ମାଲକାନଗିରି : ମାଲକାନଗିରି ଜିଲା ସଦରମହକୁମା ପୌରପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ରାଜେଶ ବିଶ୍ବାସଙ୍କ ଘରେ ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ବାସଙ୍କ ମୃତଦେହ ଘର ଭିତରେ ଆଜି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଶଙ୍କରୀଙ୍କ ବାପା ଘର କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ନମ୍ବର ଗ୍ରାମରେ । ଝିଅର ମୃତ୍ୟୁ ଖବର ପାଇ ଏମପିଭି ୨୩ ନମ୍ବର ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ ରାଜେଶ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ।
ଖାଲି ସ୍ବାମୀ ରାଜେଶ ନୁହେଁ ଶାଶୁ ଘର ପରିବାରର ସମସ୍ତେ ଘଟଣା ପରେ ଫେରାର ଥିବା ଜଣାପଡିଛି। ଯେଉଁଥି ପାଇଁ ମୃତ ଶଙ୍କରୀଙ୍କ ବାପା ଘର ଲୋକେ, ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଖବର ପାଇ ମାଲକାନଗିରି ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି।



