www.samajalive.in
Sunday, December 7, 2025
26.1 C
Bhubaneswar

କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦର ପୁନଃବିଚାର କରାଯିବ: ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ କମିସନ (ଏନଜେଏସି)କୁ କାର୍ଯ୍ୟକାରୀ କରାଯିବ। ବୁଧବାର ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଏନ୍‌ଜେଏସିକୁ କାର୍ଯ୍ୟକାରୀ ନେଇ ଦାୟର ଏକାଧିକ ପିଟିସନ ଉପରେ ଶୀର୍ଷ ଅଦାଲତ ବିଚାର କରିବେ। କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ କରି ଏନଜେଏସି ଲାଗୁ କରିବା ଲାଗି କେନ୍ଦ୍ର ସରକାର ୯୯ତମ ସମ୍ବିଧାନ ସଂଶୋଧନ କରିବା ସହ ନୂଆ ଆଇନ ପ୍ରଣୟନ କରିଥିଲେ।

ମାତ୍ର ନୂଆ ଆଇନକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇ ୨୦୧୫ରେ ରଦ୍ଦ କରିଦେଇଥିଲେ। ସୁପ୍ରିମକୋର୍ଟଙ୍କ ଉକ୍ତ ନିଷ୍ପତ୍ତିକୁ କିଛି ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଭୁଲ୍‌ ଦର୍ଶାଇବା ପୂର୍ବକ ସମୀକ୍ଷା ଆବେଦନ କରିଛନ୍ତି। ସମୀକ୍ଷା
ଆବେଦନରେ କୁହାଯାଇଛି ଯେ ଦେଶର ସମଗ୍ର ଜନତାଙ୍କୁ ପ୍ରତିନିଧିତ୍ବ କରୁଥିବା ସଂସଦ ଦ୍ବାରା ନିଆଯାଇଥିବା ଏକ ନିଷ୍ପତ୍ତିକୁ ମାତ୍ର ୪ଜଣ ବିଚାରପତି ଖାରଜ କରିବା ସମ୍ପୂର୍ଣ୍ଣ ଭୁଲ୍। ସଂସଦ ଦେଶବାସୀଙ୍କ ଇଚ୍ଛାକୁ ପ୍ରତିନିଧିତ୍ବ କରୁଥିବାବେଳେ ଏହାକୁ ଅଗ୍ରାହ୍ୟ କରାଯିବା ଠିକ୍ ନୁହେଁ।

- Advertisement -

୭୬ତମ ସମ୍ବିଧାନ ଦିବସ ଅବସରରେ ଓକିଲ ମାଥ୍ୟୁ ଜେ ନେଦୁମ୍ପରାଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିବାବେଳେ ପ୍ରଧାନ ବିଚାରପତି ଏହାର ବିଚାର କରାଯିବ ବୋଲି କହିଛନ୍ତି। ସୁପ୍ରିମକୋର୍ଟର ୫ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ଦେଶର ସମସ୍ତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଲାଗି ନିଷ୍ପତ୍ତି ନେଇଥାଆନ୍ତି। ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର କେବଳ ମୋହର ମାରିଥାନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କର କୌଣସି ନିଷ୍ପତ୍ତି ନେଇ ନଥାନ୍ତି। ନୂଆ ବିଚାରପତି ନିଯୁକ୍ତି ସହିତ ବିଭିନ୍ନ ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷେତ୍ରରେ ମଧ୍ୟ କଲେଜିୟମ୍ ନିଷ୍ପତ୍ତି ନେଇଥାନ୍ତି। ତେବେ ଏହି କଲେଜିୟମ୍ ବ୍ୟବସ୍ଥାରେ ଅନେକ ଅନିୟମିତତା ନଜରକୁ ଆସିବା ପରେ ସରକାର ଏହାର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟବସ୍ଥାର ପରିବର୍ତ୍ତନ ପୂର୍ବକ ସରକାର ୯୯ତମ ସମ୍ବିଧାନ ସଂଶୋଧନ କଲେ। ଏହା ସହିତ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ ଆଇନ ପ୍ରଣୟନ କଲେ। ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୧୫ ଏପ୍ରିଲ ୧୩ରେ ନୂଆ ଆଇନ ଦେଶରେ କାର୍ଯ୍ୟକାରୀ ହେଲା। ମାତ୍ର ୨୦୧୫ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ୪-୧ ରାୟରେ ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇବା ପୂର୍ବକ ଖାରଜ କରିଦେଇଥିଲେ।

ଏହା ସହିତ ପୂର୍ବ ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାକୁ କାଏମ ରଖିଥିଲେ। ୫ଜଣିଆ ସାମ୍ବିଧାନିକ ପୀଠରେ ଥିବା ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ଜେଏସ୍ ଖେହର, ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ଜୋସେଫ୍ କୁରିଏନ ଓ ଜଷ୍ଟିସ ଆଦର୍ଶ କୁମାର ଗୋଏଲ୍‌ ଏନଜେଏସି ଆଇନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ପୀଠର ଅନ୍ୟତମ ବିଚାରପତି ଜେ ଚେଲାମେଶ୍ବର ଆଇନକୁ ବୈଧ ଦର୍ଶାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories