www.samajalive.in
Tuesday, December 9, 2025
16.1 C
Bhubaneswar

ସଡ଼କରେ ଜଗିଛି ପୁଲିସ; ଜଳପଥରେ ବାଲି ଚାଲାଣ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ବ୍ଲକରେ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଯେତେ ପଦକ୍ଷେପ ନେଉଛି ସେହି ଅନୁରୂପ ବାଲି ମାଫିଆ ତାଙ୍କର ତରିକା ବଦଳାଇ ଚାଲିଛନ୍ତି। ସଡ଼କରେ ପୁଲିସ ବାଲି ମାଫିଆଙ୍କୁ ଧରିବା ପାଇଁ ଛକି ବସିଥିବାବେଳେ ଲଘୁସୈରାତ ଲୁଟେରା କିନ୍ତୁ ବାଲି ଲୁଟ୍‌ ପାଇଁ ଅଭିନବ ତରିକା ଆପଣାଇଛନ୍ତି। ବାଲେଶ୍ବର ଓ ମୟୂରଭଞ୍ଜ ଜିଲାର ସୋନ ନଦୀରେ ବାଲି ମାଫିଆମାନେ ଭେଳା କରି ବେଧଡ଼କ ବାଲି ଚୋରା ଚାଲାଣ କରୁଥିବାବେଳେ ପୁଲିସ ଓ ଖଣି ବିଭାଗ ଗାମୁଛା ପିନ୍ଧି ନଈରେ ପ୍ରବେଶ କରି ମାଫିଆଙ୍କୁ ଧରିବାକୁ ସଫଳ ହୋଇନଥିଲେ ହେଁ ଭେଳାକୁ ଜବତ କରିଛନ୍ତି। ସଂପ୍ରତି ବର୍ଷାଋତୁରେ ସମସ୍ତ ସରକାରୀ ବାଲି ସୈରାତ ବନ୍ଦ ଥିବା ଏବଂ ନଈ ଭରିକି ଥିବାରୁ ବାଲି ମାଫିଆମାନେ ପାଣିରୁ ବାଲିକୁ ଛାଣି ନୌକାରେ ଭର୍ତ୍ତି କରି ନଈଦାଢ଼ରୁ ସିଧାସଳଖ ଟ୍ରାକ୍ଟରରେ ଚାଲାଣ କରୁଛନ୍ତି। ଏହି ବେଆଇନ ବାଲି ଚାଲାଣ ରୋକିବାକୁ ଆଜି କନିଷ୍ଠ ଖଣି ଅଧିକାରୀ ଓ ଜଣେ ହାବିଲଦାର ଭରା ନଈକୁ ଡେଇଁ ପହଁରି ପହଁରି ମାଫିଆଙ୍କ ପିଛା କରିଥିଲେ। ମାଫିଆମାନେ ଖସି ଯାଇଥିଲେ ସୁଦ୍ଧା ନଈ ମଝିରେ ବାଲି ମାଫିଆଙ୍କ ଉପରେ ଚଢ଼ଉ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ, ବାଲିମାଫିଆ କିଛି ଦିନ ପୂର୍ବରୁ ପୁଲିସ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ଛଡ଼ାଇ ନେବା ସହ ଖଣି ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। କିଛି ଅସାଧୁ କର୍ମଚାରୀଙ୍କ ସହ ମାଫିଆଙ୍କ ସଲାସୁତୁରା ଯୋଗୁଁ ବାରମ୍ବାର ଚଢ଼ଉ ବିଫଳ ହେଉଥିଲା। ତେବେ ଆଜି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ କର୍ମଚାରୀ ଚଢ଼ଉ ସ୍ଥଳକୁ ଯାଇଥିଲେ। ଅଯୋଧ୍ୟା ଫାଣ୍ଡି ଅଧିକାରୀ ସରୋଜ ଦାଶଙ୍କ
ସମେତ ୧ ସେକ୍ସନ ପୁଲିସ ଫୋର୍ସ ନଦୀ ପଠାକୁ ଘେରି ଯାଇଥିଲେ। ଏହା ପରେ ହାବିଲଦାର ସନ୍ତୋଷ ରାଉତଙ୍କ ସହ କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଦାସ ପ୍ରମୁଖ ଗାମୁଛା ପିନ୍ଧି ନଈ ମଝିକୁ ପହଁରି ପହଁରି ଯାଇଥିଲେ। ସେମାନଙ୍କୁ ଦେଖି ବାଲି ମାଫିଆ ଛତ୍ରଭଙ୍ଗ ଦେଇଥିଲେ। ହାବିଲଦାର ଶ୍ରୀ ରାଉତ ଓ ଅନ୍ୟ କେତେକ ପୁଲିସ କର୍ମଚାରୀ ସୋନନଦୀ ଗର୍ଭରୁ ୫ଟି ଭେଳା ଜବତ କରିଛନ୍ତି। ଏହି ଭେଳାଗୁଡ଼ିକୁ ନୀଳଗିରି ଥାନାକୁ ଅଣାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories