www.samajalive.in
Tuesday, December 9, 2025
16.1 C
Bhubaneswar

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୀଠରେ ବ୍ୟାପକ ପ୍ରସ୍ତୁତି

ନେମାଳ : ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାଦେବ ସ୍ନାନ ଯାତ୍ରା ପାଇଁ ସମଗ୍ର ନେମାଳ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ସୋମବାର (ଆସନ୍ତାକାଲି) ୧୭ ତାରିଖରେ ହେବାକୁ ଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଦେବସ୍ନାନ ଯାତ୍ରା ଶ୍ରୀକ୍ଷେତ୍ରର ନୀତି ନିୟମ ଅନୁସାରେ ପାଳନ ହେଉଥିବାରୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବାରିକେଟ କରାଯାଇଛି । ବାରିକେଟରେ ଶ୍ରଦ୍ଧାଳୁମାନେ ଉତ୍ତରପଟ ଦ୍ୱାରରେ ପ୍ରବେଶ କରି ପଶ୍ଚିମପଟ ଦ୍ୱାର ବାଟେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପ୍ରଭୁଙ୍କର ମୁଖ୍ୟ ଭୋଗ କୋଠ ଭୋଗ ପାଇଁ ଅଞ୍ଚଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ସେମାନଙ୍କ ପାଇଁ ପରିଚୟ ପତ୍ର କରାଯିବା ସହ ପୀଠ ଉପରେ କୋଠଭୋଗ ପରିଚୟପତ୍ର ଧାରୀ ଓ ସେବକମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଛଡା ନଯିବାର ବ୍ୟବସ୍ଥା ହୋଇଛି। ସୂଚନାଯୋଗ୍ୟ ଯେ ଶ୍ରୀକ୍ଷେତ୍ରର ନୀତି ନିୟମ ମୁତାବକ ରବିବାର ରାତ୍ର ୩.୩୦ ମିନିଟ୍‍ ସମୟରେ ବରିଷ୍ଠ ସେବକମାନେ ମଙ୍ଗଳ ଆଳତୀ, ସ୍ନାନ, ଚନ୍ଦନଲାଗି, ଫୁଲଲାଗି  ଓ ୫ ଘଟିକା ସମୟରେ ପହିଲି ଭୋଗ ସାରିବା ପରେ ସର୍ବସାଧାରଣଙ୍କ ପାଇଁ ପହଡ ଖୋଲାଯାଇ ଭୋଗ କରାଯିବାର ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ଦିନ ୧୨ ଟାରେ ପୀଠର ସୁନ୍ଦରବାସ, କୋଠ ଭୋଗ ଅନୁଷ୍ଠିତ ହେବ। ପ୍ରଭୁଙ୍କର ଏହି ଉତ୍ସବ ପାଇଁ ପୀଠ ଚତୁପାର୍ଶ୍ବରେ ଥିବା ଗ୍ରାମର ପରିବାରରେ ବନ୍ଧୁବର୍ଗଙ୍କର ଗହଳି ଲାଗିଥିଲା ବେଳେ ସ୍ୱତନ୍ତ୍ର ବିଧିବ୍ୟବସ୍ଥା ଅନୁଯାୟୀ କୋଠଭୋଗ ପ୍ରସ୍ତୁତ ହୋଇଥାଏ। ଏହି ଭୋଗ ପ୍ରଭୁଙ୍କ ପାଖରେ ଲାଗିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

  ଠାକୁରଙ୍କ ସେବାପୂଜା ପାଇଁ ନୀତି ନିର୍ଘଣ୍ଟ ,ନିର୍ଦ୍ଧାରିତ ସମୟରେ ହେବ ମହାପ୍ରଭୁଙ୍କ ସେବାପୂଜା

ପ୍ରବଳ ଉତ୍ସହ ଓ ଉଦ୍ଦୀପନା ମଧ୍ୟରେ ପ୍ରସିଦ୍ଧ ଦେବସ୍ନାନଯାତ୍ରା ଓ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ପାଇଁ ବୈଷ୍ଣବ ସେବାୟତ ମାନେ ପ୍ରସ୍ତୁତି ହୋଇଛନ୍ତି । ସେଥିପାଇଁ ନିତ୍ୟପୂଜକ ସେବକ ସଂଘ ପକ୍ଷରୁ ସେବାପୂଜାନୀତି ନିର୍ଘଣ୍ଟ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ସେବାୟତ ମାନେ ଯୋଗଦେଇ ମହାପ୍ରଭୁଙ୍କ ସ୍ୱତନ୍ତ୍ର ସେବାପୂଜା ନୀତି ନିର୍ଘଣ୍ଟ କରିଛନ୍ତି। ପ୍ରାତଃ ୩ଟାରେ ପହୁଡ ଫିଟା ଯାଇ ୩.୦୫ରେ ପୀଠ ସୋଧନ କରାଯିବ।ପରେ ୩.୧୫ମି ସମୟରେ ମଙ୍ଗଳ ଆଳତୀ,ସୂର୍ଯ୍ୟଅର୍ଘ୍ୟ ଦାନ, ଦ୍ୱାରପାଳ ପୂଜା କରାଯାଇ ୩.୨୫ମିରେ ମହାପ୍ରଭୁଙ୍କ ସ୍ନାନ ମାର୍ଜ୍ଜନା କରାଯିବ। ପ୍ରାତଃ ୪ଟାରେ ଚନ୍ଦନ ତୁଳସୀ ଲାଗି ସେବା,ଚିତାଲାଗି,ରୂପାମୁକୁଟ ଲାଗି,ଅଙ୍ଗଭୂଷଣ ଆଦି ଲାଗି କରାଯାଇ ପହଲି ଭୋଗ ସହିତ ନିତିଆନି କରାଯିବ। ପରେ ୫.୩୦ମିରୁ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଶ୍ରଧାଳୁ ଭକ୍ତଙ୍କ ମାନସିକ ପେଡିଭୋଗ ସମର୍ପଣ କରାଯିବ। ପରେ ପୀଠ ସୋଧନ କରାଯାଇ ତୁଳସୀ ଟାହିୟା ଲାଗି କରାଯିବା ସହିତ ୧୨.୩୦ରୁ ୧.୩୦ମି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମହାସ୍ନାନ ଏବଂ କୋଠ ଭୋଗ ଲାଗି କରାଯାଇ ପୁଷ୍ପାଞ୍ଜଳି ସମର୍ପଣ କରାଯିବ। ପରେ ୧.୩୫ମି.ରୁ ଶ୍ରଦ୍ଧାଳୁମାନଙ୍କ ମାନସିକ ନୈବେଦ୍ୟ ସମର୍ପଣ କରାଯାଇ ୬.୩୦ମିରେ ସଂନ୍ଧ୍ୟା ଆଳତୀ କରାଯିବ ଓ ପରେ ଦର୍ଶନୀ ଭକ୍ତମାନଙ୍କର ମାନସିକ ନୈବେଦ୍ୟ ଲାଗି କରାଯିବା ସହିତ ରାତ୍ର ୯ଟାରେ ନିତିଆନି ଭୋଗ ଲାଗି କରାଯାଇ ବ୍ରହ୍ମ ମୂହୂର୍ତ୍ତ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ପହଡ ଖୋଲାଯିବା ସହିତ ଅର୍ଘ୍ୟ,ନୈବେଦ୍ୟ ସମର୍ପଣ,ମାନସିକ ଭୋଗ,ଯୋଡି ଯାଉଁଳି ନଡିଆ, ଅମୃତ ମଣୋହି ଲାଗି କରାଯିବ।
ଚଳିତ ବର୍ଷ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଅବସରରେ ରଘୁନାଥପୁରସ୍ଥିତ ବାବାଜୀ ବୈଭବାନନ୍ଦ ମହାରାଜ(ବାଉରୀ ବାବା)ଙ୍କ ପକ୍ଷରୁ ଚାରିି ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କଳସ ଯାତ୍ରା ଓ ଅଙ୍କୁରାରୋପଣ ସମାପନ ହୋଇଥିଲା ବେଳେ ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତୀ ହେବାର ଜଣାଯାଇଛି। ଇତ୍ୟବସରରେ ନେମାଳ କଲେଜ ପରିସରରେ ୪୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ ବ୍ୟବସ୍ଥା କରାଯାଇଛି। ଦୂରଦୂରାନ୍ତ ତଥା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶ୍ରଦ୍ଧାଳୁମାନେ ପୀଠ ଦର୍ଶନ କରିବା ସହିତ ବାଲି ଯାତ୍ରା ମହୋତ୍ସବକୁ ଉପଭୋଗ କରି କଲେଜ ପରିସରରେ ପ୍ରସାଦ ପାଇ ପାରିବେ ବୋଲି ବାବାଜୀଙ୍କ ପକ୍ଷରୁ ପ୍ରକାଶ।
ପବିତ୍ର ଦେବସ୍ନାନ ଯାତ୍ରା ଅବସରରେ ନେମାଳ ପୀଠ ପରିସରରେ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ଓ ଗୋପୀନାଥଜୀଉ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଦୁଇ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଅନ୍ନ ବାଟୁଳି ଭୋଗ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories