ଭୁବନେଶ୍ୱର : ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । ବିହାରର ପୂର୍ବଭାଗ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ୧୪ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, କଟକ, କନ୍ଧମାଳ କଳାହାଣ୍ଡି ଓ ଗଞ୍ଜାମରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଗତ ୨ ରୁ ୩ ଦିନ ମଧ୍ୟରେ ହଠାତ ତାପମାତ୍ରାରେ ଯେପରି ପରିବର୍ତ୍ତନ ହୋଇ ଗରମ ବୃଦ୍ଧି ପାଇଥିଲା ତାହା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲା । ତେବେ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।



