www.samajalive.in
Sunday, December 7, 2025
18.1 C
Bhubaneswar

ଟ୍ରମ୍ପ, ଟାରିଫ ଓ ଭାରତ

କଥା ବଦଳାଉଥିବା ଲୋକ ଶାସ୍ତ୍ର ଅନୁସାରେ ବର୍ଜନୀୟ। ଭରସା କଲେ କେତେବେଳେ ସେମାନେ ଗଭୀର କ୍ଷତ ସୃଷ୍ଟି କରନ୍ତି ତା’ର ପୂର୍ବସୂଚନା ପାଇବା କଷ୍ଟକର। ଟ୍ରମ୍ପଙ୍କର ପ୍ରଶୁଳ୍‌କ ବା ସାଧାରଣ ଭାବରେ କହିବାକୁ ଗଲେ ଆମଦାନୀ ଶୁଳ୍କନୀତି (ଟାରିଫ ନୀତି) ସାରା ବିଶ୍ବକୁ ଗଭୀର ଅବପାତ (ମନ୍ଦୀ) ଆଡ଼କୁ ଟାଣିବାର ଏକ ଉତ୍କୃଷ୍ଟ ଆତ୍ମଘାତୀ ଉପାଦାନ। ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ପାଇଁ ବିପଦସଂକୁଳ। ଟ୍ରମ୍ପ ମହାଶୟ ଖୋସାମଦ ବା ଚାଟୁବଚନ ପ୍ରିୟ। ଏଥର ଆମେରିକାର ରାଷ୍ଟ୍ରପତି ଅତ୍ୟନ୍ତ ଗରିବ ରାଷ୍ଟ୍ରଗୁଡ଼ିକୁ ସର୍ବାଧିକ ଟାରିଫ୍‌ ଦ୍ବାରା ଆଘାତ ଦେଇଛନ୍ତି ଏବଂ ଧନୀ ରାଷ୍ଟ୍ରଙ୍କ ଉପରେ କମ୍‌ ପ୍ରଶୁଳ୍କ ଧାର୍ଯ୍ୟ କରିବା ପ୍ରଣିଧାନଯୋଗ୍ୟ। ହୁଏତ କିଛି ଚାଟୁକାର ଟ୍ରମ୍ପଙ୍କୁ ବିଶ୍ବର ସର୍ବୋଚ୍ଚ ସମ୍ମାନର ଅଧିକାରୀ ଭାବେ ଅଭିହିତ କରି ରକ୍ଷା ପାଇଯିବା ଆଦୌ ଅସ୍ବାଭାବିକ ନୁହେଁ। ଦକ୍ଷିଣପୂର୍ବ ଏସୀୟ ଦେଶ ଲାଓସ୍‌ ଗରିବ ଦେଶଟିଏ। ଦେଶଟି ଆମେରିକାର ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଉପରେ ଟାରିଫ୍‌ ଟଙ୍କାଟିଏ ମଧ୍ୟ ଲଦି ନାହିଁ ତଥାପି ଟ୍ରମ୍ପ ନିର୍ଦୟ ଭାବରେ ୪୦ ପ୍ରତିଶତ ପ୍ରଶୁଳ୍କର (ଦେଶଟିର ରପ୍ତାନି ଉପରେ) ଆଘାତ ଦେବାକୁ ପଛାଇ ନାହାନ୍ତି।
ପ୍ରବନ୍ଧଟି ଆମେରିକାର ପ୍ରଶୁଳ୍କ ନୀତି (ଟାରିଫ୍‌ ନୀତି)ର ଇତିହାସ ଆଲୋଚନା କରିବାର ପ୍ରାସଙ୍ଗିକତା ଅନୁଭବକରେ। ଅର୍ଥନୈତିକ ଇତିହାସକାର ଡଭଗ୍ଲାସ୍‌ ଇର୍‌ଉଇନ୍‌ ଆମେରିକା ଅର୍ଥନୈତିକ ଇତିହାସର ତିନିଟି ପର୍ଯ୍ୟାୟ ନେଇଛନ୍ତି- ୧୭୯୦ରୁ ୧୮୬୦, ୧୮୬୧ରୁ ୧୯୩୩ ଏବଂ ୧୯୩୪ରୁ ଅଦ୍ୟାବଧି। ଡଭଗ୍ଲାସ୍‌ ଇରଉଇନ୍‌ ଅର୍ଥଶାସ୍ତ୍ରର ଜଣେ ପ୍ରବୀଣ ଅର୍ଥଶାସ୍ତ୍ରୀ। ୧୭୯୦ରୁ ୧୮୬୦ ମସିହା ପର୍ଯ୍ୟନ୍ତ ଆରେମିକାର ବହିର୍ବାଣିଜ୍ୟ ନୀତିରେ ପ୍ରଶୁଳ୍କ ହାର ହାରାହାରି ୨୦ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ଏବଂ ପରେ ପରେ ଏହି ହାର ହ୍ରାସ ପାଇ ୨୦ ପ୍ରତିଶତ ହୋଇଥିଲା। ଏହି ସମୟ ମଧ୍ୟରେ ବହିର୍ବାଣିଜ୍ୟ ନୀତିରେ ପ୍ରଶୁଳ୍କର ଉଦ୍ଦେଶ୍ୟ ବିଦେଶୀ ରପ୍ତାନିରୁ ରାଜସ୍ବ ଆଦାୟ କରି ସରକାରୀ ଆୟର ପନ୍ଥା ଭାବରେ ଆମେରିକା ଗ୍ରହଣ କରିଥିଲା। ତେଣୁ ୧୭୯୦ରୁ ୧୮୬୦ ରାଜସ୍ବ ବା ଆୟ ପ୍ରଶୁଳ୍କ। ଦ୍ବିତୀୟ ପର୍ଯ୍ୟାୟ ୧୮୬୧ରୁ ୧୯୩୩ ଯେଉଁ ସମୟ ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସ୍ବଦେଶୀ ଶିଳ୍ପର ସଂରକ୍ଷଣ ବା ସୁରକ୍ଷା ପାଇଁ ଆମଦାନୀ ବାଧା ପ୍ରଦାନକାରୀ ପ୍ରଶୁଳ୍କ (ଟାରିଫ୍‌) ବା ସଂରକ୍ଷଣ ପ୍ରଶୁଳ୍କ ଭାବରେ ଜଣାଶୁଣା। ୧୯୩୪ ପରର କଥା। ଏହି ସମୟଟି ପାରସ୍ପରିକ ବାଣିଜ୍ୟିକ ଚୁକ୍ତିନାମା, କ୍ରିୟା ଓ ପ୍ରତିକ୍ରିୟାକୁ ନେଇ ଆମେରିକା ପ୍ରଶୁଳ୍କ ନିର୍ଦ୍ଧାରଣ କଲା। ହାରାହାରି ପ୍ରଶୁଳ୍କ ହ୍ରାସପାଇ ୫ ପ୍ରତିଶତ ହେଲା। ୧୯୪୨ ମସିହା ପରେ ଆମେରିକା ମୁକ୍ତ ବାଣିଜ୍ୟରେ ବିଶ୍ବାସ କରିବା ଆରମ୍ଭ କରିଦେଲା। ପ୍ରବକ୍ତା ପାଲଟିଗଲା। ୨୦୧୬ ମସିହା ରାଷ୍ଟ୍ରପତି ନିର୍ବାଚନ ପରେପରେ ଆମେରିକା ପୁନର୍ବାର ସ୍ବଦେଶୀ ଶିଳ୍ପ ଓ କୃଷି ସଂରକ୍ଷଣ ବାହାନାରେ ଉଚ୍ଚ ପ୍ରଶୁଳ୍କ କର ଆଶ୍ରୟ ନେଲା। ଏବେ ପ୍ରଶୁଳ୍କ (ଟାରିଫ)କୁ ନେଇ ଟ୍ରମ୍ପ ଉଗ୍ର ହୋଇ ଉଠିଛନ୍ତି। ଦେଖାଯାଏ ଯେ ଗରିବ, ଗତିଶୀଳ, ବିକାଶଶୀଳ, ଦ୍ରୁତ ଆର୍ଥିକ ସଂବୃଦ୍ଧି ଯୁକ୍ତ ଦୃଶ୍ୟମାନ ଅର୍ଥବ୍ୟବସ୍ଥା ଉପରେ ଧନୀ ଦେଶ ତୁଳନାରେ ଅଧିକ ଟାରିଫ ଲଦି ସର୍ବାଧିକ ଆର୍ଥିକ ଉପାର୍ଜନ କରିବା ସହ ନିଜର ଆର୍ଥିକ ଶକ୍ତି ପ୍ରଦର୍ଶନ କରିବା ଅପରିଣାମଦର୍ଶିତା ଏବଂ ଦୀର୍ଘକାଳ ପାଇଁ ରାଜନୈତିକ ଓ ଆର୍ଥନୀତିକ ଆତ୍ମଘାତ। ଅନେକ କ୍ଷେତ୍ରରେ ତାଙ୍କ ଟାରିଫ ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ଅାକ୍ରୋଶ ସୂଚାଏ ଯାହା ପଛରେ କୌଣସି ଅର୍ଥନୈତିକ କାରଣ ନାହିଁ, ଅଛି କେବଳ ଅର୍ଥନୈତିକ ପ୍ରଭୁତ୍ବ। ତାଙ୍କ ବିଶ୍ବାସ ଯେ ଏହା ଆମେରିକାକୁ ଉଚ୍ଚ କରିବ। ବୋଧହୁଏ ୧୯୨୦ରୁ ୧୯୩୩ ମସିହା ସମୟ ଖଣ୍ଡଟିକୁ ସେ ଠିକ୍‌ ଭାବରେ ବିଶ୍ଳେଷଣ କରିନାହାନ୍ତି। ଏବେକାର ବିଶ୍ବ ଭିକାରି ହେବା ପୂର୍ବରୁ ଭିକାରି କରିବାର କୌଶଳ ଓ ସାମର୍ଥ୍ୟ ବହନ କରେ। ଇର୍‌ଉଇନ୍‌ କହନ୍ତି ଆମେରିକାର ଏକ ଦୃଢ଼ବିଶ୍ବାସ ଯେ ନିମ୍ନ ପ୍ରଶୁଳ୍କ ଆମେରିକାର କୃଷି ଓ ଶିଳ୍ପ ପାଇଁ କ୍ଷତିିକାରକ। ଉଚ୍ଚ ପ୍ରଶୁଳ୍କଙ୍କ ଆମେରିକାକୁ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଶିଳ୍ପ ସମୃଦ୍ଧ କରିପାରିଥିଲା। ହୁଏତ ଏହାର କାରଣ ପ୍ରଚୁର ସମ୍ବଳର ଭଣ୍ଡାର, ଉନ୍ମୁକ୍ତ ବ୍ୟବସ୍ଥା ଓ ଭାବନାର ଆଦାନ-ପ୍ରଦାନ, ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଗଦ୍ବାରା ସମ୍ଭବ ହୋଇଥିବ; କିନ୍ତୁ ବିଶ୍ବାସ ତ ବିଶ୍ବାସ। ସୌଭାଗ୍ୟକ୍ରମେ ୧୮୭୦ ମସିହାରେ ଆମେରିକାର ଶିଳ୍ପ ଉତ୍ପାଦନ ବିଶ୍ବ ଉତ୍ପାଦନର ୨୩ ପ୍ରତିଶତ ଥିଲାବେଳେ ୧୯୧୩ ମସିହାରେ ଉଚ୍ଚ ଟାରିଫ୍‌ସତ୍ତ୍ବେ ଏହି ହାର ୩୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହି ବିଶ୍ବାସ, ଭାବନା, ଅଭିପ୍ରାୟ ବୃହତ୍‌ ମନ୍ଦୀ ଆମେରିକାରୁ ଆରମ୍ଭ ହୋଇ ସାରା ବିଶ୍ବକୁ ଘାରିଥିଲା। ୧୯୩୦ ମସିହା ସ୍ମୁଟ- ହଲେ ଟାରିଫ ବ୍ୟବସ୍ଥା (ସେତେବେଳେ ଆମେରିକାର ରାଷ୍ଟ୍ରପତି ‘Herbert Hoover’ ଯେ ଜଣେ ମାନବବାଦୀ) ପୂର୍ବ ବିଶ୍ବାସ ଓ ଯୁକ୍ତି ଅନୁସାରେ ପ୍ରଶୁଳ୍କ (ଟାରିଫ୍‌) ହାର ୪୦ରୁ ୪୭ ପ୍ରତିଶତ କଲେ ଯାହା ଆତ୍ମଘାତୀ ଥିଲା କାରଣ ୧୯୨୯ ମସିହାରେ ସେୟାର ବଜାର ସଜୋର ଧକ୍କା ବା ପତନ ହୋଇସାରିଥିଲା। ମନ୍ଦୀ ରୂପରେଖ ନେଇସାରିଥିଲା।
ପ୍ରଥମ ବିଶ୍ବଯୁଦ୍ଧ ପରେପରେ ୧୯୨୦ରୁ ଆମେରିକାର ଅଭିବୃଦ୍ଧିର ସମୟ ଥିଲା। ତେଣୁ ନିବେଶକ ଆଶାବାଦୀ ହୋଇ ବ୍ୟାଙ୍କ ଋଣ କରି ସେୟାର କିଣିବାରେ ଲାଗିଲେ, ଭାବିଲେ ସେୟାର ବଜାର କେବଳ ବଢ଼ିବ। ଚାଲିଲା ଲାଭ ପ୍ରତ୍ୟାଶାର ଅଙ୍କକଷା। ୧୯୨୯ରେ ସେୟାର ବଜାର ଧକ୍କାଖାଇ ଭାଙ୍ଗିଲା। ନିବେଶକ ବ୍ୟାଙ୍କ ଋଣ ଓ ସୁଧ ପରିଶୋଧ କରିପାରିଲେ ନାହିଁ ଏବଂ ତା’ସହ ଉଚ୍ଚସୁଧ ହାର, ସ୍ମୁଟ-ହଲେଙ୍କ ଆତ୍ମଘାତୀ ଉଚ୍ଚ ଟାରିଫ ଓ ଘରୋଇ ଦ୍ରବ୍ୟର ଦର ହ୍ରାସକ ନୀତି ମିଳିମିଶି ଘୋର ମାନ୍ଦାବସ୍ଥା ଆମେରିକାକୁ ଧୂଳି ଚଟେଇଲା। ଆମେରିକାର ବେକାରି ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇଲା, ଶିଳ୍ପ ଉତ୍ପାଦନ ୪୭ ପ୍ରତିଶତ, ଜିଡିପି ୩୦ ପ୍ରତିଶତ, ବିଶ୍ବ ବାଣିଜ୍ୟ ୫୦ ପ୍ରତିଶତ ହ୍ରାସପାଇ ଦୀର୍ଘବର୍ଷ (୯ରୁ ୧୦ ବର୍ଷ) ହନ୍ତସନ୍ତ କଲା। ଜଣେ ବ୍ୟବସାୟୀ ରାଷ୍ଟ୍ରପତି ନିଜର ପ୍ରଭୁତ୍ବ ବିସ୍ତାର ପାଇଁ ଉଚ୍ଚ ଟାରିଫ(ପ୍ରଶୁଳ୍କ ଯାହା ଆମଦାନୀ କରାଯାଉଥିବା ଦ୍ରବ୍ୟ ଓ ସେବା ଉପରେ ଲଦାଯାଏ)ର ଆଶ୍ରୟ ନେଇଛନ୍ତି। ଚୀନ ଉପରେ ପଡ଼ିଥିବା ୨୪୫ ପ୍ରତିଶତ ଟାରିଫ୍‌ ଏବେ ୩୦ ପ୍ରତିଶତ ଯାହା ପୁନର୍ବାର ହ୍ରାସ ପାଇପାରେ। ଭାରତ ଉପରେ ୨୫ ପ୍ରତିଶତରୁ ୫୦ ପ୍ରତିଶତ କାରଣ ଆମେ ରୁଷଠାରୁ ତେଲ ଓ ଯୁଦ୍ଧ ସାମଗ୍ରୀ କିଣୁ, ଚୀନ ମଧ୍ୟ ତେଲ କିଣେ। ଆମେ ଆମେରିକାଠାରୁ କମ୍‌ ଆମଦାନୀ କରୁ ଅଧିକ ରପ୍ତାନି କରୁ (ରପ୍ତାନି ୮୬.୫ ବିଲିଅନ୍‌ ଡଲାର ଓ ଆମଦାନୀ ୪୫.୩ ବିଲିଅନ୍‌ ଡଲାର)। ତେଣୁ ୨୦୨୪-୨୫ରେ ଆମର ଆମେରିକା ସହ ଦ୍ବିପାକ୍ଷିକ ବାଣିଜ୍ୟ ବଳକା ୪୧.୨ ବିଲିଅନ୍‌ ଡଲାର ଯାହା ଆମ ଜିଡିପିର ମୁଦ୍ରାଗତ ମୂଲ୍ୟର ୧ ପ୍ରତିଶତ (ପ୍ରାକ୍‌ ଆକଳନ ମୁତାବକ ଆମ ଜିଡିପିର ମୁଦ୍ରାଗତ ମୂଲ୍ୟ ୨୦୨୫ ପାଇଁ ୪.୧୯ ଟିଲିଅନ ଡଲାର)। ରୁଷ ଠାରୁ ତେଲ, ଅସ୍ତ୍ରଶସ୍ତ୍ର କିଣା ତା’ଛଡ଼ା ଆମ କୃଷି ଓ କୃଷକଙ୍କୁ ବଳିପକାଇ ଆମେରିକାଠାରୁ କୃଷିଜାତ ଦ୍ରବ୍ୟ, ବିହନ ନ କିଣିବା, ଭକ୍ତି ଓ ତୋଷାମଦ ଚାହୁଁଥିବା ଟ୍ରମ୍ପ ଭାରତଠାରୁ ନପାଇ ବ୍ୟକ୍ତିଗତ ଆକ୍ରୋଶକୁ ଆଧାରକରି ଆର୍ଥିକ ଦଣ୍ଡ ଭାବରେ ଅଧିକ ୨୫ ପ୍ରତିଶତ ଟାରିଫ ଲଦିଦେଲେ।
ଭାରତ ପ୍ରଥମେ କୋମଳ ମନୋଭାବ ନେଇ ନିରବ ଥିଲା। ଏବେ ଭାରତ ଦୃଢ଼ତାର ସହ କହିଛି ଯେ ଭାରତୀୟଙ୍କ ସ୍ବାର୍ଥଦୃଷ୍ଟିରୁ ଭାରତ କମ୍‌ ଦରରେ ରୁଷଠାରୁ କିଣୁଛି କିଣିବ ମଧ୍ୟ। ତା’ଛଡ଼ା ଭାରତ-ପାକ୍‌ ଯୁଦ୍ଧ ବନ୍ଦ କରିବାରେ ଆମେରିକାର ଦାବି (୨୭ ଥର)କୁ ମଧ୍ୟ ଖାରଜ କରିଛି ଏବଂ କୌଣସି ପରିସ୍ଥିତିରେ ଭାରତୀୟ କୃଷକମାନଙ୍କର ସ୍ବାର୍ଥକୁ ଉପେକ୍ଷା କରାଯିବ ନାହିଁ (ପ୍ରଧାନମନ୍ତ୍ରୀ)। ଟ୍ରମ୍ପଙ୍କ ଏକ ତରଫା ଟାରିଫ ଧାର୍ଯ୍ୟରେ ବିଶ୍ବର ପ୍ରତିକ୍ରିୟା ନୈରାଶ୍ୟଜନକ; କାରଣ ଗରିବ ଦେଶମାନଙ୍କର ବିକଳ୍ପ ନାହିଁ।, ୟୁରୋପ ସଂଘ ବିଭିନ୍ନ ସୁରକ୍ଷା ଦୃଷ୍ଟିରୁ ଚୁପ୍‌। ଏସୀୟ ଦେଶ ଅଣସଂଗଠିତ, ଚୀନ ଆମେରିକାକୁ କରୁଥିବା ରପ୍ତାନି ଏକାଧିକାର ବ୍ୟାପାର ତା’ଛଡ଼ା ଆମେରିକା ୨୨୧ଟି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆମଦାନୀ ପାଇଁ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ବିଭିନ୍ନ କାରଣରୁ ଭାରତ ଉଭୟ ଚୀନ ଓ ଆମେରିକା ସହ ସୁସମ୍ପର୍କରେ ରହିବାକୁ ହେବ। ହେଲେ ବ୍ରାଜିଲ, ରୁଷ, ଭାରତ, ଚୀନ, ଦ.ଆଫ୍ରିକା (ବ୍ରିକ୍ସ ଦେଶ) ମଧ୍ୟରୁ ବ୍ରାଜିଲ (୫୦ ପ୍ରତିଶତ ଟାରିଫ) ରୁଷ ସହ​‌େ​‌ଜ​‌​‌ ଅସୁବିଧାରେ ଅଛି, ଭାରତ (୫୦ ପ୍ରତିଶତ), ଦ.ଆଫ୍ରିକା (୩୦ ପ୍ରତିଶତ) ତା’ଛଡ଼ା ଚୀନ (୩୦ ପ୍ରତିଶତ) ଭିତରୁ ଚୀନ ଏକାଧିକାର ରପ୍ତାନି ପାଇଁ ସୁବିଧାଜନକ ସ୍ଥିତିରେ ଅଛି ମୂଲଚାଲ କରିପାରିବ। ରୁଷ କଥା ଆଜି (୧୫ା୮ା୨୫)- ଭଲ ହୋଇପାରେ ନହେଲେ କଟକଣା ଚାଲୁ ରହିବ।
ଗୋଲ୍ଡମ୍ୟାନ୍‌ ସାଚଙ୍କ ଅନୁସାରେ ଯଦି ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଦେ ତେବେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୬.୨ ପ୍ରତିଶତ ହେବ। ନମୂରା ମଧ୍ୟ ଏହା ପୂର୍ବାନୁମାନ କରିଛନ୍ତି ଯାହା ବିଶେଷ ଅର୍ଥବୋଧକ ନୁହେଁ। ୫୦ ପ୍ରତିଶତ ଟାରିଫ ଜିଡିପିକୁ ୦.୫ରୁ ୧.୦ ପ୍ରତିଶତ ହ୍ରାସ କରିପାରେ। ତେଣୁ ଭାରତ ଦ୍ବିପାକ୍ଷିକ ଓ ବହୁ ପକ୍ଷୀୟ ବାଣିଜ୍ୟଚୁକ୍ତି କରୁ। ଆମେରିକା ଟାରିଫନୀତି ଟ୍ରମ୍ପଙ୍କୁ ମଧ୍ୟ ଭାରି ପଡ଼ିବ। ୟେଲ, ବିଶ୍ବବିଦ୍ୟାଳୟ ବଜେଟ୍‌ ଲ୍ୟାବ ତଥ୍ୟ ଅନୁସାରେ ବର୍ତ୍ତମାନର କାର୍ଯ୍ୟକାରୀ ଟାରିଫ ହାର ୨୨.୫ ପ୍ରତିଶତ ୧୯୦୯ ମସିହାରୁ ଅଦ୍ୟାବଧି ସର୍ବାଧିକ ଯାହା ଆମେରିକାରେ ଖାଉଟି ପରସୂଚକାଙ୍କ ୨.୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇଲେକ୍‌ଟ୍ରିକାଲ, ଇଲେକ୍‌ଟ୍ରୋନିକ୍ସ ଦ୍ରବ୍ୟ, ଅଳଙ୍କାର, ବୁଣାଜିନିଷ ଯାହା ଆମେରିକା ବହୁଳ ମାତ୍ରାରେ କିଣେ ସେଗୁଡ଼ିକ ଶ୍ରମ ପ୍ରଧାନ। ଏ କ୍ଷେତ୍ରରେ ନିୟୋଜନ ବାଧାପ୍ରାପ୍ତ ହେବ। ଆମେରିକା ଓ ଚୀନ ଉଭୟ ମହାଶକ୍ତି। ଆମକୁ ଆର୍ଥିକ ସୁଗମତା ପାଇଁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories