ସ୍ବୀୟ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଅପରକୁ କଳେବଳେ କୌଶଳେ, ଅବଦମିତ କରି ନିଜ ଆୟତ୍ତରେ ରଖିବା, ଏପରି କି ଅନ୍ୟାୟ ଅନୀତିର ଆଶ୍ରୟ ନେଇ ଅନ୍ୟର ଧନ ଅପହରଣ କରି ନିଜର ସମ୍ପତ୍ତି ବୃଦ୍ଧି କରିବା, ନିଜେ ଯଶ, ଖ୍ୟାତି, ଗୌରବ ଲାଭ ଆଶାରେ ଫନ୍ଦିଫିସାଦି, ଅପରକୁ ଚକ୍ରାନ୍ତ ପୂର୍ବକ ଜାଲରେ ଫସାଇ ନିନ୍ଦିତ କରିବା ଆଦି ସକଳ ପ୍ରକାର ଅନୀତି, କୁନୀତିର ଆଶ୍ରୟ ନେବାରେ ଅଧିକାଂଶ ଜୀବନର ଧ୍ୟେୟ ମଣିଥାନ୍ତି। ଏହାର ଅନ୍ତରାଳରେ ନିହିତ ଥାଏ ସେମାନଙ୍କର କୁତ୍ସିତ ଲାଳସା (ଲୋଭ) ରୂପୀ ଉଦଗ୍ର କାମନା। ଏହି କାମନାର ନିଆଁରେ ଜଳିଜଳି ନିଃଶେଷ ହୋଇଗଲେ ମଧ୍ୟ କାମନାର ତୃପ୍ତି ନିମନ୍ତେ ଶେଷ ଚେଷ୍ଟା ଜାରି ରଖିଥାନ୍ତି। ଲାଳସା, କାମନା ସମ୍ପର୍କିତ ନିମ୍ନୋକ୍ତ ପ୍ରସଙ୍ଗ-ସନ୍ଥ ପ୍ରବ୍ରଜ୍ୟାରେ ଶିଷ୍ୟ ସହ ଯାତ୍ରା କରୁଥିବାବେଳେ ମାର୍ଗରେ ହାବୁଡ଼ି ଯାଇଥିଲେ ଜଣେ ରାଜା। ସୈନ୍ୟସାମନ୍ତ ସହ ପଟୁଆରରେ ଯାଉଥାନ୍ତି। ବିପରୀତ ଦିଗରୁ ଆସୁଥିବା ସନ୍ନ୍ୟାସୀଙ୍କୁ ଦେଖି ରଥ ପୃଷ୍ଠରୁ ଓହ୍ଲାଇ ପ୍ରଣାମ କରି କହିଥିଲେ- ‘ମହାଭାଗ! ମୁଁ ଚକ୍ରବର୍ତ୍ତୀ ସମ୍ରାଟ, ମୋ ନିକଟରେ ଅପାର ଧନଦୌଲତ ଅଛି। ସାମ୍ରାଜ୍ୟର ପରିସୀମା ବୃଦ୍ଧି ନିମନ୍ତେ ମୁଁ ପଡ଼ୋଶୀ ରାଜ୍ୟ ଜୟ ଅଭିଯାନରେ ବାହାରିଛି। କୃପା କରି ମୋତେ ଆଶୀର୍ବାଦ କରନ୍ତୁ।’ ସନ୍ଥ ଅଳ୍ପ ହସି ରାଜାଙ୍କ ହାତ ମୁଠାରେ ଗୋଟିଏ ମୁଦ୍ରା ରଖିଦେଇଥିଲେ। ଆଶୀର୍ବାଦ କିନ୍ତୁ ଦେଇ ନଥିଲେ। ରାଜା ଏଥିରେ ଆଶ୍ଚର୍ଯ୍ୟାନ୍ବିତ ହୋଇ କହିଥିଲେ- ‘ମହାଭାଗ! ଆପଣ କ’ଣ ଶୁଣିପାରିଲେନି ଯେ ମୋ ପାଖରେ ଅପାର ଧନସମ୍ପଦ ଅଛି। ମୋ ପକ୍ଷେ ଗୋଟିଏ ମୁଦ୍ରାର ଆବଶ୍ୟକତା କ’ଣ ଥାଇପାରେ? ଏହା ତ ହାସ୍ୟାସ୍ପଦ କଥା।’ ସନ୍ଥ ଏହା ଶୁଣି କହିଥିଲେ- ‘ତୁମ କଥା ଶୁଣିଛି ବୋଲି ତ ମୁଦ୍ରାଟି ଦେଉଛି, ଅନ୍ୟଥା ଦେଇ ନଥାନ୍ତି। ରାସ୍ତାରେ ପଡ଼ିଥିବା ଏହି ମୁଦ୍ରାକୁ ପାଇଥିଲି ମୁଁ। ପାଇଲା ପରେ ମୋର ମନକୁ ଆସିଲା ଦୁନିଆର ସବୁଠାରୁ ଦରିଦ୍ର ବ୍ୟକ୍ତିଙ୍କୁ ଏହି ମୁଦ୍ରାଟି ଦାନ କରିବି। ଆଜି ଆପଣଙ୍କୁ ଦେଖି, ଆପଣଙ୍କ କଥା ଶୁଣିବା ପରେ ମନକୁ ଆସୁଛି ଆପଣ ହିଁ ଦୁନିଆର ସବୁଠାରୁ ଦରିଦ୍ର ବ୍ୟକ୍ତି। ତେଣୁ ଆପଣଙ୍କୁ ଦେବାକୁ ଉଚିତ ମଣିଲି, ଯିଏ ଅପାର ଧନ ସମ୍ପଦର ଅଧିକାରୀ ହୋଇ ବି ଅପରକୁ ଲୁଟି ଧନସମ୍ପଦ ଆହରଣ ନିମିତ୍ତ ପଶ୍ଚାତ୍ପଦ ହେଉନାହାନ୍ତି।’
ସନ୍ଥଙ୍କଠାରୁ ଏହା ଶୁଣିବା ପରେ ଲଜ୍ଜାରେ ରାଜାଙ୍କ ମଥାନତ ହୋଇଯାଇଥିଲା। ଆପଣାର କୁତ୍ସିତ ମାନସିକତା ବଦଳାଇବା ନିମନ୍ତେ ସେହିଠାରେ ସେ ସଂକଳ୍ପ କରିଥିଲେ। ସତ୍ୟ ଏହା ଯେ ଜୀବନରେ ସବୁଠାରୁ ବଡ଼ ସମ୍ପଦ ହେଲା ସନ୍ତୋଷ। ସନ୍ତୋଷରୂପୀ ମହାର୍ହ ଧନ ଯାହାଙ୍କ ନିକଟରେ ଅଛି, ଅନ୍ୟ ପାର୍ଥିବ ବସ୍ତୁର ଆକର୍ଷଣ ତାଙ୍କୁ ବିଚଳିତ କରେନାହିଁ ଆଦୌ।
ଚିନ୍ତାକଳ୍ପ: ସବୁଠାରୁ ଦରିଦ୍ର
Popular Categories



