ସମାଜ ଡିଜିଟାଲ ଡେସ୍କ: ହାର୍ଟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଅକ୍ଳାନ୍ତ ଭାବେ ରକ୍ତ ସଂଚାଳନ କରିବା ସହ ଧକ୍ ଧକ୍ କରିଚାଲିଥାଏ । କେତେକ ସମୟରେ ହାର୍ଟରେ ସମସ୍ୟା ଦେଖାଦେଲେ ଏହା ଆମକୁ ସତର୍କ ସଙ୍କେତ ଦେଇଥାଏ । ଯଦି ଏଗୁଡିକୁ ଅଣଦେଖା କରାଯାଏ, ତେବେ ଦିନେ ହଠାତ୍ ହୃଦଘାତ ହୋଇଥାଏ । ଯଦି ଆପଣ ହୃଦଘାତ ସମୟରେ ଘରେ ଏକୁଟିଆ ଅଛନ୍ତି, ତେବେ ଏହା ଆହୁରି ବିପଜ୍ଜନକ ହୋଇପାରେ ।
ଆମେରିକୀୟ ହାର୍ଟ ଆସୋସିଏସନର ରିପୋର୍ଟ ଅନୁସାରେ ଭାରତ ସମେତ ସାରା ବିଶ୍ୱରେ ପ୍ରାୟ ୫୦ପ୍ରତିଶତ ଲୋକ ହଠାତ୍ ହୃଦଘାତର ଶିକାର ହେଉଛନ୍ତି । ତାହା ପୁଣି ଘରେ ଏକୁଟିଆ ଥିବାବେଳେ ଘଟିଥାଏ । ଅଧିକାଂଶ ଲୋକ ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ଗୁଡିକୁ ଅଣଦେଖା କରିଥାନ୍ତି । ସେହି ଲକ୍ଷଣକୁ ଶରୀର ଥକ୍କା ଲାଗିବା କିମ୍ବା ଗ୍ୟାସ ହେବା ଭାବି ଅଣଦେଖା କରିଥାନ୍ତି । ଯଦି ହୃଦଘାତ ହେବାର ଲକ୍ଷଣ ଦେଖାଦେବା ମାତ୍ରେ ପ୍ରଥମ ୯୦ମିନିଟ୍ ମଧ୍ୟରେ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରନ୍ତା ତେବେ ୮୦ପ୍ରତିଶତ ଲୋକଙ୍କ ଜୀବନ ବଞ୍ଚିଯାଆନ୍ତା ।
ତେବେ ଚାଲନ୍ତୁ ଆଜି ଜାଣିବା ଯେ ଯଦି ଆପଣଙ୍କୁ ହୃଦଘାତ ହେଲା, ଏବଂ ଆପଣ ଏକୁଟିଆ ସେହି ସମୟରେ ରହିଛନ୍ତି ତେବେ କଣ କରିବେ । ହୃଦଘାତ ବେଳେ ଆପଣ ଏକୁଟିଆ ଥିଲେ ଏହି ୧୦ଟି ପଦକ୍ଷେପ ନିଶ୍ଚିତ ଗ୍ରହଣ କରନ୍ତୁ ।
ହୃଦଘାତ ସମୟରେ ଏକୁଟିଆ ରହିବା ବିପଦପୂର୍ଣ୍ଣ କାହିଁକି
ଯେତେବେଳେ ହାର୍ଟର ଧମନୀ ବ୍ଲକ ହୋଇଥାଏ, ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ପ୍ରତି ମିନିଟରେ ପ୍ରାୟ ୧୦ଲକ୍ଷ ହୃଦୟ କୋଷ ମରିଯାଏ । ଯଦି ଆପଣ ଏକା ଅଛନ୍ତି, ତେବେ ନିଜେ ନିଜକୁ ସାହାଯ୍ୟ କରିବା ଏବଂ ସଠିକ୍ ପଦକ୍ଷେପ ନେବା କଷ୍ଟକର ହୋଇଥାଏ । କେତେକ ସମୟରେ, ମେଡିକାଲ ଯିବା ପାଇଁ ଆପଣ ଆମ୍ବୁଲାନ୍ସ ମଧ୍ୟ ଡାକି ପାରିବେ ନାହିଁ । ଅଧିକାଂଶ ସମୟରେ ଲକ୍ଷଣ ଗୁଡିକ ଜାଣିନପାରିବାରୁ ସଠିକ୍ ଚିକିତ୍ସା ହୋଇପାରିନଥାଏ ।
ହୃଦଘାତର ପ୍ରାରମ୍ଭିକ ଲକ୍ଷଣ କିପରି ଚିହ୍ନିବେ
ଅଧିକାଂଶ ଲୋକ ହୃଦଘାତ ପରେ ହଠାତ୍ ଭାଙ୍ଗିପଡୁଥିବା ଭଳି ଫିଲ୍ମରେ ଆମେ ଦେଖିଥାଉ । କିନ୍ତୁ ବାସ୍ତବ ଜୀବନରେ ଏହା ସତ୍ୟ ନୁହେଁ । ହୃଦଘାତ ଧୀରେ ଧୀରେ ଆରମ୍ଭ ହୋଇଥାଏ । ଅଧିକାଂଶ ଲୋକ ୧-୨ଘଣ୍ଟା ପୂର୍ବରୁ ଲକ୍ଷଣ ଗୁଡିକୁ ଅନୁଭବ କରନ୍ତି, କିନ୍ତୁ ସେମାନେ ପ୍ରାୟତଃ ସେଗୁଡିକୁ ଅଣଦେଖା କରନ୍ତି,ଏହା ଏକ ସାଧାରଣ ସସମ୍ୟା ବୋଲି ଭାବି ନିଅନ୍ତି । ଯଦି ଦୁଇଟି କିମ୍ବା ଅଧିକ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।
ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆପଣ ହୃଦଘାତର ଲକ୍ଷଣ ଅନୁଭବ କରନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ । ପ୍ରାରମ୍ଭିକ ପଦକ୍ଷେପ ପାଇଁ ମାତ୍ର ୫ମିନିଟ୍ ସମୟ ଲାଗିବ । ଏଥିପାଇର୍ ସର୍ବଦା ପ୍ରସ୍ତୁତ ରୁହନ୍ତୁ ।
୧୦୮କୁ ତୁରନ୍ତ କଲ୍ କରନ୍ତୁ
ପ୍ରଥମେ ଫୋନରେ ୧୦୮ନଂ ଡାଏଲ୍ କରନ୍ତୁ । ଅପରେଟର ଆପଣଙ୍କୁ ବାକି ସବୁକିଛି ପାଇଁ ମାର୍ଗଦର୍ଶନ କରିବେ । ଏହି ସମୟରେ ନିଜର ଘରର ଦ୍ୱାର ଖୋଲା ରଖନ୍ତୁ । ଆପର୍ଟମେଣ୍ଟ ଓ ସୁରକ୍ଷା କର୍ମୀଙ୍କୁ କଲ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍୍ୟର ରିପୋର୍ଟ ଦିଅନ୍ତୁ । ଏହା ତୁରନ୍ତ କରିବା ଜରୁରୀ, କାରଣ ପ୍ରତ୍ୟେକ ମିନିଟ ଆପଣଙ୍କ ଜୀବନ ପାଇଁ ମୂଲ୍ୟବାନ୍ ।
ପ୍ୟାନିକ୍ ବଟନ୍ ଦବାନ୍ତୁ
ଯଦି ଆପଣ ଘରେ ପ୍ରାୟତଃ ଏକୁଟିଆ ରହୁଛନ୍ତି ତେବେ ଏକ ପ୍ୟାନିକ୍ ବଟନ୍ ଲଗାନ୍ତୁ । ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଦବାନ୍ତୁ । ଏହା ଆପଣଙ୍କୁ ବହୁତ ସହାୟକ ହେବ ।
ଏକ ଜରୁରୀକାଳୀନ କୋଡ୍ ପଠାନ୍ତୁ
ଆପଣଙ୍କ ବନ୍ଧୁ ଏବଂ ପରିବାର ପାଇଁ ଏକ ଜରୁରୀକାଳୀନ କୋଡ୍ ତିଆରି କରନ୍ତୁ, ଯେପରିକି ଏ କିମ୍ବା ୧ ଅକ୍ଷର । ପରିବାରର ସମସ୍ତେ ଜାଣିବା ଉଚିତ ଯେ ଏହା ଏକ ଜରୁରୀକାଳୀନ କୋଡ୍ । ଯଦି କେହି ଏହି ବାର୍ତ୍ତା ପଠାନ୍ତି, ତେବେ ଏହା ସୂଚିତ କରେ ଯେ ବ୍ୟକ୍ତି ବିପଦରେ ଅଛନ୍ତି ଏବଂ ତାଙ୍କୁ ତୁରନ୍ତ ସାହାଯ୍ୟର ଆବଶ୍ୟକତା ରହିଛି ।
ରକ୍ତ ପତଳା କରିବା ପାଇଁ ଆସ୍ପିରିନ୍ ଚୋବାନ୍ତୁ
ଯଦି ଆପଣଙ୍କ ଘରେ ୩୦୦ମିଲିଗ୍ରାମ ଆସ୍ପିରିନ୍ ଅଛି, ତେବେ ଗୋଟିଏ ବଟିକା ଚୋବାନ୍ତୁ । ଏହାକୁ ଗିଳି ଦେବେ ନାହିଁ , ଧୀରେ ଧୀରେ ଚୋବାଇ ଖାଇବେ । ଏହା ରକ୍ତ ଜମାଟ ବାନ୍ଧିବାକୁ ରୋକିବ । ଯଦି ଆପଣଙ୍କର ଆଲର୍ଜି ଅଛି, ତେବେ ଏହାକୁ ଖାଇବେ ନାହିଁ । ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।
ଶାନ୍ତ ଏବଂ ସିଧା ବସିବା ଜରୁରୀ
ହୃଦଘାତ ହେଲେ ତଳେ ପିଠି ରଖି ଏବଂ ତଳେ ଗୋଡ ରଖି ବସିବେ । ଏହି ସମୟରେ ଶୋଇବା କିମ୍ବା ବୁଲିବା ବିପଦପୂର୍ଣ୍ଣ ହୋଇପାରେ । ଶାନ୍ତ ଭାବରେ ବସିବା ଦ୍ୱାରା ହୃଦୟ ଉପରେ ଚାପ କମିଯାଏ । ଭୟଭିତ ହେଲେ ହୃଦସ୍ପନ୍ଦନ ବଢିଯାଏ ।
ଘରର ଦ୍ୱାର ଖୋଲା ରଖନ୍ତୁ
ସୁରକ୍ଷିତ ଭାବରେ ଘରର ଦ୍ୱାର ଖୋଲି ଦିଅନ୍ତୁ । ଆପଣଙ୍କ ପରିବାରକୁ ମେସେତ କର କୁହନ୍ତୁ ଯେ ଆପଣଙ୍କୁ ହୃଦଘାତ ହେବାର ସନ୍ଦେହ ହେଉଛି ଏବଂ ୧୦୮କୁ କଲ କରନ୍ତୁ ।
ପଡୋଶୀଙ୍କୁ ଏକ ଭଏସ୍ ମେସେଜ୍ ପଠାନ୍ତୁ
ଆପଣଙ୍କ ପଡୋଶୀ ହଏତ ପ୍ରଥମ ଆପଣଙ୍କ ସାହାଯ୍ୟରେ ପହଞ୍ଚିପାରିବେ । ତେଣୁ ସେମାନଙ୍କୁ ଏକ ଭଏସ୍ ମେସେଜ କରନ୍ତୁ । ସଂକ୍ଷିପ୍ତ ଶଦ୍ଦରେ ଜରୁରୀ କାର୍ଯ୍ୟ ଅଛି ବୋଲି ବୁଝାନ୍ତୁ ।
ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ
ଏପରି ପରିସ୍ଥିତିରେ, ବହୁତ ଧୀରେ ଏବଂ ଆରାମରେ ନିଶ୍ୱାସ ନିଅନ୍ତୁ । ଦ୍ରୁତ ଭାବରେ ନିଶ୍ୱାସ ନେବା ଦ୍ୱାରା ଚାପଗ୍ରସ୍ତ ହୃଦୟ ଉପରେ ଅତିରିକ୍ତ ଚାପ ପକାଇଥାଏ ।
ନିଜେ ଗାଡି ଚଲାନ୍ତୁ ନାହିଁ
ଅନେକ ଲୋକ ନିଜେ ଗାଡି ଚଲାଇ ଡାକ୍ତରଖାନାକୁ ଯାଆନ୍ତି, କିନ୍ତୁ ରାସ୍ତାରେ ଚେତାଶୂନ୍ୟ ହୋଇଯାଆନ୍ତି । ଏହା ଏକ ବଡ ଦୁର୍ଘଟଣା ଘଟାଇପାରେ । ଆମ୍ବୁଲାନ୍ସରେ ଅକ୍ସିଜେନ ଏବଂ ଔଷଧ ଉପଲବ୍ଧ, ଯାହା ଯଥେଷ୍ଟ ଆରାମ ଦେଇପାରେ ।
ଏନର୍ଜି ବଚାନ୍ତୁ, ବେଶି କଥା ହୁଅନ୍ତୁ ନାହିଁ
ଯଦି କେହି ସାହାଯ୍ୟ ପାଇଁ ପହଞ୍ଚନ୍ତି, ତେବେ କେବଳ ଜରୁରୀ କଥା କୁହନ୍ତୁ । ଅଧିକ କଥା ହୁଅନ୍ତୁ ନାହିଁ । ଏହି ସମୟରେ ଆପଣ ଯେତେ ଏନର୍ଜି ସଂଚିତ କରିବେ ସେତେ ଉପଯୋଗୀ ହେବ ।



