ନୂଆଦିଲ୍ଲୀ: ୨୦୧୪ ଲୋକ ସଭା ନିର୍ବାଚନ ତୁଳନାରେ ଏଥର ବିଜେପି ଅଧିକ ସଂଖ୍ୟକ ଆସନରେ ବିଜୟ ଲାଭ କରିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସାକ୍ଷାତକାର ଦେବା ଅବସରରେ ମୋଦୀ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ମୁଁ ୭୦ରୁ ୮୦ ପ୍ରତିଶତ ରାଜ୍ୟକୁ ଗସ୍ତ କରିସାରିଛି। ବିଜେପିକୁ ଏଭଳି ସମର୍ଥନ ଆଗରୁ କେବେ ମିଳି ନ ଥିଲା ଯେତେ ଏବେ ମିଳୁଛି। ଏପରି କି ଗୁଜରାଟ ନିର୍ବାଚନ କିମ୍ବା ୨୦୧୪ ନିର୍ବାଚନ ସମୟରେ ବି ଏତେ ସମର୍ଥନ ନ ଥିଲା। ଆଜି ବିଜେପି ହାୱା ଯାହା ରହିଛି ତାହା ସବୁଠାରୁ ଅଧିକ।
ବିଜେପିରେ ଲୋକ ଯେଉଁ ହାରରେ ଯୋଗଦେଉଛନ୍ତି ତାହା ଉତ୍ସାହଜନକ। ଓଡ଼ିଶା ହେଉ କି ପଶ୍ଚିମବଙ୍ଗ ବିଜେପି ହାୱା ଜଳ ଜଳ ହୋଇ ଦିଶୁଛି। ୨୦୧୯ ନିର୍ବାଚନରେ ବିଜେପି ନିଶ୍ଚୟ ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ସରକାର ଗଠନ କରିବ। ପୂର୍ବ ତୁଳନାରେ ବିଜେପିକୁ ସବୁଠାରୁ ଅଧିକ ଆସନ ମିଳିବ। କେବଳ ବିଜେପି ନୁହେଁ, ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଅଧିକ ଆସନରେ ବିଜୟୀ ହେବେ। ଭାରତର ପ୍ରତି କୋଣ ଅନୁକୋଣରୁ ସେମାନଙ୍କୁ ସମର୍ଥନ ମିଳିବ ବୋଲି ମୋଦୀ କହିଛନ୍ତି।



