ଓସ୍ତିଆ ଆଶ୍ରମ ବିଦ୍ୟାଳୟର ବିକଳ ଚିତ୍ର, ଗୋଟିଏ କକ୍ଷରେ ଦିନରେ ପଢ଼ୁଛନ୍ତି, ରାତିରେ ଶୋଉଛନ୍ତି

ଭୁବନେଶ୍ୱର : ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାଯତ ଓସ୍ତିଆ ଅନୁସୂଚିତ ଜାତି ଓ ଜନଜାତି। ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଦେଖାଦେଇଥ‌ିବା ବେଳେ ଗୋଟିଏ କକ୍ଷରେ ଛାତ୍ରଛାତ୍ରୀ ଦିନରେ ପାଠ ପଢ଼ିବା ସହ ରାତିରେ ଶୋଉଥ‌ିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହଁ ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ପାଣିଆ ଡ଼ାଲି ଦିଆଯାଉଥ‌ିବା ଅଭିଯୋଗ ହେଉଛି।

ସୂଚନାନୁସାରେ, ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ପାଠ ପଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ଏହି ଯୋଜନା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚୁନି। ଓସ୍ତିଆ ଆଶ୍ରମ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ଓଡ଼ିଆ ଆଶ୍ରମ ବିଦ୍ୟାଳୟ ବେଳେ ୨୫୪ଜଣ ଛାତ୍ରଛାତ୍ରୀ ଅଧଯନ କରୁଛନ୍ତି। ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୩ଜଣ ଶିକ୍ଷକ | ୧୩୮ ଜଣ ଛାତ୍ର ଓ ୪୯ଜଣ ଛାତ୍ର ରହିଥ‌ିବା ବେଳେ ୧୮୭ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି । ୬୭ଜଣ ଛାତଛାତ୍ରୀ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ରହିବା ପାଇଁ ୨ଟି ହଷ୍ଟେଲର ସୁବିଧା ରହିବା ନିୟମ ରହିଥିଲେ ମଧ୍ୟ ଗୃହ ଅଭାବରୁ ୨ଟି ଶ୍ରେଣୀ କକ୍ଷରେ ସେମାନେ ଜଣାପଡ଼ିଛି।

ଅଭିଭାବକମାନେ ବିଭିନ୍ନ ଜିଲାରୁ ଓସ୍ତିଆ ଆଶ୍ରମ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଉଛନ୍ତି । କିନ୍ତୁ ଏଠି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଫେଲ ମାରିଛି । ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଦିନରେ ପାଠପଢ଼ି ସାରିବା ପରେ ରାତିରେ ଚେୟାର, ଟେବୁଲ ଘୁଞ୍ଚାଇ ସେହି ଘରେ ହିଁ ଶୋଉଛନ୍ତି।

ଏହି ସମସ୍ୟା ଅନେକ ଦିନରୁ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଗୃହ ଅଭାବରୁ ଗୋଟିଏ କକ୍ଷରେ ୩୦ରୁ ଉର୍ଦ୍ଧ୍ବ ପିଲାଙ୍କୁ ରଖାଯାଉଛି। ଏତେ ସଂଖ୍ୟକ ପିଲା ରହିବା ଦ୍ବାରା ରାତିରେ ପାଠ ପଢ଼ିବା ଓ ଫ୍ୟାନ୍ ପବନ ହେଉନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ସମସ୍ୟା ଲାଗିଥିବା ବେଳେ ଡାକ୍ତରୀ ଦଳ ଆସୁନାହାନ୍ତି । ଫଳରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଅଟୋ ଯୋଗେ ଚିକିତ୍ସାଳୟକୁ ନେଇଥାନ୍ତି।

ସରକାରୀ ଅଧିକାରୀମାନେ ଶିକ୍ଷକ ପଦବୀ ପୂରଣ କରିବା କିମ୍ବା ଶ୍ରେଣୀ ଗୃହ ନିର୍ମାଣ କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି। ଭୋଜନରେ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଭାତ ସାଙ୍ଗକୁ ପାଣିଆ ଡ଼ାଲି କିମ୍ବା ପାଣିଆ ତରକାରୀ ଦିଆଯାଉଥ‌ିବା ନେଇ ଅଭିଯୋଗ ହୋଇଛି। ଶାଳଝରିଆ ଗ୍ରାମର ମା’ ବ୍ରାହ୍ମଣଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ନେଇଛି। ତେବେ ବିଦ୍ୟାଳୟର ସମସ୍ତ ସମସ୍ୟା କେବେ ସମାଧାନ ହେବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ସ୍ଵରାଜ ରାୟ ଏନେଇ ଉପରିସ୍ଥ ଅଧିକାରୀ ଓ ବିଡ଼ିଓଙ୍କୁ ଜଣାଇଥିବା କହିଛନ୍ତି।

Comments are closed.