙ୍କ ସମନ୍ୱୟରେ କାମ କରି ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ଵଆରୋପ କରିଥିଲେ ।
ବୈଠକରେ ଅତିରିକ୍ତ ପିସିସିଏଫ୍(ନୋଡାଲ୍) କେ. ମୁରୁଗେସନ୍, ସିସିଏଫ୍ (ନୋଡାଲ୍) ଏ. କେ. କର, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଓ ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓତା, ଓପିଟିସିଏଲର ସିଏମଡି ଭାସ୍କର ଜ୍ୟୋତି ଶର୍ମା, ରେଳପଥର ମୁଖ୍ୟଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବିଭାଗୀୟ ବନ ଅଧିକାରୀ, ୟୁଜର୍ ଏଜେନ୍ସିର ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।



