www.samajalive.in
Sunday, December 7, 2025
18.1 C
Bhubaneswar

ଏସ୍‌ସିବିରୁ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତର୍ଦ୍ଧାନ ଘଟଣାର ନୂଆ ମୋଡ଼: ନିଦ ଇଞ୍ଜେକ୍ସନ୍‌‌ ସତ୍ତ୍ବେ କେମିତି ହେଲେ ଉଭାନ

କଟକ: ଗଣ ଦୁଷ୍କର୍ମର ଶିକାର ହୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୀଡ଼ିତା ଉଭାନ ହୋଇଯିବା ଘଟଣାରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଶୁକ୍ରବାର ପୁଲିସ ଘଟଣା ଘଟିଥିବା ଜଗତପୁର ଥାନା ଅଞ୍ଚଳର ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିଛି। ଏହାପରେ ପୁଲିସ ମେଡିକାଲରେ ପହଞ୍ଚି ନିଖୋଜ ଯୁବତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ହେଲେ ଘଟଣାର ୩୬ ଘଣ୍ଟା ପରେ ମଧ୍ୟ ଯୁବତୀଙ୍କୁ ଠାବ କରିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟପକ୍ଷରେ ଘଟଣାକୁ ଚପାଇଦେବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଥିବା ନେଇ ପୀଡ଼ିତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଯୁବକମାନେ ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୧ଟାରେ ଜଗତପୁର ନୂଆସାହି ନିକଟ କେନ୍ଦ୍ରାପଡ଼ା କେନାଲ ରାସ୍ତାରେ ଏକୁଟିଆ ଯାଉଥିବା ଜଣେ ଯୁବତୀଙ୍କୁ ୪ଜଣ ଯୁବକ ଏକ ପୋଲ ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏହି ସମୟରେ ସ୍ଥାନୀୟ ଜଣେ ବ୍ୟକ୍ତି ଫେରୁଥିବା ବେଳେ ଯୁବତୀଙ୍କ ଚିତ୍କାର ଶୁଣି ସନ୍ଦେହ କରିଥିଲେ। ଏହାପରେ ସେ ଘଟଣା ସମ୍ପର୍କରେ ଗ୍ରାମରେ ଜଣାଇଥିଲେ। ଘଟଣାସ୍ଥଳକୁ କିଛି ଯୁବକ ଆସିବା ବେଳକୁ ଅଭିଯୁକ୍ତମାନେ ଯୁବତୀଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ସେତେବେଳେ ପୀଡ଼ିତା ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ। ଘଟଣା ସମ୍ପର୍କରେ ସମ୍ପୃକ୍ତ ଯୁବକମାନେ ମହିଳା ଥାନାକୁ ଫୋନ କରି ଜଣାଇଥିଲେ। ହେଲେ ସେମାନେ ଏଠାକୁ ଆସିବା ପରିବର୍ତ୍ତେ ଜଗତପୁର ଥାନାକୁ ଜଣାଇବା ଲାଗି କହିଥିଲେ। ଥାନାକୁ ଖବର ଦିଆଯିବା ପରେ ପିସିଆର ଭ୍ୟାନରେ ତିନିଜଣ ପୁଲିସ କର୍ମଚାରୀ ଆସି ପହଞ୍ଚିଥିଲେ। ସେତେବେଳକୁ ଯୁବତୀଙ୍କ ଚେତା ଫେରି ଆସିଥିଲା। ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ନେବା ପରିବର୍ତ୍ତେ ମହିଳା ପୁଲିସ ନ ଥିବା କହି ଚାଲିଯିବା ଲାଗି ଯୁବତୀଙ୍କୁ କହିଥିଲା। ତେବେ ସେ ସେଠାରୁ ନ ଯିବାରୁ ପିସିଆର ଲାଇଟରେ ତାଙ୍କୁ ନିଆଯାଇ ଘଟଣାସ୍ଥଳରୁ ପାଖାପାଖି ୪୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଫାର୍ମ ପାଖରେ ଛାଡ଼ିଦେଇ ଚାଲିଯାଇଥିଲେ।
ଯୁବତୀଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଯୁବକମାନେ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ରାତିପ୍ରାୟ ୧୨ଟା ୨୦ରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା, ହେଲେ ଯୁବତୀଙ୍କର ସାଙ୍ଗରେ କେହି ନ ଗଲେ ତାକୁ ନେଇ ପାରିବେ ନାହିଁ ବୋଲି ଜଣେ କର୍ମଚାରୀ କହିଥିଲେ। ଫଳରେ ୩ଜଣ ଯୁବକ ଯୁବତୀଙ୍କୁ ନେଇ ରାତି ୧୨ଟା ୪୦ରେ ଏସସିବି ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚପରେ ଶୋଇବା ଲାଗି ଇଞ୍ଜେକସନ ଦିଆଯାଇଥିଲା। ଉପସ୍ଥିତ ଥିବା ପରିଚିତ ସହାୟକଙ୍କ ସହ ଆଲୋଚନା କରି ରାତିପ୍ରାୟ ସାଢେ ୩ଟା ସମୟରେ ତିନି ଯୁବକ ଘରକୁ ଚାଲିଆସିଥିଲେ। ଭୋର ୫ଟାରେ ସେମାନଙ୍କୁ ଖବର ମିଳିଥିଲା ଯେ ଯୁବତୀଙ୍କର କୌଣସି ଖୋଜଖବର ମିଳୁନାହିଁ। ଏହି ଖବର ଜାଣିବା ପରେ ସକାଳ ପ୍ରାୟ ୮ଟାରେ ସେମାନେ ମେଡିକାଲରେ ପହଞ୍ଚି ପଚରାଉଚରା କରିବା ସହିତ ପାଖଆଖରେ ଖୋଜ ଖବର ନେଇଥିଲେ, ହେଲେ କେଉଁଠାରେ ତାଙ୍କୁ ପାଇ ନ ଥିଲେ।
ବଡ଼ ଡାକ୍ତରଖାନାରୁ ଯୁବତୀ ନିଖୋଜ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଥିଲା। ଏଭଳି ଏକ ଘଟଣା ପାଇଁ ଉଦ୍ଧାରକାରୀ ଯୁବକମାନେ ପୁଲିସକୁ ଦାୟୀ କରିଛନ୍ତି। ନିଜର ଅପାରଗତା ଲୁଚାଇବାକୁ ଯାଇ ଯୁବତୀଜଣକ ଏକ ମାନସିକ ରୋଗୀ ଥିଲେ ବୋଲି ପୁଲିସ କହିବା ଆରମ୍ଭ କରିଦେଇଛି। ତେବେ ଏଠାରେ ପ୍ରଶ୍ନ ଉଠେ କି ଯଦି ଯୁବତୀଜଣକ ମାନସିକ ରୋଗୀ ଥିଲେ ଏବଂ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିଲେ ବୋଲି ଆଗରୁ ପୁଲିସ ଜାଣିଥିଲା, ତେବେ ତାଙ୍କୁ ଉଦ୍ଧାରକରି ମେଡିକାଲ କିମ୍ବା ବସୁନ୍ଧରାକୁ ନେଇ ପହଞ୍ଚାଇଲା ନାହିଁ କାହିକି? ଏହାଛଡ଼ା ଘଟଣାଦିନ ରାତିରେ ଯୁବତୀଜଣକ ଗୁରୁତର ରହିଥିବା ଜାଣି ମଧ୍ୟ ପୁଲିସ ମହିଳା କର୍ମଚାରୀ ନ ଥିବା କହି ପଳାଇଯିବା କେତେଦୂର ଗ୍ରହଣଯୋଗ୍ୟ ? ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ ମଧ୍ୟ କେଉଁ କାରଣରୁ ତାଙ୍କ ବିଷୟ ଖବର ନେବାଲାଗି ତତ୍ପରତା ଦେଖାଇ ନଥିଲା।
ସେହିପରି ଆମ୍ବୁଲାନ୍ସରେ ଯୁବତୀଙ୍କୁ ମେଡିକାଲକୁ ଅଣାଯିବା ବାଟରେ ଉଦ୍ଧାରକାରୀ ଯୁବକମାନେ ତାଙ୍କୁ ତାଙ୍କର ଠିକଣା ପଚାରିଥିଲେ। ଯୁବତୀଜଣକ ନିଜର ଘର ରାଞ୍ଚିରେ ହୋଇଥିବା କହିବା ସହିତ ତାଙ୍କ ବାପାଙ୍କର ମୋବାଇଲ ନମ୍ବର କହିଥିଲା। ଉକ୍ତ ନମ୍ବର ଅନୁଯାୟୀ ସେମାନେ ତାଙ୍କ ବାପାଙ୍କ ସହିତ ଯୋଗାଯୋଗ କରି କଥା ବି ହୋଇଥିଲେ। କେଉଁ ଆଧାରରେ ପୁଲିସ ତାଙ୍କୁ ମାନସିକ ରୋଗୀ କହୁଛି? ଅନ୍ୟପକ୍ଷରେ ଯୁବତୀଙ୍କୁ ଇଞ୍ଜେକ୍ସନ ଦିଆଯିବା ପରେ ସେ ଶୋଇପଡ଼ିଥିଲେ। ତାଙ୍କର ଦେଖାଶୁଣା ଲାଗି ସହାୟକ ମଧ୍ୟ ରହିଥିଲେ। ଏପରିକି ସଂଖ୍ୟାଧିକ ସୁରକ୍ଷା କର୍ମଚାରୀମାନେ ଆଶୁ ଚିକିତ୍ସା ବିଭାଗ ଭିତରେ ଓ ବାହାରେ କାର୍ଯ୍ୟରତ ଥିଲେ। ନିଦ ଇଞ୍ଜେକ୍ସନ ନେବାପରେ କିପରି ପୀଡ଼ିତା ଜଣକ ପଳାଇ ଯାଇଥିଲେ ଏବଂ ଏ ସମ୍ପର୍କରେ କେହି ବି ଟେର ପାଇ ନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଯୁବତୀଜଣକ ନିଖୋଜ ହୋଇନାହାନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ କରି ନିଆଯାଇଥିବା ଉଦ୍ଧାରକାରୀ ଦଳ ଅଭିଯୋଗ କରିଛନ୍ତି। ଆଶୁ ଚିକିତ୍ସା ବିଭାଗ ସହିତ ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଗଲେ, ପ୍ରକୃତ ଘଟଣା ପଦାକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ତେବେ ବରିଷ୍ଠ ପୁଲିସ ଅଧିକାରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ନଦେବା ଘଟଣାକୁ ଅଧିକ ରହସ୍ୟମୟ କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories