ଦେବଗଡ: ଦେବଗଡ ବନଖଣ୍ଡରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ରିଆମାଳ ରେଞ୍ଜ ରେଙ୍ଗାଳବେଡା ସେକ୍ସନ କାଉଁଶିତଇଲା ଗାଁକୁ ସଂଯୋଗ କରୁଥିବା ରାସ୍ତା କଡରେ ହାତୀର ମୃତ ଦେହ ଠାବ କରାଯାଇଛି । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ବନବିଭାଗର ଅବହେଳା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ଧାନ ଚାଷକୁ ସୁରକ୍ଷା ଦେବା ପାଇଁ ଚାଷୀ ନିଜସ୍ୱ ଉଦ୍ୟମରେ ସୋଲାର ଫେନସିଂ ତଥା ସୌରଚାଳିତ ତାରବାଡ ଲଗାଇଥିଲେ । ସୋଲାର ଫେନସିଂ ଦ୍ୱାରା ହାତୀକୁ ହାଲୁକା ଝଟକା ଲାଗିଥାଏ । ମାତ୍ର ସୌରଚାଳିତ ତାରବାଡରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ହାତୀଟିର ମୃତ୍ୟୁ ଘଟିଛି । ବନବିଭାଗ ହାତୀର ଗତିବିଧି ଉପରେ ସଠିକ ନଜର ଦେଉନଥିବାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା । ବନବିଭାଗର ଅବହେଳା ଯୋଗୁଁ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଟି ଦନ୍ତା ହାତୀ ପ୍ରାଣ ହରାଇଛନ୍ତି ।



