ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗ୍ରାମରେ ଯୁବତୀ ଜଳିଯିବା ଘଟଣାର ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଥିବା ବେଳେ ଶରୀରରେ କୌଣସି ବିଷକ୍ରିୟା ନଥିବା ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାସହ ଯୁବତୀଙ୍କ ଶରୀର ୯୫ ପ୍ରତିଶତ ପୋଡ଼ି ଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିବା ତଦନ୍ତରେ ସାମିଲ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୬ ତାରିଖରେ କାଠିଆପଡ଼ା ଗ୍ରାମର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ନିଜ ଘରେ ଜଳି ଯାଇଥିଲେ। ପ୍ରେମିକ ତାଙ୍କୁ ଧୋକା ଦେବା ଓ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ କରିବାରୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏହି ବ୍ଲକ ବିଲିକଣା ପଞ୍ଚାୟତ ତେରେଇ ଗ୍ରାମର ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନିଜ ଝିଅକୁ ମାରି ପ୍ରମୋଦକୁ ଫସାଇଛନ୍ତି। କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ।
ଯୁବତୀଙ୍କ ଫଟୋ ପ୍ରଘଟ କରିବା ଅଭିଯୋଗରେ ପ୍ରମୋଦଙ୍କୁ ପୁଲିସ ଚେନ୍ନଇରୁ ଗିରଫ କରିଥିଲା। ଗତ ୧୦ ତାରିଖରେ ପ୍ରମୋଦଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ଅଭିଯୁକ୍ତ ଏବେ ଜେଲ୍ରେ ରହିଛି। ଯେପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିବ ନାହିଁ ବୋଲି ପୁଲିସ କହିଥିଲା। ଏବେ ରିପୋର୍ଟ ଆସିଥିବାରୁ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ରିପୋର୍ଟ ସଂକ୍ରାନ୍ତରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧରୁ ମୃତ୍ୟୁ
Popular Categories



