ଜାମ୍ମୁ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ମୋଦୀ ସରକାରଙ୍କ ୧୦୦ ଦିନର କାର୍ଯ୍ୟକାଳ ମଧ୍ୟରେ ଧାରା ୩୭୦ର ଉଚ୍ଛେଦ ସବୁଠୁ ବୃହତମ ପଦକ୍ଷେପ। ଜାମ୍ମୁଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, କେବଳ ଜାମ୍ମୁ କାଶ୍ମୀରର ଜନସାଧାରଣ ଧାରା ୩୭୦ର ବିଲୋପର ଗୁରୁତ୍ୱ ବିଷୟରେ ଜାଣନ୍ତି। ସେ କହିଛନ୍ତି, ଧାରା ୩୭୦ର ଉଚ୍ଛେଦ ସହ ଶିଳ୍ପ ବିକାଶ, ନିଯୁକ୍ତି ସୃଷ୍ଟି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଘଟିବ। ଧାରା ୩୭୦ର ଉଚ୍ଛେଦକୁ ନେଇ ସାଧାରଣ ଲୋକମାନେ ଉତ୍ସାହିତ ହେଉଥିବା ବେଳେ ମାତ୍ର ଅଳ୍ପ କିଛି ଲୋକ ଦୁଃଖ ପ୍ରକାଶ କରୁଛନ୍ତି।
ଜିତେନ୍ଦ୍ର ସିଂହ କହିଛନ୍ତି, ଜାମ୍ମୁ କାଶ୍ମୀରରେ ଆତଙ୍କବାଦର ଅବସାନ ହେବାକୁ ଯାଉଛି। ସେ ପୁଣି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଆଉ କୌଣସି ଆଞ୍ଚଳିକ ଭେଦଭାବର ପ୍ରଶ୍ନ ଉଠୁନାହିଁ ଓ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦୃଷ୍ଟାନ୍ତମୂଳକ ବିକାଶ କାର୍ଯ୍ୟ କରାଯିବ। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ସରକାର ପରିସ୍ଥିତି ଅନୁକୂଳ ହେଲେ ଇଣ୍ଟରନେଟ୍ ଉପରୁ କଟକଣା ପ୍ରତ୍ୟାହାର କରିନେବେ।



