www.samajalive.in
Sunday, December 7, 2025
23.1 C
Bhubaneswar

ଦଳ ଡେଇଁବାର ବେଳ

ନିର୍ବାଚନ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତି ସ୍ବାଭାବିକ ଭାବେ ଚଳଚଞ୍ଚଳ ହୋଇଉଠିଛି। ରାଜନୀତିରେ ଥରେ ହୁଡ଼ିଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ୁଥିବାରୁ ତିନି ପ୍ରମୁଖଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସମେତ ସବୁଦଳ ନିଜନିଜ ରଣନୀତି ନିର୍ଦ୍ଧାରଣ ଓ ପ୍ରାର୍ଥୀ ବାଛିବା ପ୍ରକ୍ରିୟାରେ ବ୍ୟସ୍ତ। ଏଥର ରାଜ୍ୟରେ ଚାରି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏକକାଳୀନ ପ୍ରାର୍ଥୀ ନବାଛି ପର୍ଯ୍ୟାୟକ୍ରମେ ବାଛିବାର ଏକ ନୂଆ ସୁଯୋଗ ସବୁଦଳଙ୍କ ପାଇଁ ଆସିଛି। କ୍ରମାଗତ ପଞ୍ଚମ ବିଜୟ ଆଶାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତି ମଧ୍ୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ଦଳ ବିଜେଡ଼ି ତାହାର ଶକ୍ତି ଓ ସାମର୍ଥ୍ୟ ନେଇ ଏଥର ଏକା ଲଢ଼ିବ ଓ କାହାସହ ମେଣ୍ଟ କରିବ ନାହିଁ। ବିଜେପି ମେଣ୍ଟନେଇ ଏଯାଏ ନିଷ୍ପତ୍ତି ନେଇ ନଥିଲେ ମଧ୍ୟ ସମଭାବାପନ୍ନ କ୍ଷୁଦ୍ରକ୍ଷୁଦ୍ର ଦଳର ନେତାଙ୍କୁ ସାଙ୍ଗରେ ନେବାର ସମ୍ଭାବନା ଯଥେଷ୍ଟ ରହିଛି। କଂଗ୍ରେସ ଦଳ ବାମପନ୍ଥୀ ଓ ଜେଏମ୍‌ଏସ୍‌ ସହ ପ୍ରାକ୍‌ ନିର୍ବାଚନ ମେଣ୍ଟକରି ଆସନବୁଝାମଣା ଚୂଡ଼ାନ୍ତ କରିଛି।
ଏଥର ନିର୍ବାଚନ ନବୀନଙ୍କ ଲୋକପ୍ରିୟତାର ଆଉ ଏକ ପରୀକ୍ଷା ନେବ। ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ସବୁ ବିଦାୟୀ ସାଂସଦ/ ବିଧାୟକଙ୍କ ଟିକଟ ମିଳିବା ନିଶ୍ଚିତ ନୁହେଁ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଅଗ୍ରାଧିକାର ଦେବ। ସେହିଭଳି ବିଜେଡ଼ି ମଧ୍ୟ ୩୩% ଲୋକସଭା ଆସନ ମହିଳା ପ୍ରାର୍ଥୀଙ୍କୁ ଦେଇ ନାରୀ ମହଲରେ ଥିବା ଦଳର ସମର୍ଥନ ଭିତ୍ତିକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛି। ପ୍ରଥମଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିବାକୁ ବିଜେପି ଅଣ୍ଟାଭିଡ଼ି ବାହାରି ଥିବାବେଳେ କଂଗ୍ରେସ ୨୦ବର୍ଷ ପରେ କ୍ଷମତାକୁ ଫେରିବାର ଲକ୍ଷ୍ୟରେ ରହି କାମ କରୁଛି।
ନିର୍ବାଚନ ପୂର୍ବରୁ ଦଳଡିଆଁ ଏକ ସାଧାରଣ ନିର୍ବାଚନକାଳୀନ ବ୍ୟାଧି। ଏଥର ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତିନିପ୍ରମୁଖ ଦଳ ଅନ୍ୟଦଳର ପ୍ରଭାବଶାଳୀ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଦେଖାଯାଉଛି ଯେ ଶାସକ ବିଜେଡ଼ି ଶିବିରକୁ ଅଧିକ ନେତା ଡେଉଁଛନ୍ତି କିମ୍ବା ସେମାନଙ୍କୁ ପ୍ରଲୋଭିତ କରି ଅଣାଯାଉଛି। ଏହା ଦଳପାଇଁ ତତ୍କାଳ ଲାଭଜନକ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରେ। ସେଇଭଳି ଯେଉଁ ଦଳୀୟ ନେତାମାନଙ୍କୁ ବିଜେଡ଼ିରୁ ଟିକଟ ମିଳିବ ନାହିଁ ସେମାନେ ଯେ ଚୁପ୍‌ ହୋଇ ବସିବେ ଏବଂ ଦଳର ବିଜୟରେ ସହଯୋଗ କରିବେ ତାହା କହିହେବନାହିଁ। ନେତାଙ୍କ ଦଳବଦଳ ଓ ଟିକଟରୁ ବଞ୍ଚିତ ଅସନ୍ତୁଷ୍ଟ ସବୁ ଦଳ ପାଇଁ ଯେ ସମସ୍ୟା ସୃଷ୍ଟି କରିବେ, ଏହା ନିଶ୍ଚିତ। ତେବେ ପ୍ରାକ୍‌ ନିର୍ବାଚନ ଦଳବଦଳ ଓ ଅନ୍ୟଦଳରୁ ପ୍ରାର୍ଥୀଙ୍କୁ ଶିକାର କରିବା ସୁବିଧାବାଦୀ ରାଜନୀତି କେବଳ ନୁହେଁ; ଏହା ଗଣତନ୍ତ୍ର ପାଇଁ ମଧ୍ୟ ବିପଜ୍ଜନକ। ଏହାକୁ ନିରୁତ୍ସାହିତ କରାଯିବା ଉଚିତ୍‌।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories