www.samajalive.in
Sunday, December 7, 2025
18.1 C
Bhubaneswar

ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସକାଳୁ ରୋଷହୋମ ହୋଇ ଦିଅଁଙ୍କ ଭୋଗ ପ୍ରସ୍ତୁତ ହୋଇପାରୁନି। ସମର୍ଥା ସେବାୟତ ଦିଅଁଙ୍କ ଭୋଗ ପ୍ରସ୍ତୁତ ପାଇଁ ବିରିବଟା, ଚୁନାକୁଟା ମହାସୁଆର ସେବାୟତଙ୍କୁ ଯୋଗାଇଥାନ୍ତି। ବୁଧବାର ସମର୍ଥା ନିଯୋଗର ବୁଲା ସମର୍ଥାଙ୍କ ନିଅଁଶ ପାଳିଥିଲା। ଉକ୍ତ ପାଳିକୁ ମନ୍ଦିର ପ୍ରଶାସନ ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ବାରା କରିଥାଏ। ଏବେ ଯୋଗେନ୍ଦ୍ର ସମର୍ଥା ନିଅଂଶ ପାଳି କରିବାକୁ ମନା କରିବାରୁ ତାଙ୍କ ପାଳି କରିବାକୁ କେହି ରାଜି ହୋଇନଥିଲେ। ଫଳରେ ଦିଅଁଙ୍କ ନୀତିକାନ୍ତି ହୋଇପାରିନି। ମହାସୁଆର ସେବାୟତ ଭୋଗ ପ୍ରସ୍ତୁତ କରିପାରୁ ନାହାନ୍ତି। ଧର୍ମମାସ କାର୍ତ୍ତିକରେ ଦିଅଁ ସାରା ଦିନ ଉପବାସରେ ଅଛନ୍ତି। ମନ୍ଦିର ପ୍ରଶାସନ ସମର୍ଥା ସେବାୟତଙ୍କୁ ମନାଇ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିପାରୁନି। ପୂର୍ବରୁ ଅନେକ ସମୟରେ ପୂଜାପଣ୍ଡା, ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତଙ୍କୁ ନେଇ ଦିଅଁଙ୍କ ନୀତି ବନ୍ଦ ହେଉଥିଲା। ଏବେ କିନ୍ତୁ ସମର୍ଥା ସେବାୟତଙ୍କ ନିଅଂଶ ପାଳିକୁ ନେଇ ଦିଅଁଙ୍କ ନୀତି ବନ୍ଦ ହୋଇଛି। ହବିଷିଆଳି ଓ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରରେ ଅବଢ଼ା ଟିକେ ନପାଇ ନିରାଶ ହୋଇ ଫେରିଛନ୍ତି।

ଏନେଇ ଶିଶିର ସମର୍ଥା ଓରଫ ମାଗା କହନ୍ତି, ୧୯୯୫ ମାର୍ଚ୍ଚ ୨୫ରେ ଟ୍ରଷ୍ଟବୋର୍ଡ ମୋର ଜେ‌େ‌ଜ ବାଞ୍ଛାନିଧି ସମର୍ଥାଙ୍କୁ ବୁଲା ସମର୍ଥାଙ୍କ ନିଅଂଶ ପାଳି କରିବାକୁ ଅନୁମତି ଦେଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନରେ ୧୨୦ଟଙ୍କା ସଲାମି ଦେଇ ମନ୍ଦିର ସିଂହଦ୍ବାର ଭିତର ଦକ୍ଷିଣପୂର୍ବ ପାର୍ଶ୍ବରେ ଘିଅଦୀପ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲା। ସେବେଠାରୁ ସେ ନିଅଂଶ ସେବା କରିଆସୁଥିଲେ। ଆଉ ଜଣେ ସମର୍ଥା ସେବାୟତ ମନ୍ଦିର ଭିତରେ ଜୋରଜବରଦସ୍ତ ଘିଅ ଦୀପ ଦୋକାନ ଖୋଲିବାରୁ ବାଞ୍ଛାନିଧି ସମର୍ଥା ଦେବୋତ୍ତର ଅଦାଲତର ଆଶ୍ରୟ ନେଇଥିଲେ। ୨୦୧୦ରେ ବାଞ୍ଛାନିଧିଙ୍କ ନାତି ଶିଶିର ସମର୍ଥା ଦେବୋତ୍ତର ଅଦାଲତରୁ ହାରିଯିବା ପରେ ମନ୍ଦିରରେ ଘିଅ ଦୀପ ବିକ୍ରି କରିପାରିଲେ ନାହିଁ। ତେଣୁ ଶିଶିର ସମର୍ଥା ବୁଲା ସମର୍ଥାଙ୍କ ନିଅଂଶ ପାଳି ଆଗକୁ କରିବେ ନାହିଁ ବୋଲି ମନ୍ଦିର ପ୍ରଶାସନକୁ ୨୦୧୨ ମସିହାରେ ଲିଖିତ ଭାବେ ଜଣାଇଥିଲେ। ଏହାଉପରେ ଟ୍ରଷ୍ଟବୋର୍ଡରେ ଆଲୋଚନା ହୋଇଥିଲା, କିନ୍ତୁ ଦେବୋତ୍ତର ଆୟୁକ୍ତଙ୍କ ଆଦେଶ ଉପରେ ଟ୍ରଷ୍ଟବୋର୍ଡ କୌଣସି ନିଷ୍ପତ୍ତି ଶୁଣାଇ ପାରିବ ନାହିଁ ବୋଲି କହିଥିଲେ। ହେଲେ ନିଅଂଶ ପାଳି କରିବା ଉପରେ କୌଣସି ନିଷ୍ପତ୍ତି ହୋଇନଥିଲା। ମନ୍ଦିର ପ୍ରଶାସନ ନିଅଂଶ ପାଇକ ସେବା (ଘଣ୍ଟ ବାଡ଼େଇବା)କୁ ତତ୍କାଳୀନ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ଭିତରେ ଦୋକାନ ଖୋଲିଥିବା ସମର୍ଥା ସେବାୟତଙ୍କ ଦ୍ବାରା କରାଇବା ସହିତ ବୁଲା ସମର୍ଥାଙ୍କ ନିଅଂଶ ପାଳି ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ବାରା କରାଉଥିଲେ। କିନ୍ତୁ ଆଜି ଯୋଗେନ୍ଦ୍ର ପାଳି କରିବେ ନାହଁି ବୋଲି ମନ୍ଦିର ପ୍ରଶାସନକୁ ଜଣାଇ ପାଳି କରିନଥିଲେ।

- Advertisement -

ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ନିଅଂଶ ପାଳି ସମ୍ପର୍କରେ ସମର୍ଥା ନିଯୋଗ ସହିତ ଆଲୋଚନା ନକରି ନିଜଆଡୁ ନିଷ୍ପତ୍ତି ନେଇଥିବାରୁ ନିଯୋଗ ତରଫରୁ ନୀତି ବନ୍ଦ କରାଯାଇ ନାହିଁ ବୋଲି ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା କହିଛନ୍ତି। ଏସମ୍ପର୍କରେ ଅତିରିକ୍ତ ଜିଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ନିଅଂଶ ପାଳି ଯୋଗେନ୍ଦ୍ର ସମର୍ଥା କରୁଥିଲେ। ଏବେ କିନ୍ତୁ କରିବାକୁ ମନା କରୁଛନ୍ତି। ସମର୍ଥା ସେବାୟତଙ୍କ ଏକ ଗୋଷ୍ଠୀ ତାଙ୍କ ନିଯୋଗ ବିରୋଧରେ ଯାଇ ଏଭଳି କରୁଛନ୍ତି। ସେ କହୁଛନ୍ତି ସିଂହଦ୍ବାର ସାମ୍ନାରେ ଦୋକାନ ଖୋଲିବାକୁ ମନ୍ଦିର ପ୍ରଶାସନ ଅନୁମତି ଦେଲେ ଦିଅଁଙ୍କ ନୀତି କରିବୁ। ଏଭଳି ମନ୍ଦିର ପ୍ରଶାସନ ସହିତ ବ୍ଲାକମେଲିଂ କରୁଛନ୍ତି। ତେଣୁ ଏସମ୍ପର୍କରେ ଆଲୋଚନା କରାଯାଉଛି। କୌଣସି ନିଷ୍ପତ୍ତି ବାହାରି ପାରିନି। ଗୁରୁବାର ବୁଲା ସମର୍ଥାଙ୍କ ନିଅଂଶ ପାଳି ରହିଛି। ତେଣୁ ଦିଅଁଙ୍କ ନୀତିକାନ୍ତି ବିଭ୍ରାଟ ହେବା ଆଶଙ୍କାକୁ ଏଡ଼ାଇ ହେବନି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories