ସାକ୍ଷୀଗୋପାଳ:ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ଖଣ୍ଡୁଆଳ ଗଙ୍ଗାବର ନିକଟରେ ଆଜି ଅପରାହ୍ଣ ପ୍ରାୟ ୪ ଟା ସମୟରେ ଏକ କାର ଓଆର-୦୨-୨୨୫୧ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଦଳ ପୋଖରୀ ମଧ୍ୟକୁ ପଶି ଯାଇଥିଲା। କାରଟି ପାଣି ମଧ୍ୟରେ ବୁଡି ଯିବାରୁ ଆଗ ସିଟରେ ବସିଥିବା ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର କାଶୀ ନଗର ଫାଷ୍ଟ ଗେଟର ମହେଶ କୁମାର ସାହୁ (୩୦) ଓ ବ୍ରହ୍ମପୁର ବ୍ୟାଙ୍କ କଲୋନୀର ରବି କୁମାର ଦାସ (୩୦) କାର ମଧ୍ୟରେ ମୃତ୍ୟୁ ବରଣ କରିଥିଲେ। କାର ପଛ ସିଟରେ ବସିଥିବା ସେହି କାଶୀ ନଗର ଫାଷ୍ଟ ଗେଟର ଉଦୟନାଥ ସାହୁ (୪୦) ଙ୍କୁ ସ୍ଥାନୀୟ ଜନସାଧାରଣ କାର କାଚ ଭାଙ୍ଗି ଉଦ୍ଧାର କରିଥିଲେ। ସତ୍ୟବାଦୀ ପୋଲିସ ଓ ସତ୍ୟବାଦୀ ଦମକଳ କେନ୍ଦ୍ର ତରଫରୁ ମୃତାହତ ମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଅଣା ଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାରଟିକୁ ସତ୍ୟବାଦୀ ପୁଲିସ ଜବତ କରିଛନ୍ତି।



