ଖୁଣ୍ଟା : ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାଥିବା ବେଳେ ଶୁକ୍ରବାର ବିଜେଡି ନିଜ ଦଳର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କୁ ଦ୍ୱିତୀୟ ଥର ପ୍ରାର୍ଥୀ କରି ପ୍ରତୀକ୍ଷାର ଅନ୍ତ ଘଟାଇଛି। ପ୍ରାର୍ଥୀ ଘୋଷଣା ଯେତେ ବିଳମ୍ବ ହେଉଥିଲା ଦଳ ମଧ୍ୟରେ ପ୍ରାର୍ଥୀତ୍ୱକୁ ନେଇ ସେତିକି ଆଶଙ୍କା ମଧ୍ୟ ବଢି ଚାଲିଥିଲା। ଶାସକ ଦଳ ଭାବେ ବିଜେଡି ଉପରେ ସମସ୍ତଙ୍କର ନଜର ମଧ୍ୟ ରହିଥିଲା। ଉଦଳା ବିଧାୟକ ଟିକଟ ପାଇଁ ବିଜେଡିରେ ତିନି ଜଣ ଆଶାୟୀ ଥିବା ବେଳେ ଶୁକ୍ରବାର ପ୍ରାର୍ଥୀ ଚୂଡାନ୍ତା ବେଳେ ନିଷ୍ପତ୍ତି ଶ୍ରୀନାଥଙ୍କ ସମକ୍ଷରେ ଯାଇଥିଲା।
ସେହିପରି ଜିଲା ବିଜେଡିରେ ଡାକ୍ତର ଦେବାଶିଷ ମାରାଣ୍ଡି କାର୍ଯ୍ୟକାରୀ ସଭାପତି ଥିବା ବେଳେ ଦଳରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଶ୍ରୀନାଥ ଟିକଟ ପାଇବା ପରେ ଉଦଳା ନିର୍ବାଚନ ମଣ୍ଡଳୀରେ ନୂଆ ସମୀକରଣ ଆରମ୍ଭ ହୋଇଯାଇଛି। ବିଜେପିରୁ ଭାସ୍କର ମଢେଇ ଓ କଂଗ୍ରେସରୁ ବେଣୁଧର ମହାପାତ୍ର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବଚନ ଜିଣିବା ପାଇଁ କେଉଁ ଦଳର ରଣନୀତି କିଭଳି ହେବ ତାହା ଆଗକୁ ଜଣା ପଡିବ।



