www.samajalive.in
Tuesday, December 9, 2025
15.1 C
Bhubaneswar

ଚିନ୍ତାକଳ୍ପ: ଭାବନାତ୍ମକ ସମ୍ବନ୍ଧ

ତଥାଗତଙ୍କର ଅତି ନିକଟତମ ଶିଷ୍ୟମାନଙ୍କ ମଧ୍ୟରୁ ଆନନ୍ଦ ଥିଲେ ଅନ୍ୟତମ। ବୌଦ୍ଧ ଭିକ୍ଷୁ ଉପଗୁପ୍ତ ମଧ୍ୟ ଅନ୍ତରଙ୍ଗ ଅନୁଗାମୀ ଥିଲେ। ଉପଗୁପ୍ତଙ୍କର ବିଶେଷତ୍ବ ଥିଲା ଯିଏ ଥରେ ବି ତାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ଭୁଲି ପାରୁନଥିଲେ ତାଙ୍କୁ। ଆକର୍ଷଣୀୟ ଚେହେରା ସହିତ ବ୍ୟକ୍ତିତ୍ବ ମଧ୍ୟ ସେହିଭଳି ଥିଲା। ଏକଦା ଉପଗୁପ୍ତଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଜଣେ ସୁନ୍ଦରୀ ତାଙ୍କ ପ୍ରତି ଅତ୍ୟଧିକ ଆସକ୍ତ ହୋଇପଡ଼ିଲେ। ମନ ଭିତରର କାମନା-ବାସନାକୁ ଚାପି ରଖିପାରି ନଥିଲେ କ୍ଷଣିକ ମୋହର ବଶବର୍ତ୍ତୀ ହୋଇ। ଲଜ୍ଜା, ସମ୍ଭ୍ରମ ସବୁକିଛି ଜଳାଞ୍ଜଳି ଦେଇ ଗୃହତ୍ୟାଗୀ, ମୋକ୍ଷ-ନିର୍ବାଣ ମନ୍ତ୍ରରେ ଅଭିମନ୍ତ୍ରିତ ଶ୍ରମଣଙ୍କୁ କହିଥିଲେ- ଏକାନ୍ତରେ କିଛି ସମୟ ତାଙ୍କ ସହ ଅତିବାହିତ କରି କୃତାର୍ଥ କରିବାକୁ। ଉପଗୁପ୍ତ ସୁନ୍ଦରୀଙ୍କ ଅଭୀପ୍‌ସା ସମ୍ପର୍କରେ ଜାଣିପାରିଥିଲେ। ତିଳେ ବି ପ୍ରତିକ୍ରିୟା ପ୍ରକାଶ ନ କରି ସକାରାତ୍ମକ ଢ଼ଙ୍ଗରେ ଭିକ୍ଷୁର ଜୀବନଦର୍ଶନକୁ ପରିପ୍ରକାଶ କରି କହିଥିଲେ- ‘ଉଚିତ ସମୟ ଆସିଲେ ମୁଁ ନିଶ୍ଚୟ ତୁମ ସହିତ କିଛି ସମୟ ବିତାଇ ତୁମକୁ କୃତାର୍ଥ କରିବି।’

ପ୍ରତୀକ୍ଷାର ଅନ୍ତ ନଥିଲା ସୁନ୍ଦରୀଙ୍କର। ସମୟ ସ୍ରୋତରେ ବେଶ୍ କିଛିବର୍ଷ ଅତିବାହିତ ହୋଇଯାଇଥାଏ ଇତି ମଧ୍ୟରେ। ସୁନ୍ଦରୀଙ୍କ ଆୟୁ ଯେତେଯେତେ ଅଧିକ ହେଉଥାଏ ବୟସର ଛାପ ସେତେ ଅଧିକ ପରିଦୃଷ୍ଟ ହେଉଥାଏ ତାଙ୍କଠାରେ। ବୟସ ବୃଦ୍ଧି ସହ ବ୍ୟାଧି କବଳିତ ହୋଇଯାଇଥିଲା ସେଦିନର ସେହି ଅପୂର୍ବ ଲାସ୍ୟମୟୀ ସୁନ୍ଦରୀଙ୍କ ଶରୀର। ଯେଉଁମାନଙ୍କ ପାଇଁ ଦିନେ ଶରୀରର ସୌନ୍ଦର୍ଯ୍ୟ ଆକର୍ଷଣୀୟ ଥିଲା, ଏବେ ସେମାନେ ତାଙ୍କୁ ଦେଖି ମୁହଁ ଆଡ଼ କରି ଚାଲିଯାଉଥାନ୍ତି। ନିଜ କୁଟୀରରେ ଏକାକିନୀ ଅବସ୍ଥାରେ ଅତୀତର ସେଇ ସୁଦିନ ସହ ଏବର ଦୁର୍ଦିନକୁ ତୁଳନା କରି ମ୍ରିୟମାଣ ଅବସ୍ଥାରେ ଥା’ନ୍ତି। ଚତୁର୍ଦିଗରେ ସୀମାହୀନ ଅନ୍ଧକାର ପ୍ରତୀତ ହେଉଥାଏ।

- Advertisement -

ନିଜର ବ୍ୟାଧିଗ୍ରସ୍ତ ଶରୀର, ଭବିଷ୍ୟତ ନେଇ ଘୋର ସଂଶୟରେ ଥିଲାବେଳେ ହଠାତ୍‌ ଉପଗୁପ୍ତ ତାଙ୍କ କୁଟୀରରେ ପହଞ୍ଚି ଯାଇଥିଲେ ଆକସ୍ମିକ ଭାବରେ। ନମ୍ର ଭାବରେ କହିଥିଲେ- ‘ଦେବି! ମୁଁ ଦେଇଥିବା କଥା ଅନୁସାରେ ତୁମ ସେବା ପାଇଁ ଉପସ୍ଥିତ।’ ଉପଗୁପ୍ତଙ୍କୁ ଚକିତ କରି କହିଥିଲେ ସୁନ୍ଦରୀ- ‘ପ୍ରଭୁ! ମୁଁ ଯେତେବେଳେ ଆପଣଙ୍କ ଯୋଗ୍ୟା ଥିଲି, ସେତେବେଳେ ଆପଣ ବିସ୍ମୃତ କରିଦେଲେ, ଆଉ ଆଜି ବୟସର ଅପରାହ୍ଣରେ ପୀଡ଼ିତ, ବେସାହାରା ଥିଲାବେଳେ ମୋତେ ଦେଖିବା ନିମନ୍ତେ ଚାଲିଆସିଲେ ଯେ?’ ଉପଗୁପ୍ତଙ୍କର ଉତ୍ତର ଥିଲା- ‘ଦେବି! ଶାରୀରିକ ଆକର୍ଷଣରୁ ଉପୁଜୁଥିବା ଆସକ୍ତିକୁ ବାସନା କୁହାଯାଇଥାଏ। ମୁଁ ତ ଭାବନାତ୍ମକ ସମ୍ବନ୍ଧ ଆଧାରରେ ଏଠାରେ ଉପସ୍ଥିତ। ମୋ ଦୃଷ୍ଟିରେ ଏହି ସମୟ ହିଁ ତୁମ ସହ ବିତାଇବା ପାଇଁ ଉପଯୁକ୍ତ।’

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories