ନୂଆଦିଲ୍ଲୀ : ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ସୁରକ୍ଷା ଦିଆଯାଉଥିବ ସେପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ । ଯଦି ଇମରାନ ଖାନ ଏତେ ଉଦାର ତେବେ ମାସୁଦ ଆଜହରକୁ ଭାରତକୁ ସମର୍ପଣ କରନ୍ତୁ ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି । ସୁଷମା ସ୍ବରାଜ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପଟେ ବାର୍ତ୍ତାଳାପ ଓ ଅନ୍ୟ ପଟେ ଆତଙ୍କବାଦ ଦୁଇଟି ଯାକ ଏକାସାଙ୍ଗରେ ଚାଲିପାରିବ ନାହିଁ । ଆତଙ୍କବାଦୀ ବିରୋଧରେ ଇମରାନ ଖାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ପାକିସ୍ତାନ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ ସେନା ଉପରେ ନିୟନ୍ତ୍ରଣ ରଖୁ । କାରଣ ଏମାନେ ବାରମ୍ବାର ଦ୍ବିପାକ୍ଷିକ ସମ୍ପର୍କକୁ ସର୍ବଦା ନଷ୍ଟ କରୁଛନ୍ତି । ଆମେ ଆତଙ୍କବାଦ ଉପରେ କୌଣସି କଥା ହେବାକୁ ଚାହୁଁନାହୁଁ ବରଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ ।
ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଆହୁରି କହିଛନ୍ତି ଯେ, ଆତଙ୍କବାଦୀର ମୁଖ୍ୟ ଜୈଶ-ଇ-ମହମ୍ମଦକୁ ଭାରତ ଟାର୍ଗେଟ୍ କରିଥିଲା । କିନ୍ତୁ ପାକ୍ ସେନା ଜୈଶ ତରଫରୁ ଭାରତ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନ ସରକାର କେବଳ ଯେ ଜୈଶ-ଇ-ମହମ୍ମଦକୁ ସୁରକ୍ଷା ଦେଉଛନ୍ତି ତାହା ନୁହେଁ , ତାକୁ ଅର୍ଥ ମଧ୍ୟ ଯୋଗାଉଛନ୍ତି । ପୀଡିତ ଦେଶ ଜୈଶ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ପାକିସ୍ତାନ ଆତଙ୍କବାଦୀ ତରଫରୁ ସେହି ଦେଶ ଉପରେ ଆକ୍ରମଣ କରୁଛି । ଏହା ସହ ବାଲାକୋଟରେ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ବିଦେଶମନ୍ତ୍ରୀ ସୁଷମା ସ୍ବରାଜ ପ୍ରଶ୍ନ ଉଠାଇଛନ୍ତି ।



