www.samajalive.in
Sunday, December 7, 2025
16.1 C
Bhubaneswar

ଆତ୍ମନିର୍ଭର ଭାରତ ପ୍ୟାକେଜରେ ଉଲ୍ଲେଖନୀୟ ଅଗ୍ରଗତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ କୋଭିଡ-୧୯ ମହାମାରୀର ମୁକାବିଲା କରିବା ଲାଗି ଗତ ମଇ ୧୨ ତାରିଖରେ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ଏବଂ ବ୍ୟାପକ ପ୍ୟାକେଜର ଘୋଷଣ କରିଥିଲେ ଯାହାକି ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ ସହ ସମତୁଲ। ସେ ‘ଆତ୍ମନିର୍ଭର ଭାରତ’ ନିର୍ମାଣ ଲାଗି ଆହ୍ୱାନ କରିଥିଲେ। ଏଥିସହିତ ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ସ୍ତମ୍ଭ-ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ପ୍ରଣାଳୀ, ଯୁବ ଜନସଂଖ୍ୟା ଏବଂ ଚାହିଦା- ବିଷୟରେ ମଧ୍ୟ ଆଲୋକପାତ କରିଥିଲେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସହ ଜଡ଼ିତ ‘ଆତ୍ମନିର୍ଭର ଭାରତ ପ୍ୟାକେଜ’ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି`

- Advertisement -

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୧୩ ମଇ ଠାରୁ ୧୭ ମଇ ପର୍ଯ୍ୟନ୍ତ କ୍ରମାଗତ ଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆତ୍ମନିର୍ଭର ଭାରତ ପ୍ୟାକେଜର ବିବରଣୀ ଉପସ୍ଥାପନ କରିଥିଲେ।

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅତ୍ୟନ୍ତ ଶୀଘ୍ର ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆର୍ଥିକ ପ୍ୟାକେଜ ସଂକ୍ରାନ୍ତ ଘୋଷଣାଗୁଡ଼ିକୁ ଲାଗୁ କରିବା ଆରମ୍ଭ କରିଦେଇଥିଲା। ଆର୍ଥିକ ପ୍ୟାକେଜ କାର୍ଯ୍ୟକାରିତାର ନିୟମିତ ସମୀକ୍ଷା ଏବଂ ଅର୍ଥମନ୍ତ୍ରୀ  ନିଜେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଛନ୍ତି।

୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟ ପାଇଁ ଟେଣ୍ଡରରେ ବୈଶ୍ୱିକ ଟେଣ୍ଡରକୁ ଅନୁମତି ମିଳିବ ନାହିଁ

ଦେଶର ଏମଏସଏମଇ (ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ)କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ବ୍ୟୟ ବିଭାଗ ସାଧାରଣ ଆର୍ଥିକ ନିୟମ, ୨୦୧୭ର ବର୍ତ୍ତମାନର ନିୟମ ୧୬୧ (iv) ଏବଂ ବୈଶ୍ୱିକ ଟେଣ୍ଡର ସମ୍ବନ୍ଧୀୟ ଜିଏଫଆର ନିୟମରେ ସଂଶୋଧନ କରିଛି। ଏଣିକି ୨୦୦ କୋଟି ଟଙ୍କାର ଟେଣ୍ଡର ନିମନ୍ତେ କୌଣସି ବୈଶ୍ୱିକ ଟେଣ୍ଡର ଆହ୍ୱାନ ବା ଗ୍ଲୋବାଲ ଟେଣ୍ଡର ଇନକ୍ୱାରୀ (ଜିଟିଆଇ) ସେପର୍ଯ୍ୟନ୍ତ ଆହ୍ୱାନ କରାଯିବ ନାହିଁ ଯେପର୍ଯ୍ୟନ୍ତ କ୍ୟାବିନେଟ ସଚିବାଳୟରୁ ଏଥିପାଇଁ ପୂର୍ବ ଅନୁମତି ମିଳିନାହିଁ।

ଠିକାଦାରମାନଙ୍କୁ ସହାୟତା

ରେଳବାଇ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ସିପିଡବ୍ଲ୍ୟୁଡି ଭଳି ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଅନୁବନ୍ଧ କିମ୍ବା ଟେଣ୍ଡର ଆଧାରିତ ଦାୟିତ୍ୱକୁ ପୂରଣ କରିବା ଲାଗି ୬ ମାସ ପର୍ଯ୍ୟନ୍ତ ଅଧିକ ସମୟ ସୀମା ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ, ଯେଉଁଥିରେ ଇପିସି ଏବଂ ରିହାତି ବୁଝାମଣା ସହ ଜଡ଼ିତ ଦାୟିତ୍ୱ ମଧ୍ୟ ସାମିଲ ରହିଛି।
ଏ ସଂକ୍ରାନ୍ତରେ ବ୍ୟୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ (କୋଭିଡ-୧୯ ମହାମାରୀ କାରଣ) ଅପ୍ରତ୍ୟାଶିତ ପରିସ୍ଥିତି ବା ବିପର୍ଯ୍ୟୟ ସହ ଜଡ଼ିତ ଧାରା (ଏଫଏମସି)ର ଉପଯୋଗ କରି ଠିକାଦାର/ରିହାତି ପ୍ରାପ୍ତକାରୀଙ୍କ ଉପରେ କୌଣସି ଖର୍ଚ୍ଚ କିମ୍ବା ଜୋରିମାନା ଲାଗୁ କରାନଯାଇ ଅନୁବନ୍ଧ ଅବଧିକୁ ଅତିକମରେ ତିନି ମାସ ଏବଂ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଠିକାଦାର/ଯୋଗାଣକାରୀଙ୍କୁ କାର୍ଯ୍ୟ ପ୍ରଦର୍ଶନ ସଂକ୍ରାନ୍ତ ସିକ୍ୟୁରିଟିର ମୂଲ୍ୟ ଫେରସ୍ତ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ଯାହା ବିଧିବଦ୍ଧ ଭାବେ କରାଯାଇଥିବା ଯୋଗାଣ/ମୋଟ ଅନୁବନ୍ଧ ମୂଲ୍ୟର ସମ୍ପୂର୍ଣ୍ଣ ହୋଇସାରିଥିବା ଅନୁବନ୍ଧ କାର୍ଯ୍ୟ ଅନୁପାତ ହେବ। ଏହାକୁ ବିଭିନ୍ନ ବିଭାଗ/ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।

 ରାଜ୍ୟ ସରକାରଙ୍କୁ ସହାୟତା

ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ଅପ୍ରତ୍ୟାଶିତ ପରିସ୍ଥିତିକୁ ଧ୍ୟାନରେ ରଖି ଅନୁରୋଧ ସ୍ୱୀକାର କରାଯାଇଛି ଏବଂ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟଗୁଡ଼ିକର ଋଣସୀମାକୁ ୩%ରୁ ବଢ଼ାଇ ୬% କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ରାଜ୍ୟଗୁଡ଼ିକୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସମ୍ବଳ ମିଳିପାରିବ।

ଲକଡାଉନ କାରଣରୁ ରାଜସ୍ୱ ଆଦାୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସମୟରେ ଅତ୍ୟଧିକ ସଙ୍କଟର ସମ୍ମୁଖୀନ ହେଉଥିବା ରାଜ୍ୟ ସରକାରଗୁଡ଼ିକର ଆର୍ଥିକ ସ୍ଥିତିକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ପ୍ରୟାସ କରାଯାଇଛି। ଏହି କ୍ରମରେ ବ୍ୟୟ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ଆନୁମାନିକ ଜିଏସଡିପିର ୨ପ୍ରତିଶତ ସହିତ ସମାନ ଅତିରିକ୍ତ ଋଣ ନେବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ତେବେ ଏଥିନିମନ୍ତେ ନିର୍ଦ୍ଦିଷ୍ଟ ରାଜ୍ୟସ୍ତରୀୟ ସୁଧାରକୁ ଲାଗୁ କରିବାକୁ ହେବ।

ଏମଏସଏମଇ ସମେତ ବ୍ୟବସାୟୀଙ୍କ ଲାଗି ୩ଲକ୍ଷ କୋଟି ଟଙ୍କାର ବନ୍ଧକବିନା ସ୍ୱତଃ ଋଣ

ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ୨୯ ଫେବୃଆରୀ, ୨୦୨୦ ସୁଦ୍ଧା ବକେୟା ଥିବା ମୋଟ ଋଣର ୨୦% ଅତିରିକ୍ତ କାର୍ଯ୍ୟଶୀଳ ପୁଞ୍ଜି ରିହାତି ସୁଧ ଦରରେ ସଅବଧି ଋଣ ଆକାରରେ ପ୍ରଦାନ କରାଯିବ। ଏହା ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା ଋଣ ଏବଂ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା ସେସବୁ ୟୁନିଟଗୁଡ଼ିକ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କର ଆକାଉଣ୍ଟକୁ ଷ୍ଟାଣ୍ଡାର୍ଡ ଭାବେ ଗ୍ରହଣ କରାଯିବ। ଏସବୁ ୟୁନିଟଗୁଡ଼ିକୁ ନିଜ ପକ୍ଷରୁ କୌଣସି ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ। ଏହି ଅର୍ଥରାଶି ଉପରେ ଭାରତ ସରକାରଙ୍କର ୧୦୦% ଗ୍ୟାରେଣ୍ଟି ରହିବ। ଏହାର ଅନ୍ତର୍ଗତ ୪୫ ଲକ୍ଷରୁ ଅଧିକ ଏମଏସଏମଇଗୁଡ଼ିକୁ ମୋଟ ୩ ଲକ୍ଷ କୋଟି ଟଙ୍କାର ଲିକୁଇଡିଟି ନଗଦ ପ୍ରବାହ ଉପଲବ୍ଧ କରାଯାଇପାରିବ।

୨୦ ମଇରେ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଅର୍ଥ ସେବା ବିଭାଗ ୨୩ ମଇରେ ଯୋଜନା ପାଇଁ ପରିଚାଳନା ନିର୍ଦ୍ଦେଶାବଳୀ ଜାରି କରିଥିଲା ଏବଂ ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ପାଣ୍ଠି)କୁ ୨୬ ମଇରେ ପଞ୍ଜିକୃତ କରାଗଲା। ପାଖାପାଖି ଦେଢ଼ ମାସର ସ୍ୱଳ୍ପ ଅବଧିରେ ହିଁ ୟୁନିଟଗୁଡ଼ିକୁ ଚିହ୍ନଟ କରାଗଲା ଏବଂ ଏମଏସଏମଇଗୁଡ଼ିକୁ ଋଣ ମଞ୍ଜୁରି ସହିତ ବିତରଣରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହେଲା।

Image Source : PIB

ନାବାର୍ଡ ଜରିଆରେ କୃଷକମାନଙ୍କ ପାଇଁ ୩୦,୦୦୦ କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ସୁବିଧା

କୋଭିଡ-୧୯ ସମୟରେ ଆରଆରବି ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ଲାଗି ନାବାର୍ଡ ପକ୍ଷରୁ ୩୦,୦୦୦ କୋଟି ଟଙ୍କାର ନୂତନ ସ୍ୱତନ୍ତ୍ର ପୁନଃଅର୍ଥ ଲଗାଣ ସୁବିଧାକୁ ମଞ୍ଜୁର କରାଯାଇଛି। ଏହି ବିଶେଷ ସୁବିଧା ୩ କୋଟି କୃଷକ, ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲାଭବାନ କରିବ । ଏହା ଫସଲ କାଟିବା ପରେ ଓ ଖରିଫ ବୁଣିବା ପୂର୍ବରୁ ସେମାନଙ୍କର ଋଣ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ବର୍ତ୍ତମାନ ସମୟରେ ଖରିଫ ଫସଲ ବୁଣାବୁଣି ଖୁବ ଜୋରରେ ଜାରି ରହିଛି। ଏହି ସ୍ୱତନ୍ତ୍ର ସୁବିଧା ଅନ୍ତର୍ଗତ ୩୦,୦୦୦ କୋଟି ଟଙ୍କା ମଧ୍ୟରୁ ୨୪,୮୭୬.୮୭ କୋଟି ଟଙ୍କା  ଜୁଲାଇ ୬ତାରିଖ ସୁଦ୍ଧା ବିତରଣ କରାଯାଇସାରିଛି ।

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories