ନୂଆଦିଲ୍ଲୀ: ଏକ ଛୋଟିଆ ଘଟଣାକୁ ନେଇ ଜଣେ ୮ବର୍ଷର ବାଳକ ପ୍ରତିଶୋଧ ପରାୟଣ ହୋଇ ଏକ ଦେଢ଼ବର୍ଷର ଶିଶୁକୁ ପାଣିରେ ବୁଡ଼ାଇ ହତ୍ୟା କରିଛି। ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତର ଜଣେ ଭାଇ ତଳେ ପଡ଼ି ଆହତ ହୋଇଯାଇଥିଲା। ଏଥିପାଇଁ ଶିଶୁଟରି ବଡ଼ ଭଉଣୀକୁ ଅଭିଯୁକ୍ତ ବାଳକ ଦାୟୀ କରିବା ସହ ପ୍ରତିଶୋଧ ନେବା ଲାଗି ତା’ର ଛୋଟ ଭାଇ(ଦେଢ଼ବର୍ଷ)କୁ ହତ୍ୟା କରିଥିବା ପୁଲିସ କହିଛି।
ପୁଲିସ ସୂଚନା ମୁତାବକ, ମୃତ ଶିଶୁର ମା’ ଉତ୍ତର ପ୍ରଦେଶରୁ ଆସି ଏହି ଅଞ୍ଚଳରେ ମଜୁରି ଲାଗି କାମ କରୁଛନ୍ତି। ଶୁକ୍ରବାର ରାତିରେ ସେ ଏବଂ ତାଙ୍କ ବଡ଼ ଝିଅ ଘରର ଛାତ ଉପରେ ଶୋଇଥିଲେ। ଶନିବାର ସକାଳେ ସେ ତାଙ୍କ ଛୋଟ ପୁଅକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ। ଏ ନେଇ ସେ ଥାନାକୁ ଫୋନ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପିଲାଟିକୁ ଖୋଜାଖୋଜି କରିବା ପରେ ନିକଟରେ ଥିବା ଏକ ଡ୍ରେନରେ ତା’ର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଦକ୍ଷିଣ ଦିଲ୍ଲୀର ଡିସିପି ବିଜୟ କୁମାର କହିଛନ୍ତି, ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ସ୍ଥାନୀୟ ଜଣେ ୮ବର୍ଷ ବାଳକ ମଧ୍ୟ ଶନିବାର ସକାଳୁ ନିଖୋଜ ଥିଲା। ପୁଲିସ ତାକୁ ଖୋଜାଖୋଜି କରି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଠାବ କରିଥିଲେ। ତାକୁ ପଚରାଉଚରା ପରେ ସେ ଶିଶୁଟିକୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା କହିଥିଲା। ଏହାର କାରଣ ହେଉଛି କିଛିଦିନ ତଳେ ଅଭିଯୁକ୍ତ ନାବାଳକର ସାନ ଭାଇ ଖେଳୁଥିବା ବେଳେ ତଳେ ପଡ଼ିଯାଇଥିଲା। ମୃତ ଶିଶୁର ବଡ଼ ଭଉଣୀ ତାର ଭାଇକୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲା। ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ଏଭଳି କାଣ୍ଡ କରିଥିବା କହିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଛି।



