ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍ ଦୁର୍ନୀତି ମାମଲା ସହ ସଂପୃକ୍ତି ଅଭିଯୋଗରେ ସିବିଆଇ ଦ୍ବାରା ଗରିଫ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍ଙ୍କୁ ଗୁରୁବାର ସିବିଆଇ ମୁଖ୍ୟାଳୟରେ ଜେରା କରାଯାଉଛି। ଆଜି ଦିନ ୨ଟାରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ ବୁଧବାର ରାତିରେ ନୂଆଦିଲ୍ଲୀର ଜୋରବାଗ୍ ସ୍ଥିତ ତାଙ୍କ ବାସଭବନରୁ ସିବିଆଇ ତାଙ୍କୁ ଗିରଫ୍ କରିଥିଲା। ଗିରଫ କରାଯିବା ପରେ ତାଙ୍କୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଶ୍ରୀ ଚିଦାମ୍ବରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଗତ ମଙ୍ଗଳବାର ଦିନ ଖାରଜ କରିବା ପରେ ସିବିଆଇ ତାଙ୍କୁ ଖୋଜୁଥିଲା। ଗିରଫ୍ରୁ ସୁରକ୍ଷା ଲୋଡ଼ି ୭୩ ବର୍ଷ ବୟସ୍କ ଚିଦାମ୍ବରମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନ ଉପରେ ବୁଧବାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଥିଲେ।
ଶ୍ରୀ ଚିଦାମ୍ବରମ୍ ଗତକାଲି ସନ୍ଧ୍ୟାରେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିବା ପରେ ତାଙ୍କୁ ଗିରଫ୍ କରାଯାଇଥିଲା । ଚିଦମ୍ବରମ୍ ଅର୍ଥମନ୍ତ୍ରୀ ଥିଲାବେଳେ ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍ ପାଇଁ ବିଦେଶୀ ପୁଞ୍ଜିନିବେଶ ଅନୁମତି ଦେବା କ୍ଷେତ୍ରରେ ଦୁର୍ନୀତି ସଂକ୍ରାନ୍ତରେ ତାଙ୍କୁ ହାଜତରେ ରଖି ଜେରା କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ଗତବର୍ଷ ଜେରା ପାଇଁ ଶ୍ରୀ ଚିଦମ୍ବରମଙ୍କୁ ଡକାଯାଇଥିଲା କିନ୍ତୁ ସେ ବୟାନ ରେକର୍ଡ ସକାଶେ ଆସିନଥିଲେ ବୋଲି ସିବିଆଇ କହିଛି।
ସେ ଅର୍ଥମନ୍ତ୍ରୀ ଥିବା ସମୟରେ ୨୦୦୭ ମସିହାରେ ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍କୁ ବୈଦେଶିକ ପୁଞ୍ଜିନିବେଶ ବୋର୍ଡ ଏଫ୍ଆଇପିବିରୁ ଅନୁମତି ପ୍ରଦାନ କ୍ଷେତ୍ରରେ ଅନିୟମିତତା ହୋଇଛି ବୋଲି ୨୦୧୭ ମେ’ ମାସରେ ସିବିଆଇ ତା’ର ଏତଲାରେ ଦର୍ଶାଇଥିଲା। ସେହି ସମୟରେ ଆଇଏନ୍ଏକ୍ସ ମିଡିଆ ଗ୍ରୁପ୍ ବିଦେଶରୁ ୩୦୫ କୋଟି ଟଙ୍କାର ପୁଞ୍ଜିନିବେଶ ଗ୍ରହଣ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୮ ମସିହାରେ ତାଙ୍କ ବିରୋଧରେ କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ମାମଲା ରୁଜୁ କରିଥିଲା।



