ଭଦ୍ରକ ଲୋକସଭା କ୍ଷେତ୍ରରେ ଏଥର ୧ଲକ୍ଷ ୯୨ ହଜାର ନୂଆ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେହିଭଳି ଲୋକସଭା କ୍ଷେତ୍ରରେ ୧ଲକ୍ଷରୁ ଅଧିକ ସଂଖ୍ୟାଲଘୁ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ଯଦି ଅନ୍ୟୂନ ୭୦% ଭୋଟର ମତଦାନ କରନ୍ତି ତେବେ ନୂଆ ଓ ସଂଖ୍ୟାଲଘୁ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ଟପିଯିବ। ଲୋକସଭା କ୍ଷେତ୍ରରେ ହୋଇଥିବା ଦଳବଦଳ ଓ ପରିବର୍ତ୍ତିତ ରାଜନୈତିକ ସମୀକରଣରେ ଏହି ୨ଲକ୍ଷ ମତଦାତା ହିଁ ହାର୍ଜିତ୍ରେ ନିର୍ଣ୍ଣାୟକ ହେବେ ବୋଲି ପର୍ଯ୍ୟବେକ୍ଷକ ମହଲର ଆକଳନ।
ଭଦ୍ରକ : ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଲୋକସଭା ଆସନ ପାଇଁ ମତଦାନ ହେବ । ପ୍ରତିଦ୍ୱନ୍ଦ୍ୱିତା ତ୍ରିମୁଖୀ ହେବ ବୋଲି ଆପାତତଃ ଆକଳନ କରାଯାଉଛି। ଭୋଟରଙ୍କ ମାନସିକତାକୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଦ୍ୱନ୍ଦ୍ୱରେ ଥିବାରୁ ଭୋଟ ଅଙ୍କ ଆକଳନ କରିବାରେ ସମର୍ଥ ହୋଇପାରିନାହାନ୍ତି। ଏହି ଆସନରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଂଜୁଲତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ଓ ବିଜେପିରୁ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯାଇଛି। ତିନିଜଣ ଯାକ ପ୍ରାର୍ଥୀ ପାରିବାରିକ ଅଭିଜ୍ଞତା ସହ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିସହ ନିଜ ନିଜ ‘ଦଳର ବଳ’ ତାଙ୍କୁ ପୁରା ସାଥ୍ ଦେଉଛି।
୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କୁ ୧ଲକ୍ଷ ୮୦ ହଜାର ଭୋଟରେ ପରାସ୍ତ କରିଥିଲେ। ବିଜେପି ତୃତୀୟ ସ୍ଥାନରେ ରହିଥିଲା। ୨୦୧୯ ନିର୍ବାଚନରେ ବିଜୟ ବ୍ୟବଧାନ ହ୍ରାସ ପାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ଇତିମଧ୍ୟରେ ଏହି ଲୋକସଭା ଆସନରେ ବିଜେପି ନିଜ ସାଙ୍ଗଠନିକ ଶକ୍ତିବୃଦ୍ଧି କରିଥିବା ବେଳେ କଂଗ୍ରେସ କର୍ମୀ ମଧ୍ୟ ଉତ୍ସାହିତ ଅଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଆକଳନ ଅନୁଯାୟୀ, ବିଜେପିର ଶକ୍ତିିବୃଦ୍ଧି ପରେ ଜୟ-ପରାଜୟର ନିର୍ଣ୍ଣୟ ଯଦି ସ୍ୱଳ୍ପ ବ୍ୟବଧାନରେ ହୁଏ ତେବେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପଥ ସୁଗମ ହୋଇପାରେ। ଅପରପକ୍ଷରେ ଗଡ଼ ତଥା ସମ୍ମାନ ରକ୍ଷା ଲାଗି ବିଜେଡି ଉଦ୍ୟମ ଜାରି ରଖିଛି। ସବୁ ବିଧାନସଭା କ୍ଷେତ୍ରରେ ମଜବୁତ ସଂଗଠନକୁ ନେଇ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରୁଛି। ଏଭଳି ସ୍ଥିତିରେ ଏଥରକ ଲଢେଇରେ ନୂଆ ଭୋଟର ଓ ସଂଖ୍ୟାଲଘୁ ଭୋଟରଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହୋଇପାରେ। ୨୦୧୪ ନିର୍ବାଚନରେ ଲୋକସଭା କ୍ଷେତ୍ରର ଭୋଟର ସଂଖ୍ୟା ଥିଲା ୧୪ଲକ୍ଷ ୬୬ହଜାର। ୨୦୧୯ ନିର୍ବାଚନରେ ଭୋଟର ସଂଖ୍ୟା ୧୬ଲକ୍ଷ ୫୮ ହଜାରକୁ ବୃଦ୍ଧି ପାଇଛି। ଅର୍ଥାତ ୧ଲକ୍ଷ ୯୨ ହଜାର ନୂଆ ଭୋଟର। ଯଦି ମତଦାନ ୭୦ ପ୍ରତିଶତ ରହେ ତେବେ ୧ଲକ୍ଷ ୩୪ ହଜାର ନୂଆ ଭୋଟର କାହାକୁ ପସନ୍ଦ କରିବେ ତାହା ବହୁମୂଲ୍ୟର ପ୍ରଶ୍ନ ହୋଇଛି। କୁହାଯାଉଛି ଯେ, ନୂଆ ଭୋଟରଙ୍କ ମଧ୍ୟରୁ କିଛି ଶତାଂଶ ଦଳକୁ ଗୁରୁତ୍ୱ ଦେଇପାରନ୍ତି ତ କିଛି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇପାରନ୍ତି। ସୋସିଆଲ ମିଡିଆରେ ପ୍ରଚାର ଅନେକ ନୂଆ ଭୋଟରଙ୍କୁ ପ୍ରଭାବିତ କରିବ। ଏଣୁ ନୂଆ ଭୋଟରଙ୍କୁ ମନାଇବାରେ ଯେଉଁ ଦଳ ଓ ପ୍ରାର୍ଥୀ ସଠିକ ରଣନୀତି ଆପଣାଇବେ ସେହି ଦଳ ଓ ପ୍ରାର୍ଥୀ ହିଁ ଫାଇଦାରେ ରହିବେ। ଏ କ୍ଷେତ୍ରରେ ବିଜେପି, ବିଜେଡି ଓ କଂଗ୍ରେସ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଭଦ୍ରକ ଲୋକସଭା କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ସଂଖ୍ୟାଲଘୁ ଭୋଟରଙ୍କ ମତିଗତି। ଭଦ୍ରକ ଲୋକସଭା ଆସନର ଭଦ୍ରକ ବିଧାନସଭା କ୍ଷେତ୍ରରେ ଅଛନ୍ତି ୫୦ ହଜାରରୁ ଅଧିକ ସଂଖ୍ୟାଲଘୁ ଭୋଟର। ଏହାବାଦ ସୋରୋ, ଧାମନଗର ଚାନ୍ଦବାଲି, ସିମୁଳିଆ, ବାସୁଦେବପୁର ଓ ଭଣ୍ଡାରିପୋଖରୀ ଆସନରେ ବି ସଂଖ୍ୟାଲଘୁ ଭୋଟର ରହିଛନ୍ତି। ଆକଳନ ଅନୁଯାୟୀ, ସମଗ୍ର ଲୋକସଭା କ୍ଷେତ୍ରରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଅନ୍ୟୁନ ୧ଲକ୍ଷ ଟପିବ। ୭୦ ହଜାରରୁ ଅଧିକ ସଂଖ୍ୟାଲଘୁ ଭୋଟର ମତଦାନ କରିପାରନ୍ତି। ପୂର୍ବ ନିର୍ବାଚନଗୁଡ଼ିକରେ ଅଧିକ ପ୍ରତିଶତ ସଂଖ୍ୟାଲଘୁ ଭୋଟ ଶାସକ ବିଜେଡି ଆଡକୁ ମୁହାଁଇଥିବା ବେଳେ ଏଥରକ ଏହି ଭୋଟ ଆପଣାଇବା ଲାଗି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରଣନୀତି ପ୍ରସ୍ତୁତି ଚାଲିଛି। ବିଜେପି ମଧ୍ୟ ଏହି ଦୌଡ଼ରେ ପଛରେ ନାହିଁ। ତେବେ ଭୋଟର ପରିସଂଖ୍ୟାନ ଅନୁଯାୟୀ ନୂଆ ଓ ସଂଖ୍ୟାଲଘୁ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ଟପିଯିବ। ଏଣୁ ଏହି ମତଦାତାଙ୍କ ଉପରେ ସବୁଦଳର ନଜର। ଲୋକସଭା କ୍ଷେତ୍ରରେ ହୋଇଥିବା ଦଳବଦଳ ଓ ପରିବର୍ତ୍ତିତ ରାଜନୈତିକ ସମୀକରଣରେ ଏହି ୨ଲକ୍ଷ ମତଦାତା ହିଁ ହାରଜିତର ନିର୍ଣ୍ଣାୟକ ହେବେ ବୋଲି ପର୍ଯ୍ୟବେକ୍ଷକ ମହଲ ଆକଳନ କରିଛନ୍ତି।



