ଠାକୁରମୁଣ୍ଡା : କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାର ଚାଇଁବାଇଶ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଶନିବାର ଏକ କାର ଠାକୁରମୁଣ୍ଡା ପଟୁ ଦ୍ରୁତ ଗତିରେ ଆସି ଚାଇଁବାଇଶି ଛକ ନିକଟରେ ରାସ୍ତା କଡରେ ଥିବା ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ କାର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି କାରରେ ବସି ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରିତେଶ ଗୁପ୍ତା ଏବଂ ସେ ସୁକୃଳି ଠାରେ ଥିବା ବିଦେଶୀ ମଦ ଦୋକାନର ମାଲିକ ବୋଲି ସୂଚନା ମିଳିଛି । ଅନ୍ୟ ଗୁରୁତର ଜଣଙ୍କ ହେଲେ ସଂଜୟ ଯାଦବ ସେହି ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ଉଭୟ ଏକ ମାରୁତିକାର ଯୋଗେ କୌଣସି କାମରେ ଠାକୁରମୁଣ୍ଡା ଆସି ସୁକୃଳିକୁ ଫେରୁ ଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ରିତେଶଙ୍କୁ ମୃତ ଘୋଷଣା କରିଥିଲେ । ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Popular Categories



