ଭୋପାଳ/ମୁମ୍ବଇ/ପାଟଣା : ଦେଶର ଭିନ୍ନ ଭିନ୍ନ ଭାଗରେ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି।
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ, ଚାଷ ଜମି ଓ ଅନ୍ୟାନ୍ୟ ସ୍ଥାନରେ ପାଣି ଜମି ରହିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ମୁଷଳଧାରାରେ ହେବା ସହ ସମସ୍ତ ନଦୀ ଓ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ଖଣ୍ଡୱା, ସେଓପୁର, ଶାଜାପୁର ଓ ସେହୋର୍ ଆଜି ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖାଦେଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ୨୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସେହି ଜିଲ୍ଲାଗୁଡ଼ିକ ପାଇଁ କଡ଼ା ସତର୍କତା ଜାରି କରିଛି।
ମୁମ୍ବଇ ଓ ଏହାରେ ସହରତଳି ଅଞ୍ଚଳରେ ଗତକାଲି ଦିନସାରା ଅଳ୍ପରୁ ମଧ୍ୟମ ବର୍ଷା ଲାଗିରହିଥିଲା। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ଶତକଡ଼ା ୭୨ ଭାଗ ଅଧିକ ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଉତ୍ତର ଓ ପଶ୍ଚିମ ମହାରାଷ୍ଟ୍ରର ବିଭିନ୍ନ ବନ୍ଧରୁ ପାଣି ଛଡ଼ାଯାଉଛି। ମୁଥା ଓ ଗୋଦାବୀରୁ ନଦୀକୂଳରେ ଅବସ୍ଥିତ ଗ୍ରାମଗୁଡ଼ିକୁ ସତର୍କତା ଜାରି କରାଯାଇଛି।
ସେହିପରି ବିହାରରେ ଆହୁରି ଅଧିକ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ଉତ୍ତର ଭାଗରେ ବର୍ଷା ହେବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଅନେକ ନଦୀରେ ମୃତ୍ତିକା କ୍ଷୟର ଖବରମାନ ଆସି ପହଞ୍ଚୁଛି। ପୂର୍ବ ଚମ୍ପାରନ୍, ସୀତାମାଢ଼ୀ ଓ ଦରଭଙ୍ଗା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍କଟଜନକ ରହିଛି।



