ବୈଷ୍ଣଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ । ମାଙ୍କ ଦର୍ଶନ ବି କରିଲେ । ହେଲେ ଫେରିବା ବେଳେ ଘରକୁ ଫେରି ପାରଲେ ନାହିଁ । ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ଥିବା କଟରା ହେଲିପ୍ୟାଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳର ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ତରଭାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ତରଭାର ଦୁଇ ବନ୍ଧୁ ହେଉଛନ୍ତି ବିଚିତ୍ର ସାହୁ(୬୬) ଓ ଯୋଗୀନ୍ଦ୍ର ମଟାରୀ(୬୬) । ବିଚିତ୍ର ସାହୁଙ୍କ ପତ୍ନୀ କବିତା ସାହୁ (୫୮) ଓ ଯୋଗୀନ୍ଦ୍ର ମଟାରୀଙ୍କ ପତ୍ନୀ ସ୍ନେହଲତା ମଟାରୀ (୫୬), ପୁଅ ଆଶୁତୋଷ ମଟାରୀ, ଝିଅ ଚିନ୍ମୟୀ ମଟାରୀ ଓ ପୁତ୍ରବଧୁ ଅଲିଭା ମଟାରୀ ଗତ ୧୧ ତାରିଖରେ ବଲାଙ୍ଗିରରୁ ବୈଷ୍ଣଦେବୀ ଦର୍ଶନ ପାଇଁ ଯାଇଥିଲେ । ମଙ୍ଗଳବାର ସକାଳ ୯ଟାରେ ବୈଷ୍ଣଦେବୀଙ୍କ ଦର୍ଶନ ସାରି ହେଲିକପ୍ଟରରେ କଟରାକୁ ଫେରିଥିଲେ । ପରେ କଟରା ହେଲିପ୍ୟାଡ଼ରୁ ଗୋଟିଏ ଅଟୋ ଭଡା କରିଥିଲେ । ଅଟୋରେ ଦୁଇ ବନ୍ଧୁ ସପତ୍ନୀଙ୍କ ବସିଥିବା ବେଳେ ଅନ୍ୟମାନେ ଚାଲି ଚାଲି ଆସୁଥିଲେ । ଜାମ୍ମୁ କଟରା ଏକ୍ସପ୍ରେସ୍ ୱେରେ ଅଟୋ ଯାଉଥିବା ବେଳେ ଏକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଅଟୋକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋଟି ଚୁରମାର ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ବିଚିତ୍ର, ଯୋଗୀନ୍ଦ୍ର ଓ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ କବିତା ଓ ସ୍ନେହଲତା ଗୁରୁତର ଆହତ ହୋଇଥିଲେ । ପୁଲିସ ଓ ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ସମସ୍ତଙ୍କୁ କଟରା ସିଏଚ୍ସିକୁ ନେଇଥିଲେ । ବିଚିତ୍ର ଓ ଯୋଗୀନ୍ଦ୍ର ଓ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଗୁରୁତର କବିତା ଓ ସ୍ନେହଲତାଙ୍କୁ ଜମ୍ମୁ ଜିଏମ୍ସି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଜାମ୍ମୁ ଯିବା ରାସ୍ତାରେ କବିତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଜିଏମ୍ସି ଡାକ୍ତରଖାନାରେ ଗୁରୁତର ସ୍ନେହଲତାଙ୍କ ଚିକିତ୍ସା ଚାଲିଛି । ମୃତ ବିଚିତ୍ର ତରଭା ବରିଷ୍ଠ ନାଗରିକ ସଂଘର ସମ୍ପାଦକ, ସରସ୍ୱତୀ ଶିଶୁ ମନ୍ଦିର କମିଟିର ସମ୍ପାଦକ ସହ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଯୋଗୀନ୍ଦ୍ର ମଟାରୀ ବରିଷ୍ଠ ନାଗରିକ ସଂଘର ସହ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ଉଭୟ ବନ୍ଧୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଚାକିରି କରି ଅବସର ଗ୍ରହଣ କରିଥିଲେ । ଏହି ଖବର ପାଇବା ପରେ ତରଭା ଅଞ୍ଚଳରେ ଗଭୀର ଶୋକ ଖେଳି ଯାଇଛି ।



