ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଟ୍ରେନଟି ସିରହିନ୍ଦ ଷ୍ଟେସନ ଅତିକ୍ରମ କରିବା ମାତ୍ରେ କୋଚ୍ ନମ୍ବର ୧୯ରୁ ଧୂଆଁ ବାହାରିବାକୁ ଲାଗିଥିଲା, ଯାହା ଫଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇବା ଆରମ୍ଭ କରିଥିଲେ ।
୧୯ନମ୍ବର କୋଚରେ ଅନେକ ବ୍ୟବସାୟୀ ଥିଲେ, ଯେଉଁମାନେ କି ଚେନ୍ ଟାଣି ଟ୍ରେନକୁ ଅଟକାଇ ଦେଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କୁହାଯିବାରୁ ଜୀବନ ବିକଳରେ ଯାତ୍ରୀମାନେ ଓହ୍ଲାଇବାରେ ଲାଗିଥିଲେ । ଟ୍ରେନର ୨ରୁ ୪ଟି ବଗି ଜଳିଯାଇଥିବା ସୂଚନା ମିଳିଛି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଇଛି ।ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ଖବର ପାଇ ଷ୍ଟେସନ ଅଧିକାରୀ, କର୍ମଚାରୀ, ଜିଆରପି, ଆରପିଏଫ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।
ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି । ରେଳ ଇଞ୍ଜିନିୟରଙ୍କ ଏକ ଟିମ୍ ଖୋଳତାଡ କରୁଛନ୍ତି । ବିଶୃଙ୍ଖଳାରେ ଟ୍ରେନରୁ ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।



