ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ନବରଙ୍ଗପୁର ଏବଂ ବଲାଙ୍ଗିର ଜିଲାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ସମ୍ବଲପୁର ଏବଂ ବରଗଡ଼ ଜିଲାର କିଛି ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇଛି। ମହାନଦୀ ଏବଂ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ଜଳପ୍ରବାହ ବଢ଼ିଛି। ଫଳରେ ହୀରାକୁଦର ୧୬ଟି ଫାଟକ ଖୋଲିଛି। ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତାକାଲି ୨୫ତାରିଖରେ ପୁଣି ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହିତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମହାନଦୀ ତଳମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ
ମହାନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି। ଆସନ୍ତା ୨୭ତାରିଖରେ ମୁଣ୍ଡଳୀ ଦେଇ ମହାନଦୀରେ ୭ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ତଳ ମୁଣ୍ଡରେ ଏକ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସମ୍ଭାବନା ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ବୁର୍ଲାରେ ସର୍ବାଧିକ ୨୨୬ ମି.ମି. ବର୍ଷା ହୋଇଥିବାବେଳେ ଜିଲାର ଧାନକଉଡ଼ା ୧୭୮.୨, ସମ୍ବଲପୁର ୧୭୭.୧, ହୀରାକୁଦ ୧୬୩.୬ ମି.ମି. ବର୍ଷା ହୋଇଛି। କେନ୍ଦୁଝର ଜିଲାର ହାଟଡିହିରେ ୧୮୦.୨ମି.ମି. ବର୍ଷା ହୋଇଛି। ବରଗଡ଼ ଜିଲାର ଆମ୍ବାଭୋନା ୧୮୦, ଅତାବିରା ୧୧୬, ବରଗଡ଼ ୧୧୨.୬, ସୋହେଲା ୧୦୧, ନବରଙ୍ଗପୁର ଜିଲାର ଉମରକୋଟ ୧୨୫.୨, ମୟୂରଭଞ୍ଜ ଜିଲାର ତିରିଂରେ ୧୨୪.୬ ଏବଂ ବଲାଙ୍ଗିର ଜିଲାର ପାଟଣାଗଡ଼ରେ ୯୯ମି.ମି ବର୍ଷା ରେକର୍ଡ ହୋଇଛି। ଆଜି ଉତ୍ତର, ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରୀୟ ମିଆଁମାର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ।
ପରବର୍ତ୍ତୀ ସମୟରେ ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୨୬ତାରିଖ ବେଳକୁ ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଅବପାତ ରୂପ ନେବ। ୨୭ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର କୌଣସି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଦକ୍ଷିଣ ଛତିଶଗଡ଼ ଦେଇ ଗୁଜରାଟ ଆଡ଼କୁ ମୁହଁାଇବ। ଏହାର ପ୍ରଭାବରେ ଗୁରୁବାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୬ ଓ ୨୭ରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମାଲକାନଗିରି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳ ପତ୍ତନ ୬୨୯.୫୮ଫୁଟ ଛୁଇଁଛି। ବୁଧବାର ରାତି ୯ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ, ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୧୫ ହଜାର ୬୩୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୨ଲକ୍ଷ ୯୮ ହଜାର ୨୨୪କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି।



