ନୂଆଦିଲ୍ଲୀ: ଆକାଶବାଣୀ ଏବଂ ଦୂରଦର୍ଶନ ଭାରତୀୟ ସଂସ୍କୃତି ଏବଂ ଶାସ୍ତ୍ରୀୟ ସଂଗୀତକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରସାର ଭାରତୀ ଅଧ୍ୟକ୍ଷ ଡକ୍ଟର ଏ.ସୂର୍ଯ୍ୟପ୍ରକାଶ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଓଡିଶା ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ଡକ୍ଟର ସୂର୍ଯ୍ୟପ୍ରକାଶ କହିଛନ୍ତି ସଂସଦ ପ୍ରସାରଭାରତୀକୁ ଦେଶର ପରମ୍ପରାକୁ ଉଜ୍ଜୀବିତ ରଖିବା ଦାୟିତ୍ୱ ଅର୍ପଣ କରିଛି।
ସେ କହିଛନ୍ତି, ବେସରକାରୀ ଚ୍ୟାନେଲଗୁଡିକ କେବଳ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ଦୂରଦର୍ଶନ ଏବଂ ଆକାଶବାଣୀ ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖି ପାରିଛି। ଏହି ଅବସରରେ ସେ ଜନସାଧାରଣଙ୍କୁ ଯାଞ୍ଚ ନ କରି କୌଣସି ବାର୍ତ୍ତା ନ ପଠେଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଉତ୍ସବରେ ପତ୍ର ସୂଚନା କାର୍ଯ୍ୟାଳୟ ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କର, ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଦସ୍ୟ ପ୍ରଫେସର ସୁଷମା ଯାଦବ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।



