ଜଗତସିଂହପୁର : ‘ଅଳକା’, ଅଳକା ଉଚ୍ଚ ବିଦ୍ୟାଳୟ, ଅଳକା ହାଇସ୍କୁଲ । ରାଜ୍ୟର ପ୍ରମୁଖ ମଣିଷ ଗଢା କାରଖାନା । ପରାଧୀନ ଭାରତରେ ରାଜ୍ୟରେ ଯେଉଁ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା ତା’ ମଧ୍ୟରୁ ଗୋଟିଏ । ୧୯୪୪ ମସିହାରେ ଜଗତସିଂହପୁର (ଅବିଭକ୍ତ କଟକ) ଜିଲ୍ଲା ବିରିଡି ବ୍ଳକ ବିଲୁଆଖାଇ ନଦୀ କୂଳରେ ଗଢି ଉଠିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନର ଅନେକ କୃତୀ ଛାତ୍ର-ଛାତ୍ରୀ ଏବେ ରାଜ୍ୟ, ଦେଶ ତଥା ବିଦେଶରେ ସୁ-ପ୍ରତିଷ୍ଠିତ ତଥା ସୁନାମ ଅର୍ଜନ କରିଛନ୍ତି । ୭୫ ବର୍ଷରୁ ଅଧିକ ସମୟ ହେବ ଏହି ପ୍ରାଚୀନ ଅନୁଷ୍ଠାନର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଏବେ ଏକାଠି ହୋଇଛନ୍ତି ପୁରାତନ ଛାତ୍ର-ଛାତ୍ରୀ।
ସରକାରୀ ବିଦ୍ୟାଳୟ ଭାବେ ଏହାର ଢେର ସୁନାମ ରହିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହା ଅବହେଳାର ଶିକାର ହୋଇଛି । ଏବେ ସ୍କୁଲର ପୁରାତନ ଛାତ୍ର-ଛାତ୍ରୀ ଗଠନ କରିଛନ୍ତି ଅଳକା ଆଲୁମୁନି ଆସୋସିଏସନ(ଏଏଏ) । ସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏବେ ସ୍କୁଲର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ‘ମୋ ସ୍କୁଲ’ ଅଭିଯାନରେ ବିଦ୍ୟାଳୟର ରୁପାନ୍ତରୀକରଣ କାର୍ଯ୍ୟକ୍ରମରେ ନୂତନ ଗୃହ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ପୁରାତନ ଛାତ୍ର-ଛାତ୍ରୀମାନେ ଏ ଦିଗରେ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ରବିବାର ସ୍କୁଲ ପରିସରରେ ଏଏଏ ସଭାପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜି ଏହି ଅବସରରେ ୧୯୭୯ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନେକ ପୁରାତନ ଛାତ୍ର-ଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଏହି ସ୍କୁଲର ପ୍ରାକ୍ତନ ଛାତ୍ରୀ ତଥା ସେହି ସ୍କୁଲରୁ ଅବସର ନେଇଥିବା ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ସମେତ ୧୩ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସମସ୍ତ ପୁରାତନ ଛାତ୍ର-ଛାତ୍ରୀଙ୍କ ପରାମର୍ଶ ନେଇ କମିଟି ସ୍କୁଲର ଉନ୍ନୟନ ଓ ବିକାଶ କାର୍ଯ୍ୟକୁ ଆଗେଇ ନେବ। ସମସ୍ତ ପୁରାତନ ଛାତ୍ର-ଛାତ୍ରୀ ଏଦିଗରେ ସହଯୋଗ କରିବାକୁ ବୈଠକରେ ନିବେଦନ କରାଯାଇଛି।



