ଆହୁରି ବଢ଼ିପାରେ ତୈଳ ଦର

0

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦୈନିକ ତୈଳ ମୂଲ୍ୟ ସଂଶୋଧନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ଏହି ନିଷ୍ପତ୍ତି ଉପଭୋକ୍ତାଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଥିଲେ ହେଁ ତୈଳ ବିତରଣ କମ୍ପାନୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଦେଶର ପ୍ରମୁଖ ତିନି ରାଷ୍ଟ୍ରାୟତ୍ତ ତୈଳ ବିତରଣ କମ୍ପାନୀଙ୍କ ଲିଟର ପିଛା ଲାଭାଂଶ ଏପ୍ରିଲ୍‍ ୧ ତାରିଖରେ ୩.୫ ଟଙ୍କା ଥିବା ବେଳେ ମେ’ ୧ ତାରିଖରେ ୧.୯ ଟଙ୍କାକୁ ହ୍ରାସ ପାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ୮ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ୍‍ ପିଛା ୬୩.୭୬ ଡଲାରରୁ ୬୮.୮୮ ଡଲାରକୁ ବୃଦ୍ଧି ପାଇଛି। ଏହି ଆଧାରରେ ଗତ ସପ୍ତାହେ ହେଲା ଭାରତରେ ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ଯଥାକ୍ରମେ ୭୪.୬୩ ଟଙ୍କା ଓ ୬୫.୯୩ ଟଙ୍କାକୁ ବୃଦ୍ଧି ପାଇଛି। ଏକପକ୍ଷରେ ବର୍ଦ୍ଧିତ ମୂଲ୍ୟ ଉପଭୋକ୍ତାଙ୍କୁ ବାଧୁଥିବା ବେଳେ ତୈଳ କମ୍ପାନୀମାନେ ମଧ୍ୟ କ୍ଷତି ସହୁଥିବା ଦର୍ଶାଇ ଆହୁରି ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି। ଗତ ଗୁଜରାଟ୍‍ ବିଧାନସଭା ଅବସରରେ ଦୈନିକ ତୈଳ ମୂଲ୍ୟ ସଂଶୋଧନକୁ କେନ୍ଦ୍ର ସରକାର ସ୍ଥଗିତ ରଖିଥିଲେ। ଏହାଦ୍ୱାରା ତୈଳ ବିତରକ କମ୍ପାନୀମାନେ ଯେଉଁ କ୍ଷତି ସହିଥିଲେ ତାହାକୁ ପରବର୍ତ୍ତୀ ସମୟରେ ଭରଣା କରିପାରିବେ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ତେଣୁ କର୍ଣ୍ଣାଟକ ନିର୍ବାଚନ ପରେ ବର୍ତ୍ତମାନର କ୍ଷତିଭରଣା ପାଇଁ ତୈଳ କମ୍ପାନୀମାନେ ପୁଣି ତୈଳ ଦର ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେନ୍ଦ୍ରସରକାର ପେଟ୍ରୋଲ୍‍ରେ ଲିଟର ପିଛା ୧୯.୪୮ ଟଙ୍କା ଓ ଡିଜେଲ୍‍ରେ ଲିଟର ପିଛା ୧୫.୩୩ ଟଙ୍କା ଧାର୍ଯ୍ୟ କରିଛନ୍ତି। ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୨ଟଙ୍କା ହ୍ରାସ କରିଥିବା ବେଳେ ଏହାଦ୍ୱାରା ରାଜକୋଷର ୧୩୦୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି କହିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟସରକାରମାନେ ଭାଟ୍‍ ହ୍ରାସ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଉପଭୋକ୍ତାଙ୍କୁ ତୈଳ ମୂଲ୍ୟ ବୃଦ୍ଧି ଜନିତ ସମସ୍ୟାରୁ ନିସ୍ତାର ମିଳିବା ସମ୍ଭାବନା କମ୍‍।

Leave A Reply