ନୂଆଦିଲ୍ଲୀ: ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସମୟରେ ଇଭିଏମର ଭୋଟଗୁଡ଼ିକ ସହିତ ସମସ୍ତ ଭିଭିପାଟ୍ ସ୍ଲିପକୁ ମିଳାଇବା ପାଇଁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଏହି ପିଟିଶନକୁ ବିରକ୍ତିକର ବୋଲି କହିଛନ୍ତି। ବାରମ୍ବାର ଏଭଳି ଆବେଦନ ଉପରେ କୋର୍ଟ ଶୁଣାଣି କରିପାରିବେ ନାହିଁ। ନିଜ ପ୍ରତିନିଧିଙ୍କୁ ଚୟନ କରୁଥିବା ଲୋକଙ୍କ ରାସ୍ତାରେ କୋର୍ଟ ଆସିପାରିବେ ନାହିଁ। ଦେଶକୁ ତା’ର ସରକାର ନିର୍ବାଚିତ କରିବାକୁ ଦିଆଯାଉ ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି।
ସୂଚନାଯୋଗ୍ୟ, ଚେନ୍ନାଇସ୍ଥିତ ‘ଟେକ୍ ଫର ଅଲ’ ନାମକ ସଂଗଠନ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ତେବେ ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ସୁପ୍ରିମକୋର୍ଟଙ୍କ ଏକ ବୃହତ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇସାରିଥିବାରୁ ପୁଣି ଥରେ ଅନୁରୂପ ପିଟିଶନର ଶୁଣାଣି ହୋଇପାରିବ ନାହିଁ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।



