ଚାମରାଜନଗର : କର୍ଣ୍ଣାଟକର ଚାମରାଜନଗର ଜିଲାସ୍ଥିତ ଗୁଣ୍ଡୁପେଟେରେ ଜଣେ ବ୍ୟକ୍ତି ବିଚ୍ ରାସ୍ତାରେ ନିଜ ପରିବାର ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଗୁଣ୍ଡୁପେଟେ ଅଞ୍ଚଳର ଓଟି ରାସ୍ତାରେ ଶୁକ୍ରବାର ସକାଳେ ଏହି ଅଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମିଳିଥିବ ସୂଚନା ଅନୁଯାୟୀ, ମହୀଶୁରରେ ରହୁଥିବା ଓମ୍ ପ୍ରକାଶ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ପ୍ରାୟ ୬୦ କିଲୋମିଟର ଦୂରରେ ଗୁଣ୍ଡଲୁପେଟେର ନନ୍ଦୀ ଲଜରେ ରୁମ୍ ବୁକ୍ କରିଥିଲେ । ଗୁରୁବାର ଦିନ ନିଜ ପରିବାର ସହ ସେ ଏଠାରେ ପହଞ୍ଚିଥିଲେ । କିଛି ସମୟ ଲଜରେ ରହିବା ପରେ ପରିବାରର ସମସ୍ତଙ୍କୁ ସାଙ୍ଗରେ ଧରି ଓମ୍ ପ୍ରକାଶ ବାହାରକୁ ବୁଲିବା ପାଇଁ ଯାଇଥିଲେ । ଲଜ୍ ଠାରୁ ପ୍ରାୟ ଏକ କିମି ଦୂରତାକୁ ଯିବା ପରେ ଏକ ନିଛାଟିଆ ସ୍ଥାନରେ ନିଜ ବନ୍ଧୁକ ବାହାର କରି ଗୁଳି ବର୍ଷଣ କରିବା ଆରମ୍ଭ କରିଥିଲେ । ପ୍ରଥମେ ପିତାମାତା, ଗର୍ଭବତୀ ସ୍ତ୍ରୀ ଏବଂ ପୁଅ ଗୁଳି କରି କରିଥିଲେ । ପରେ ନିଜକୁ ମଧ୍ୟ ଗୁଳି କରିଥିଲେ । କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ସମସ୍ତେ ଟଳି ପଡିଥିଲେ ।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ମଧ୍ୟ ଜଣାପଡିନାହିଁ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।



