ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ -୯ ଲାଦେର ପାଲି ବସ୍ତି ବନ୍ଦପଡା ସ୍କୁଲ ଦେଇ ବଡକଣ୍ଟା (ଜଳାଶୟ)କୁ ଯିବା ରାସ୍ତାରେ ରହିଛି ଏକ ପୋଲ। ଯାହା ୧୯୯୮ମସିହା ପଞ୍ଚାୟତ ଶାସନ କାଳରେ ୧୫ ହଜାର ସରକାରୀ ଓ ଗାଆଁ ପାଣ୍ଠିରୁ ୮ହଜାର ସମୁଦାୟ ୨୩ହଜାର ଟଙ୍କା ଖର୍ଚ୍ଚରେ ପୋଲଟି ତିଆରି ହୋଇଥିଲା। ଦୀର୍ଘ ୨୭ବର୍ଷର ପୋଲଟି ଏବେ ଜୀବନ ନେବା ଅବସ୍ଥାରେ। ବିପଦକୁ ଆମନ୍ତ୍ରଣ କରି ଏହା ଝୁଲି ରହିଛି। ରାତି ପାହିଲେ ଏହି ପୋଲ ଦେଇ ଲୋକେ ସ୍ନାନ ଶୌଚାଦି କର୍ମ, ଗାଈଗୋରୁ ନେବା ଆଣିବା ସହ ବିଲବାଡ଼ିକୁ ଯିବା ଆସିବା କରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅତାବିରା ଏନ୍ଏସି ଗଠନକୁ ଦୀର୍ଘ ୧୨ବର୍ଷରୁ ଉର୍ଦ୍ଧ୍ବ ବିତିଯାଇଥିଲେ ସୁଦ୍ଧା ଏହାର କିଛି ମରାମତି କାମ ହୋଇ ପାରିନାହିଁ। ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ସେମାନେ କହନ୍ତି। କେବଳ ସେତିକି ନୁହେଁ ଏନଏସି ପକ୍ଷରୁ ଏହି ଜଳାଶୟକୁ ମାଛ ଚାଷ ପାଇଁ ଠିକା ନେଇ ପ୍ରଶାସନ ଖଜଣା ମଧ୍ୟ ଅସୁଲି କରି ଆସୁ ଥିଲା। ହେଲେ ଏବେ ପୋଲ ସହ ରାସ୍ତା ଉନ୍ନତି ଓ ଜଳାଶୟର ରକ୍ଷଣାବେକ୍ଷଣ ଅଭାବରୁ ମାଛ ଚାଷ ମଧ୍ୟ କରିପାରୁ ନାହାନ୍ତି ନାହିଁ ବୋଲି ଲୋକେ କହନ୍ତି। ଏନେଇ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ବଡ ଅଘଟଣକୁ ଏଡ଼ାଇ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।



