ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଦାବି କରୁଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିଦେବ। ଏକ ସପ୍ତାହ ମଧ୍ୟରେ ଚାରିଥର ଏହି କଥା କହିବା ପରେ ଏହା ଏକ ବଡ଼ ରାଜନୈତିକ ପ୍ରସଙ୍ଗ ହୋଇଉଠିଛି; କିନ୍ତୁ ଭାରତ ସରକାର ଏଭଳି କୌଣସି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନା ମାନିଛନ୍ତି, ନା ନାକଚ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କେବଳ କହୁଛି ଯେ ଭାରତ ନିଜର ଶକ୍ତି ଉତ୍ସଗୁଡ଼ିକୁ ବିବିଧ କରୁଛି ; ଅର୍ଥାତ୍ ଭାରତ ତୈଳ ଲାଗି ଗୋଟିଏ କିମ୍ବା ଦୁଇଟି ଦେଶ ଉପରେ ନିର୍ଭର ନକରି ବିଭିନ୍ନ ଦେଶ ଏବଂ ଉତ୍ସରୁ ତେଲ କିଣିବାକୁ ଚେଷ୍ଟା କରୁଛି।
ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ତେଲ ଶସ୍ତାରେ ବିକ୍ରି କରୁଛି। ଭାରତ ଏହି ସୁଯୋଗ ନେଇ ନିଜର ଆର୍ଥିକ ସ୍ୱାର୍ଥରେ ଶସ୍ତା ତେଲ କିଣୁଛି। ଗତ ବର୍ଷ ଭାରତର ମୋଟ ତେଲ ଆମଦାନୀର ୩୮ ପ୍ରତିଶତ ରୁଷିଆରୁ ଆସିଛି, ଯାହାଦ୍ୱାରା କୋଟିକୋଟି ଡଲାର ସଞ୍ଚୟ ହୋଇଛି। ଏହା କେବଳ ସରକାରଙ୍କ ପାଇଁ ନୁହେଁ, ଭାରତର ସାମଗ୍ରିକ ଅର୍ଥନୀତି ତଥା ସାଧାରଣ ଜନତାଙ୍କ ଲାଗି ଲାଭଦାୟକ। ପେଟ୍ରୋଲ-ଡିଜେଲର ଦାମ୍ କମ୍ ରହିଲେ ଘରର ବଜାର ଖର୍ଚ୍ଚ କମ୍ ହୁଏ, ଜିନିଷପତ୍ର ଶସ୍ତା ହୁଏ। ଭାରତ ଯୁକ୍ତି କରେ ଯେ ଏହା ଏକ ଶୁଦ୍ଧ ଆର୍ଥିକ ନିଷ୍ପତ୍ତି, ରାଜନୈତିକ ନୁହେଁ। ଭାରତୀୟ ତୈଳ ବିଶୋଧନାଗାର ସବୁ ଯେଉଁଠୁ ଶସ୍ତା ଏବଂ ଭଲ ମାନର ତେଲ ମିଳେ, ସେଠାରୁ କିଣନ୍ତି।
ଟ୍ରମ୍ପ୍ ଏଥିରେ ସନ୍ତୁଷ୍ଟ ନୁହନ୍ତି। ସେ ଧମକ ଦେଉଛନ୍ତି ଯେ ଯଦି ଭାରତ ରୁଷିଆଠାରୁ ତେଲ କିଣିବା ଜାରି ରଖେ, ତେବେ ଭାରତୀୟ ସାମଗ୍ରୀ ଉପରେ ଅଧିକ ବାଣିଜ୍ୟିକ ଟିକସ ଲଗାଯିବ। ଏହା ଆମେରିକାରେ ତାଙ୍କର ରାଜନୈତିକ ଲାଭ ପାଇଁ କରାଯାଉଛି; କାରଣ ଆମେରିକୀୟ ମତଦାତାମାନେ ରୁଷିଆ ବିରୋଧୀ କଠୋର ମନୋଭାବ ପସନ୍ଦ କରନ୍ତି। ଏହି ଧମକ କିନ୍ତୁ ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଉଛି। ଆମେରିକା ଏବଂ ଭାରତ ମିତ୍ର ରାଷ୍ଟ୍ର, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସୀ; କିନ୍ତୁ ମିତ୍ରତାର ଅର୍ଥ ଏହା ନୁହେଁ ଯେ ଗୋଟିଏ ଦେଶ ଅନ୍ୟକୁ ବାଧ୍ୟ କରିବ ତୃତୀୟ ଦେଶ ସହ ବ୍ୟାବସାୟିକ ସଂପର୍କ ଛିନ୍ନ କରିବାପାଇଁ।
ଟ୍ରମ୍ପଙ୍କର ଏହି ବିବାଦୀୟ ବୟାନକୁ ଭାରତ ଚତୁରତାର ସହ ସମ୍ମୁଖୀନ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଦୀପାବଳି ଶୁଭେଚ୍ଛା ପଠାଇଲେ; କିନ୍ତୁ ତେଲ ବିଷୟରେ କିଛି କହିଲେ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ସିଧାସଳଖ ବିବାଦରୁ ଦୂରେଇ ରହୁଛି। ତଥ୍ୟ ଦର୍ଶାଉଛି ଯେ ସରକାରୀ ରିଫାଇନାରୀଗୁଡ଼ିକ ଦ୍ବାରା ରୁଷିଆଠାରୁ ତେଲ କିଣିବା ବଜାର ଚାହିଦା କାରଣରୁ ହ୍ରାସ ହୋଇଛି। ଏହା କୌଣସି ରାଜନୈତିକ ଚାପ କାରଣରୁ ନୁହେଁ। ତେଲ ଦାମ କମ୍ ବେଶି ହେଉଛି, ପରିବହନରେ ସମସ୍ୟା ଅଛି, ଏସବୁ ସାଧାରଣ ବ୍ୟାବସାୟିକ କାରଣ। ମାତ୍ର ଭାରତ ଦ୍ବାରା ତୈଳକ୍ରୟ କମ୍ କରାଯିବାର ଶ୍ରେୟ ଟ୍ରମ୍ପ ନେବାକୁ ଚାହୁଁଛନ୍ତି।
ତେବେ ପ୍ରକୃତରେ ଏହି ବିବାଦ କେବଳ ତେଲ କିଣାବିକା ବିଷୟରେ ନୁହେଁ, ଏହା ଭାରତର ସ୍ୱାଧୀନ ନିଷ୍ପତ୍ତି ନେବାର ଅଧିକାର ବିଷୟରେ। ଭାରତକୁ ଆମେରିକା ସହିତ ଭଲ ସମ୍ପର୍କ ବଜାୟ ରଖିବା ସହ ନିଜର ଆର୍ଥିକ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରଖିବାକୁ ପଡ଼ିବ। କୌଣସି ଦେଶ, ଯେତେ ବଡ଼ ମିତ୍ର ହେଲେ ମଧ୍ୟ, ଭାରତର ଏହି ମୌଳିକ ଅଧିକାରରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ।



