www.samajalive.in
Sunday, December 7, 2025
18.1 C
Bhubaneswar

ସାମାଜିକ କାର୍ଯ୍ୟ ସର୍ତ୍ତରେ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ଜାମିନ

କଟକ : ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବ୍‌ସଷ୍ଟାନ୍‌ସେସ ଆକ୍ଟ (ଏନଡିପିଏସ୍‌) ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ସମାଜ ଓ ପରିବେଶ ପାଇଁ ଭଲ କାର୍ଯ୍ୟ କରିବାକୁ କେତେକ ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୭ଟି ସର୍ତ୍ତ ମଧ୍ୟରୁ ପରିବେଶ ସୁରକ୍ଷା ପାଇଁ ୧୦୦ଟି ଚାରା ଲଗାଇବା ସହିତ ୨ ବର୍ଷ ପାଇଁ ରକ୍ଷଣାବେକ୍ଷଣ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିଭଳି ଅଭିଯୁକ୍ତଜଣକ ରଘୁନାଥଜୀଉ ଡିଗ୍ରୀ କଲେଜରେ ଚଳିତବର୍ଷ ୩ଟି ରକ୍ତଦାନ ଶିବିର ଆୟୋଜନ କରିବାକୁ ନିର୍ଦେଶ ଜାରି କରିଛନ୍ତି।
ପ୍ରକାଶ ଯେ ୨୦୨୫ ଅଗଷ୍ଟ ୧୯ରେ କଟକର ଅବକାରୀ ବିଭାଗ ମୋବାଇଲ ୟୁନିଟ୍‌ ବିଡ଼ାନାସୀ ଥାନା ଅଧୀନସ୍ଥ ଦେଉଳସାହିରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ଚନ୍ଦନ ବେହେରା ନାମକ ବ୍ୟକ୍ତି ବୁଲେଟ୍‌ରେ ବୁଲୁଥିବା ବେଳେ ତାଙ୍କୁ ଅଟକାଇଥିଲା। ଯାଞ୍ଚ ପରେ ତାଙ୍କଠାରୁ ଏକ ଜରିରେ ଥିବା ୧୧୨ ଗ୍ରାମ୍‌ ମାଦକ ଦ୍ରବ୍ୟ ହେରୋଇନ୍‌ ଜବତ କରିଥିଲା। ଅବକାରୀ ବିଭାଗ ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଏହାପରେ ଅଭିଯୁକ୍ତ ଚନ୍ଦନ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଅଦାଲତ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିବା ସହିତ ୭ଟି ସର୍ତ୍ତାରୋପ କରିଛନ୍ତି। ପ୍ରଥମ ସର୍ତ୍ତରେ ପ୍ରତ୍ୟେକ ମାସର ପ୍ରଥମ ସୋମବାର ଆବେଦନକାରୀ ପୂର୍ବାହ୍ଣ ୧୦ଟାରୁ ଦିନ ୧ଟା ମଧ୍ୟରେ ଥାନାରେ ହାଜର ହେବେ। ଦ୍ବିତୀୟରେ ସେ ତଦନ୍ତରେ ସହାୟତା କରିବା ସହ ପ୍ରତି ତାରିଖରେ ଟ୍ରାଏଲ କୋର୍ଟରେ ହାଜର ହେବେ। ତୃତୀୟରେ ଭବିଷ୍ୟତରେ କୌଣସି ଅପରାଧ କାର୍ଯ୍ୟ କରିବେ ନାହିଁ। ଚତୁର୍ଥରେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ। ପଞ୍ଚମରେ ଆବେଦନକାରୀ ଭବିଷ୍ୟତରେ ଯେଭଳି କୌଣସି ଅପରାଧମୂଳକ କାର୍ଯ୍ୟରେ ଜଡ଼ିତ ରହିବେ ନାହିଁ ସେଥିପାଇଁ ଏକ ସତ୍ୟପାଠ ସ୍ଥାନୀୟ ପୁଲିସ ଷ୍ଟେସନରେ ଦାଖଲ କରିବେ। ଷଷ୍ଠରେ ଆବେଦନକାରୀ ନିଜ ଗ୍ରାମରେ ଥିବା ସରକାରୀ ଜମି, କମ୍ୟୁନିଟି ଜମି କିମ୍ବା ତାଙ୍କ ପରିବାରର ଥିବା ଜମିରେ ଆମ୍ବ,
ନିମ୍ବ, ଇମ୍ଲି ପ୍ରଭୃତି ୧୦୦ଟି ଚାରା ରୋପଣ କରିବେ। ଯଦି ଉପଯୁକ୍ତ ଜମି ମିଳିବ ନାହଁି, ତେବେ ରାଜସ୍ବ କର୍ତ୍ତୃପକ୍ଷ ଚାରା ରୋପଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାରେ ଆବେଦନକାରୀଙ୍କୁ ସହାୟତା କରିବେ। ସପ୍ତମରେ ଆବେଦନକାରୀ କଟକ ରଘୁନାଥଜୀଉ ଡିଗ୍ରୀ କଲେଜରେ ୩ଟି ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ଥାନାଧିକାରୀ ଓ ବନ ଅଧିକାରୀ ଆବେଦନକାରୀ ପ୍ରକୃତରେ ଚାରା ରୋପଣ କରିଲେ ନା ନାହିଁ ଓ ଏହାର ରକ୍ଷଣାବେକ୍ଷଣ କରାଯାଉଛି ନା ନାହିଁ ତାହା ତଦାରଖ କରିବେ। ଏହାଛଡ଼ା ଅଦାଲତ ଆହୁରି ନିର୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ଚାରା ରୋପଣ କରିବା ପରେ ଦୁଇବର୍ଷ ପାଇଁ ଉକ୍ତ ଚାରାର ରକ୍ଷଣାବେକ୍ଷଣ କରିବେ ବୋଲି ଏକ ଶପଥପତ୍ର ସ୍ଥାନୀୟ ପୁଲିସ ଥାନାରେ ଦାଖଲ କରିବେ। ଜିଲା ବନ ଅଧିକାରୀ ଉକ୍ତ ୧୦୦ ଚାରା ଯୋଗାଣ ପାଇଁ ଅଭିଯୁକ୍ତଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସ୍ମୃତି ରଞ୍ଜନ ଦାଶ ମାମଲା ପରିଚାଳନା କରୁଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories