କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ. ଆର. ରମେଶ କୁମାର ଇସ୍ତଫା ଦେଇଥିବା ୧୩ ଜଣ ବିଧାୟକଙ୍କ ଇସ୍ତଫା ପତ୍ର ମଧ୍ୟରୁ ୮ଟି ଇସ୍ତଫା ପତ୍ର ଅଗ୍ରାହ୍ୟ କରିଛନ୍ତି। ମଙ୍ଗଳବାର ବାଚସ୍ପତି ୧୩ଟି ଯାକ ଇସ୍ତଫା ପତ୍ର ଯାଞ୍ଚ କଲାବେଳେ ସେଥିରୁ ମାତ୍ର ୫ଟି ସଠିକ ଢଙ୍ଗରେ ଥିବା ପାଇଥିଲେ। ସେହି ପାଞ୍ଚ ବିଧାୟକ ହେଉଛନ୍ତି ଆନନ୍ଦ ସିଂହ, ନାରାୟଣ ଗୌଡ଼, ପ୍ରତାପ ଗୌଡ଼ ପାଟିଲ, କେ. ଗୋପାଳ ଏବଂ ରାମଲିଂଗ ରେଡ୍ଡୀ।
ବାଚସ୍ପତି କହିଛନ୍ତି, ଯେଉଁମାନଙ୍କ ଇସ୍ତଫା ପତ୍ର ସଠିକ ଢଙ୍ଗରେ ନାହିଁ ସେମାନଙ୍କୁ ଆଉଥରେ ଇସ୍ତଫା ପତ୍ର ଦେବାକୁ କୁହାଯାଇଛି। ଅନ୍ୟ ୮ଟି ଇସ୍ତଫା ପତ୍ର କର୍ଣ୍ଣାଟକ ବିଧାନସଭା କାର୍ଯ୍ୟଧାରା ସଂଖ୍ୟା ୨୦୨ ଅନୁଯାୟୀ ନ ଥିବାରୁ ସେଗୁଡିକୁ ଅଗ୍ରାହ୍ୟ କରାଯାଇଥିବା ବାଚସ୍ପତି କହିଛନ୍ତି। ବିଧାୟକ ଏସ. ଟି. ସୋମଶେଖର, ଏଚ ବିଶ୍ୱନାଥ, ମୁନୀରତ୍ନ, ବିଏ ବାସବରାଜ,ବିସି ପାଟିଲ, ରମେଶ ଜାର୍କୀହୋଲି, ଶିବରାମ ହିବାର ଏବଂ ମହେଶ କୁମଥାଳିଙ୍କୁ ପୁଣି ଥରେ ଇସ୍ତଫା ପତ୍ର ଦେବାକୁ ହେବ। ଅନ୍ୟପକ୍ଷରେ ବାଚସ୍ପତି ରାଜ୍ୟପାଳଂକୁ ଲିଖିତ ଭାବେ ଜଣାଇଛନ୍ତି ଯେ, ଇସ୍ତଫା ଦେଇଥିବା କୌଣସି ବିଧାୟକ ତାଙ୍କୁ ସାକ୍ଷାତ କରି ନାହାନ୍ତି।



