ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସହିତ ସୀମା ପାର ବାଣିଜ୍ୟକୁ ଭାରତ ଗତ ସପ୍ତାହରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଛି। ଆତଙ୍କବାଦୀମାନେ ସୀମା ପାର ବାଣିଜ୍ୟ ବ୍ୟବସ୍ଥାର ଫାଇଦା ଉଠାଇ ଭାରତକୁ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏବେ ରିପୋର୍ଟ ମିଳିଛି ଯେ, ପାକିସ୍ତାନର ୧୦ଟି ଆତଙ୍କବାଦୀ ସଂଗଠନ ଜାମ୍ମୁ-କାଶ୍ମୀରକୁ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଏବଂ ଜାଲ ନୋଟ୍ ଚୋରା ଚାଲାଣ କରୁଥିଲେ। ଏଥିରେ ସେମାନଙ୍କୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ସହାୟତା କରୁଥିଲା ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି।
ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଏଠାରେ ଥିବା ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଠି ଯୋଗାଉଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। ଏଥିପାଇଁ ନିୟନ୍ତ୍ରଣ ରେଖାରେ ସୀମା ପାର ବାଣିଜ୍ୟ ବ୍ୟବସ୍ଥାର ଦୁରୂପୋଯୋଗ କରାଯାଉଥିଲା।
ରିପୋର୍ଟ ମୁତାବକ, ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ବଶରତ ଅହମଦ ଭଟ, ଶବିର ଇଲ୍ଲାହୀ, ଶୋକତ ଅହମଦ ଭଟ, ନୂର ମହମ୍ମଦ ଭନାଇ, ଖୁର୍ସିଦ, ଇମତିୟାଜ ଅହମଦ ଖାନ, ଅମିର, ସୟିଦ ଅଜୟ ଅହମଦ ଶାହ, ରହମାନୀ, ମେହରାଜୁଦ୍ଦିନ ଭଟ ଏବଂ ନାଜିର ଅହମଦ ଭଟ। ଏହି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ମୂଳ ବାସିନ୍ଦା ହୋଇଥିବାବେଳେ ଅନେକ ବର୍ଷ ହେବ ପାକିସ୍ତାନରେ ରହିଆସୁଛନ୍ତି। ଏମାନେ ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ପିଓକେର ମୁଜାଫରବାଦରେ ରହି ଏହି କାରବାରକୁ ପରିଚାଳନା କରୁଥିଲେ। ପାକିସ୍ତାନ ପଟୁ ଡ୍ରାଏ ଫ୍ରୁଟ୍ସ ଏବଂ ଆମ୍ବ ଭାରତକୁ ଆସୁଥିବାବେଳେ ଏମାନେ ଆଇଏସଆଇ ସହାୟତାରେ ବିଚ୍ଛିନ୍ନତାବାଦୀଙ୍କ ପାଇଁ ଟଙ୍କା ପଠାଇଥାନ୍ତି ବୋଲି ଏନଆଇଏର ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଏପରି କି ପାକିସ୍ତାନରେ ଏମାନଙ୍କର ନିଜର ଫାର୍ମ ରହିଛି। ସେଥିରୁ ଉତ୍ପାଦିତ ସାମଗ୍ରୀକୁ ସେମାନେ ଜାମ୍ମୁ-କାଶ୍ମୀରରେ ରହୁଥିବା ସେମାନଙ୍କ ସମ୍ପର୍କୀୟଙ୍କ ନିକଟକୁ ସମୟରେ ବିଭିନ୍ନ ବେଆଇନ ସାମଗ୍ରୀ ଚୋରା ଚାଲାଣ କରୁଥିବା ଆତଙ୍କବାଦୀ ନିରୋଧୀ ତଦନ୍ତ ସଂସ୍ଥା ତଦନ୍ତରୁ ଜାଣିବାକୁ ପାଇଛି।
ମେହରାଜୁଦ୍ଦିନ ଭଟର ଘର ଜାମ୍ମୁ-କାଶ୍ମୀରର ଟ୍ରାଲ ଅଞ୍ଚଳରେ। କିନ୍ତୁ ସେ ଦଶନ୍ଧି ତଳେ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପରେ ପାକିସ୍ତାନ ଚାଲିଯାଇଛି। ସେଠାରେ ତା’ର ମେହରାଜୁଦ୍ଦିନ ଟ୍ରେଡର୍ସ ନାମକ ସଂସ୍ଥା ରହିଛି। ଏପଟେ ଜାମ୍ମୁ-କାଶ୍ମୀରରେ ତାର ଭାଇ ରହି ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ସୀମାପାର ବାଣିଜ୍ୟ ବ୍ୟବସ୍ଥାରେ ପଞ୍ଜୀକରଣ କରାଇ କାରବାର ଚଳାଇଥିଲା। ସେହିପରି ଅନ୍ୟ ଆତଙ୍କୀମାନେ ମଧ୍ୟ ନିଜ ସମ୍ପର୍କୀୟଙ୍କ ଜରିଆରେ ଚୋରା ଚାଲାଣ କରିଆସୁଥିଲେ।



