ମୁମ୍ବଇ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଉଡ଼ାଣ ବନ୍ଦ କରିଦେବା ପରେ ଜେଟ୍ ଏୟାରୱେଜ କର୍ମଚାରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ମୁମ୍ବଇରେ ଜଣେ ଜେଟ୍ କର୍ମଚାରୀ ଶନିବାର ନିଜ ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଉକ୍ତ କର୍ମଚାରୀଙ୍କ ନାମ ଶୈଲେଶ ସିଂ। ସେ କର୍କଟ ରୋଗରେ ପୀଡ଼ିତ ଥିବା କୁହାଯାଉଛି। କମ୍ପାନୀ ଅସ୍ଥାୟୀ ଭାବେ ବନ୍ଦ ହେବା ପରେ ତାଙ୍କର ଆର୍ଥିକ ସମସ୍ୟା ବଢ଼ିଯାଇଥିଲା। ୪୫ ବର୍ଷୀୟ ଶୈଲେଶ ପାଲଘରର ନାଲାସୋପାରା ଅଞ୍ଚଳରେ ରହୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଛାତ ଉପରେ ବସିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ତେବେ ଜେଟ୍ ଏୟାରୱେଜର ଆର୍ଥିକ ସଙ୍କଟ ଦେଖାଦେବା ପରେ ଶୈଲେଶ ପ୍ରଥମ କର୍ମଚାରୀ ଯିଏକି ଆତ୍ମହତ୍ୟା କରିଛନ୍ତି ବୋଲି ଅନ୍ୟ କର୍ମଚାରୀମାନେ ଦାବି କରିଛନ୍ତି। ପୁଲିସ କହିବା ଅନୁଯାୟୀ, ଏଯାଏ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ। ଶୈଲେଶଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୨ପୁଅ ଓ ୨ ଝିଅ ଅଛନ୍ତି। ତାଙ୍କର ଜଣେ ପୁଅ ମଧ୍ୟ ଜେଟ୍ ଏୟାରୱେଜର ସଞ୍ଚାଳନ ବିଭାଗରେ କାର୍ଯ୍ୟ କରୁଛନ୍ତି।



