www.samajalive.in
Sunday, December 7, 2025
18.1 C
Bhubaneswar

ଚୋରା ଗାଡ଼ି ନ ମିଳିବା ପଛରେ ଅଦୃଶ୍ୟ ହାତ

ଭୁବନେଶ୍ବର : ସ୍କ୍ରାପିଂରେ ବଡ଼ ଷଡ଼ଯନ୍ତ୍ର ଚାଲିଛି। ଏହା ଉପରେ କାହାରି କଟକଣା ନାହିଁ। ଓଡ଼ିଶା ସ୍କ୍ରାପିଂ ବେପାରରେ ବିହାରୀ ଓ ଉତ୍ତରପ୍ରଦେଶ (ୟୁପି) ଦଲାଲଙ୍କ ରାଜ୍‌ ଚାଲିଛି। ଏହାର ଚେର କଲକାତା, ଦିଲ୍ଲୀ ଓ ମୁମ୍ବଇକୁ ଲମ୍ବିଛି। ରାଜ୍ୟରେ ମାଳମାଳ ଦୋକାନ ଖୋଲି ବେଆଇନ ବେପାର ଚଳାଇଛନ୍ତି। ଭଙ୍ଗା ଲୁହା ନାଁରେ ଭଲ ଜିନିଷ କିଣି ନେଉଛନ୍ତି ଦଲାଲ। ଏଥିରେ କୋଟିକୋଟି ଟଙ୍କା ହେରାଫେରି ହେଉଥିବାବେଳେ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ପୁଲିସ ଓ ଅନ୍ୟ ବିଭାଗର କର୍ମଚାରୀ ବି ମାଲାମାଲ ହେଉଛନ୍ତି। ଭଙ୍ଗା ଲୁହାଠାରୁ ଆରମ୍ଭ କରି ପୁରୁଣା କାଗଜ, ପୁରୁଣା ଗାଡ଼ି ଓ କାର୍ଟୁନ ‌ମଧ୍ୟ ସ୍କ୍ରାପିଂ ବ୍ୟବସାୟରେ ଅନ୍ତର୍ଭୁକ୍ତ। ଭଙ୍ଗା ଲୁହା ନାଁରେ ବ୍ୟବସାୟୀ ଭଲ ଲୁହା ଓ ଗାଡ଼ି ମୋଟର କିଣୁଛନ୍ତି। ଚୋରା ଗାଡ଼ି ଓ ଲୁହା କାରବାର ବୃଦ୍ଧି ପାଉଛି। ଚୋରି ଗାଡ଼ି ନ ମିଳିବା ପଛରେ କବାଡ଼ି ବ୍ୟବସାୟୀଙ୍କ ଏବଂ କିଛି ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ପାରାଦ୍ବୀପ ବନ୍ଦର ହେଉ କିମ୍ବା ରେଲୱେ ବିଭାଗରେ ପୁରୁଣା ଲୁହା ବିକ୍ରି ନାଁରେ ନୂଆ ଜିନିଷ କର୍ମଚାରୀ କବାଡ଼ି ଦୋକାନୀଙ୍କୁ ବିକ୍ରି କରି ନିଜ ପକେଟ ଗରମ କରୁଛନ୍ତି। ଏଥିରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି। ଏହି ବେପାର କରିବା ପାଇଁ ବିହାରୀ ଓ ୟୁପିର ଦଲାଲ ଏଠାରେ ଡେରା ପକାଇଛନ୍ତି। ୨୦୨୪ ସେପ୍ଟେମ୍ବରରେ ଏଭଳି ଏକ କବାଡ଼ି ଦଳଙ୍କୁ କମିସନରେଟ ପୁଲିସ ଧରିଥିଲେ ବି କାରବାରର ଚେର ଧରିପାରି ନଥିଲା। ଏହି କବାଡ଼ିଆ ଦଳ ୨୪ ଘଣ୍ଟିଆ ପାଣି ଯୋଗାଇ ଦେବାକୁ ୱାଟ୍‌କୋ ପକାଇଥିବା ଲୁହା ପାଇପ୍‌ ଚୋରି କରି ସରକାର ଯେଉଁ କମ୍ପାନୀଠାରୁ ପାଇପ୍‌ କିଣୁଥିଲେ, ସେହି କମ୍ପାନୀକୁ ବିକ୍ରି କରୁଥିଲେ। ଏକ ଚୋରି ଅଭିଯୋଗରେ ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ଜେରା ପରେ କବାଡ଼ି ବେପାରର ଷଡ଼ଯନ୍ତ୍ର ପଦାକୁ ଆସିଥିଲା। ସେମାନେ କାର୍‌ରେ ଆସୁଥିଲେ, ଠିକାଦାର ରଖିଥିବା ଲୁହା ପାଇପ୍‌କୁ ଟ୍ରକ୍‌ରେ ନେଇ ପଳାଉଥିଲେ। ଅଭିଯୁକ୍ତ ନିକଟରୁ ପୁଲିସ ୧୨୬ଟି ଲୁହା ପାଇପ୍‌ ସମେତ ବ୍ୟବହୃତ କାର୍‌ ଓ ଟ୍ରକ୍‌କୁ ଜବତ କରିଥିଲା। ସେମାନଙ୍କ ବୟାନ ପୁଲିସକୁ ଆଶ୍ଚର୍ଯ୍ୟ କରିଥିଲା। ଏହି ରାକେଟ୍‌ ପଛରେ ବଡ଼ବଡ଼ କମ୍ପାନୀ ରହିଥିବା ଜଣାପଡ଼ିଥିଲା।
ବେଆଇନ ଭାବେ କବାଡ଼ି ବେପାର ଚାଲିଥିଲେ ହେଁ ଏହାକୁ ରୋକିବା ଦିଗରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟ ବଳ (ଏସ୍‌ଟିଏଫ୍‌) ଏବଂ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ (ଏସ୍‌ୟୁସି) ସଫଳ ହୋଇପାରୁନି। ବିଭିନ୍ନ ସମୟରେ କବାଡ଼ି ଦୋକାନରୁ ପୁଲିସ ଚୋରି ଗାଡ଼ି ଜବତ କରୁଥିଲେ ବି ସେମାନଙ୍କ ଦୋକାନର ଯାଞ୍ଚ କରାଯାଉ ନାହିଁ। ଏହି କାରବାର ଏବେ ରହସ୍ୟାବୃତ୍ତ। ଅଧିକାଂଶ କବାଡ଼ି କାରବାରର ମୁଖ୍ୟ କାର୍ପଟଦାର ଭୁବନେଶ୍ବରରେ ରହି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶାଖା ଦୋକାନ ଖୋଲିଛନ୍ତି। ରାଜ୍ୟରେ ଏବେ ଅଣଓଡ଼ିଆ ଗୋଷ୍ଠୀ କବାଡ଼ି କାରବାର ଚଳାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories