ଖଇରପୁଟ: ବଣ୍ଡାଘାଟି ଅଞ୍ଚଳକୁ ଯାତାୟାତ କରିବା ଆଉଥରେ ବିପଦପୂର୍ଣ୍ଣ ହୋଇଛି। ଖଇରପୁଟ ବ୍ଲକ ସଦର ମହକୁମାରୁ ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତା ମାଙ୍କଡ଼ଝୋଲା ନିକଟରେ ପୁଣିଥରେ ରାସ୍ତା ତଳୁ ମାଟି ଧସିଛି। ଗତ କିଛିଦିନ ଧରି ଅନବରତ ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ଆସୁଥିବା ବର୍ଷାଜଳ ସିଧାସଳଖ ରାସ୍ତା ଉପରେ ପଡୁଥିବାରୁ ରାସ୍ତାର ତଳଭାଗ ଅତଡା ଧସିଛି। ରାସ୍ତାର ଏକାଧିକ ଅଂଶ ଦୁର୍ବଳ ହୋଇପଡ଼ିଥିବାରୁ ଯାତାୟାତ ସ୍ବାଭାବିକ ରହିପାରୁନି।

ଖବର ପାଇ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରବଳ ବର୍ଷା ଜାରି ରହିଲେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବାର ସମ୍ଭାବନା ରହିଛି। ବିଗତ ବର୍ଷ ମଧ୍ୟ ଏହି ସ୍ଥାନରେ ମାଟି ଅତଡ଼ା ଧସିବା ଯୋଗୁଁ ଦୀର୍ଘ ଦିନ ପର୍ଯ୍ୟନ୍ତ ବଣ୍ଡାଘାଟିକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଣିଥରେ ତାହାର ପୁନରାବୃତ୍ତି ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି।



