ନୂଆଦିଲ୍ଲୀ: ଆମେ ଆମର ସମ୍ବିଧାନ ପାଇଁ ଗର୍ବିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ବୁଧବାର ମତବ୍ୟକ୍ତ କରିଛନ୍ତି। ପ୍ରେସିଡେନ୍ସିଆଲ ରେଫରେନ୍ସ ଉପରେ ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି ଏପରି କହିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥା ନଷ୍ଟ ହୋଇଗଲେ ତାହା ଅରାଜକତା ଆଡକୁ ଚାଲିଯାଏ। ଆମର ପଡୋଶୀ ଦେଶ ନେପାଳ ଓ ବାଂଲାଦେଶରେ ଯାହା ଏବେ ଘଟିଛି ତାହା ସାମ୍ବିଧାନିକ ବିଧିବ୍ୟବସ୍ଥାର ଅଚଳାବସ୍ଥାକୁ ସୂଚିତ କରୁଛି। ଭାରତର ସାମ୍ବିଧାନିକ ବିଧିବ୍ୟବସ୍ଥାରେ ସ୍ଥିରତା ରହିଥିବାରୁ ଏଠାରେ ଅରାଜକତା ଭଳି ପରିସ୍ଥିତି ସୃଷ୍ଟି ଉପୁଜୁ ନାହିଁ। ଭାରତର ନ୍ୟାୟପାଳିକା ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ବଜାୟ ରଖିବା ଦିଗରେ ଦୃଢତାର ସହ କାର୍ଯ୍ୟ କରୁଛି ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏପ୍ରିଲ ୧୨ ନିର୍ଦେଶ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାୟର କରିଥିବା ପ୍ରେସିଡେନ୍ସିଆଲ ରେଫରେନ୍ସ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଶୁଣାଣି ଜାରି ରଖିଛନ୍ତି।
ପ୍ରେସିଡେନ୍ସିଆଲ ରେଫରେନ୍ସରେ ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି ଯେ ବିଧେୟକ ମଞ୍ଜୁରୀ କ୍ଷେତ୍ରରେ ଶୀର୍ଷ ଅଦାଲତ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରିପାରିବେ କି? ଆଜିର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ରାଜ୍ୟପାଳମାନେ ବିଲ୍ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ବିଳମ୍ବ କରୁଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ୧୯୭୦ରୁ ୨୦୨୫ ମଧ୍ୟରେ ରାଜ୍ୟପାଳମାନେ ମାତ୍ର ୨୦ଟି ବିଲ୍କୁ ବିଳମ୍ବ କରିଥିବାର ନଜିର ରହିଛି। ଦେଶର ପ୍ରାଦେଶିକ ସରକାରଙ୍କ ଦ୍ବାରା ଯେତେସବୁ ବିଲ୍ ଅନୁମୋଦନ ହୋଇଛି ସେଥିରୁ ୯୦ ପ୍ରତିଶତ ବିଲ୍କୁ ରାଜ୍ୟପାଳମାନେ ମାତ୍ର ଏକମାସ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମେହେଟ୍ଟା କହିଥିଲେ ଯେ ରାଜ୍ୟପାଳମାନଙ୍କୁ ରାଜ୍ୟର ଆଳଙ୍କାରିକ ମୁଖ୍ୟ ଭାବେ ବିବେଚନା କରାଯାଇପାରିବ ନାହିଁ। ସମ୍ବିଧାନର ସୁରକ୍ଷା ପାଇଁ ରାଜ୍ୟପାଳ ଏକ ବିଧେୟକକୁ ଅଗ୍ରାହ୍ୟ କରିପାରିବେ ବୋଲି ସେ କହିଥିଲେ।
ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ



