ତେଲଆଭିଭ୍: ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ଏହା ସହିତ ଆତଙ୍କବାଦୀମାନେ ଅନେକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ। ହମାସ ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ଇସ୍ରାଏଲ ତୁରନ୍ତ ପ୍ରତିଆକ୍ରମଣ ପୂର୍ବକ ଗାଜା ଉପରେ କ୍ଷେପଣାସ୍ତ୍ର ମାଡ ଆରମ୍ଭ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି ଯେ ହମାସ ଆତଙ୍କବାଦୀ ସଂଗଠନକୁ ପୃଥିବୀ ପୃଷ୍ଠରୁ ସମୂର୍ଣ୍ଣ ମୂଳପୋଛ କରିଦେବେ। ଦୁଇବର୍ଷର ଯୁଦ୍ଧରେ ୬୭,୦୦୦ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଲେଣି। ଏହା ସହିତ ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନର ଗାଜା ସହର ଧ୍ବଂସ ବିଧ୍ବସ୍ତ ହୋଇଗଲାଣି। ଗାଜାର ୯୦ ପ୍ରତିଶତ କୋଠାବାଡି ଧ୍ବଂସ ପାଇଯାଇଛି। ଯୁଦ୍ଧ ଯୋଗୁଁ ଘର ଛାଡି ପଳାଇଥିବା ପ୍ରାୟ ୧୯ଲକ୍ଷ ଗାଜାବାସୀଙ୍କ ଫେରିବା ଲାଗି ବାସସ୍ଥାନ ନାହିଁ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦୁଇବର୍ଷର ଯୁଦ୍ଧରେ ହମାସ ଏହାର ଅନେକ ନେତା ଓ ସଦସ୍ୟଙ୍କୁ ହରାଇଛି। ଯୁଦ୍ଧ ଯୋଗୁଁ ହମାସ ଦୁର୍ବଳ ହୋଇପଡିଛି ମାତ୍ର ଏହା ଲୋପପାଇ ନାହିଁ। ୨୦୨୩ ଅକ୍ଟୋବର ୭ ପରଠାରୁ ହମାସ ଏହାର ସଂଗଠନରେ ୧୦ରୁ ୧୫ହଜାର ନୂଆ ଯୋଦ୍ଧାଙ୍କୁ ସାମିଲ କରିଛି। ଯୁଦ୍ଧକୁ ବନ୍ଦ କରିବା ଲାଗି ଅନେକ ଥର ଅସ୍ତ୍ରବିରତି କରାଯାଇଥିଲେ ମଧ୍ୟ ଏହା ଚିରସ୍ଥାୟୀ ହୋଇପାରି ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ହମାସ ସଂଗଠନକୁ ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଶାନ୍ତି ପ୍ରସ୍ତାବରେ ହମାସକୁ ଅସ୍ତ୍ରଶସ୍ତ୍ର ଛାଡିବାକୁ କୁହାଯାଇଛି। ଏହା ସହିତ ଗାଜାକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିବା ଲାଗି ହସାମକୁ କୁହାଯାଇଛି। ଗାଜାକୁ ହମାସ ନିଜ ନିୟନ୍ତ୍ରଣରେ ରଖି ଏଠାରେ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି। ହମାସ ଯଦି ଟ୍ରମ୍ପଙ୍କ ଏହି ଶାନ୍ତି ପ୍ରସ୍ତାବକୁ ଗ୍ରହଣ ନକରେ ତେବେ ଏହାକୁ ସମ୍ପୂର୍ଣ୍ଣ ଲୋପ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।



